ଚୀନ୍‌ର ଅଭିଯୋଗକୁ ଭାରତର ଖଣ୍ଡନ, ସୀମାରେ ଗୁଳି ଚଳାଇ ନାହିଁ ଭାରତୀୟ ସେନା

ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ଗୁଳିବିନିମୟକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଗୁଳିବିନିମୟ ଘଟଣା ନେଇ ଚୀନ୍‌ ଭାରତକୁ ଦାୟୀ କରିବା ପରେ ଏନେି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ଭାରତୀୟ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ସୋମବାର ବିଳମ୍ବିତ ରାତିରେ ଭାରତ ପକ୍ଷରୁ ସୀମାରେ କୌଣସି ଗୁଳି ଚାଳନା କରାଯାଇ ନାହିଁ । ହେଲେ ଚୀନ୍‌ ସେନା ପକ୍ଷରୁ ନିୟମ ଉଲଂଘନ କରାଯାଇ ଗୁଳି ଚାଳନା କରାଯାଇଛି ।‌ ଚୀନ୍‌ ପକ୍ଷରୁ ବାରମ୍ବାର ଏଭଳି ନିୟମ ଉଲଂଘନ ହେଉଥିବା ମଧ୍ୟ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଚୀନ ସେନା କିଛି ରାଉଣ୍ଡ ଗୁଳି ଚଳାଇଛି । ଚୀନ କ୍ରମାଗତ ବୁଝାମଣା ଉଲ୍ଲଂଘନ କରୁଛି । ସେପ୍ଟେମ୍ବର ୭ରେ ଚୀନ ସେନା ଏଲଏସି ନିକଟକୁ ଆସିଥିଲା । ଭାରତୀୟ ସେନା ରୋକିବାରୁ ଫାଙ୍କା ଗୁଳି ଚଲାଇଥିଲା ଚୀନ୍ ସେନା । ଉସ୍‌କାଇବା ସତ୍ତ୍ୱେ ଭାରତୀୟ ସେନା ପକ୍ଷରୁ ସଞ୍ଜମତା ରକ୍ଷା କରାଯାଇଛି । ଏଲ୍‌ଏସିରେ ଶାନ୍ତି ପାଇଁ ଭାରତ ପ୍ରତିବଦ୍ଧ । ଯେକୌଣସି ମୂଲ୍ୟରେ ଦେଶର ଅଖଣ୍ଡତା ରକ୍ଷା କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

୪୫ବର୍ଷ ପରେ ପୂର୍ବ ଲଦାଖ ଏଲ୍‌ଏସିରେ ଗୁଳିମାଡ଼ ହୋଇଛି । ପୂରା ଘଟଣା ନେଇ ଭାରତକୁ ବଦନାମ କରିବାକୁ ଚୀନ୍ ଉଦ୍ୟମ କରୁଛି । ସୋମବାର ବିଳମ୍ବିତ ରାତିରେ ଭାରତୀୟ ସେନା ଏଲଏସି ଅତିକ୍ରମ କରିବା ସହ ଗୁଳିମାଡ଼ କରିଥିବା ଚୀନ୍‌ର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଚୀନ୍‌ ଆହୁରି ମଧ୍ୟ କହିଛି ଯେ, ଆଲୋଚନା ପାଇଁ ଉଦ୍ୟମ କରୁଥିବା ପିଏଲଏର ବର୍ଡର ପାଟ୍ରୋଲ ସୁରକ୍ଷାକର୍ମୀଙ୍କ ଉପରକୁ ଓ୍ୱାର୍ଣ୍ଣିଂ ସଟ୍ ଚଳାଇଥିଲା ଭାରତୀୟ ସେନା । ଫଳରେ ପିଏଲଏ ପକ୍ଷରୁ ଏହାର ଜବାବ ଦିଆ ଯାଇଛି । ଏହି ଘଟଣାକୁ ଭାରତୀୟ ସେନା ପକ୍ଷରୁ ଖଣ୍ଡନ କରାଯାଇଛି ।

ସୀମାରେ ଲଗାତର ଉତ୍ତେଜନା ପରେ ଭାରତ ପକ୍ଷରୁ ଏଲଏସିରେ ଅଧିକ ସଂଖ୍ୟକ ସେନା ମୁତୟନ କରାଯାଇଛି । କାଲା ଟପ୍, ହେଲମେଟ୍ ଟପ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଭାରତ କବ୍‌ଜା କରିବା ପରଠୁ ଚୀନ୍ ବ୍ୟତିବ୍ୟସ୍ତ ହୋଇପଡିଛି ।

Leave a Reply