ଏଲଏସିରେ ଭାରତ-ଚୀନ୍ ସୀମା ବିବାଦ, ଚୀନକୁ ଆମେରିକାର ଚେତାବନି

1 min read

ଲଦାଖ: ଲଦାଖ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଫେଙ୍ଗୋଙ୍ଗ ସୋରେ ଉତ୍ତେଜନା ହ୍ରାସ ନେଇ ଆଜି ପୁଣି ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ବସୁଛି । ସେପଟେ ସାମ୍ନାକୁ ଆସିଛି ଚୀନ୍‌ର ଦୋମୁହାଁ ନୀତି । ଗତ ୩ ଦିନ ମଧ୍ୟରେ ୩ ଥର ଅନୁପ୍ରବେଶ ଉଦ୍ୟମ କରିଛି ଚୀନ୍ । ଗୋଟେପଟେ ଶାନ୍ତି ଆଲୋଚନା ପାଇଁ କହୁଛି ଚୀନ୍, ଅନ୍ୟପଟେ ଅନୁପ୍ରବେଶ ଉଦ୍ୟମ କରୁଛି । ତେବେ ଚୀନ୍ ସବୁପ୍ରକାର ଉଦ୍ୟମକୁ ବିଫଳ କରିବା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଅଗଷ୍ଟ ୩୧ରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଥିବା ବେଳେ ଚୀନ୍ ପକ୍ଷରୁ ଚୁମାର ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲା ।

ତେବେ ସେଠାରେ ମୁତୟନ ହୋଇଥିବା ଭାରତୀୟ ସେନା ସେମାନଙ୍କୁ ଆଗକୁ ବଢିବାକୁ ଦେଇନଥିଲେ । ଚୀନ୍ ସେନା ପକ୍ଷରୁ କରାଯାଉଥିବା ଏଭଳି ଉଦ୍ୟମ ବୁଝାମଣା ବିରୋଧୀ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । ଚୀନ୍ ସହ ଉଭୟ କୁଟନୈତିକ ଓ ସାମରିକସ୍ତରରେ ଆଲୋଚନା କରିଛି । ତେବେ ଚୀନ୍ ନିଜ ଫ୍ରଣ୍ଟଲାଇନ୍ ଟ୍ରୁପଙ୍କ ଉପରେ ଅଙ୍କୁଶ ଲଗାଇବା ସହ ଅନୁଶାସିତ କରିବା ଜରୁରୀ । ଭାରତ ଆଲୋଚନା ମାଧ୍ୟମରେ ଏଲଏସି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି । ଚୀନ୍ ତରଫରୁ ମଧ୍ୟ ଏନେଇ ସହଯୋଗ ଆଶା କରାଯାଉଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଗତ ୨୯ ଓ ୩୦ ତାରିଖରେ ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ସେନା ମାଡି ଆସିଥିଲେ । ସେତେବେଳେ ଭାରତୀୟ ଯବାନ ଉଚିତ ଜବାବ ଦେଇଥିଲେ । ଫଳରେ ବାଧ୍ୟ ହୋଇ ପଛକୁ ଘୁଞ୍ଚିଥିଲା ଚୀନ ସେନା । ଭାରତୀୟ ସେନା ବ୍ଲାକ୍ ଟପ୍ କବଜା କରିବା ସହ ଚୀନ ସେନା ଲଗାଇଥିବା କ୍ୟାମେରା ଓ ଅନ୍ୟ ଉପକରଣ ହଟାଇଦେଇଛି । ସେପଟେ ଭାରତ-ଚୀନ୍ ସୀମା ବିବାଦ ନେଇ ଚୀନ୍‌କୁ ଚେତାବନୀ ଦେଇଛି ଆମେରିକା । ପଡ଼ୋଶୀ ଦେଶଙ୍କୁ ବେଜିଂ ଉସକାଉଥିବା ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆମେରିକା ବୈଦେଶିକ ବିଭାଗ କହିବା ଅନୁସାରେ, ସେମାନେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରୁଛନ୍ତି। ଏହି ଉତ୍ତେଜନାକୁ ବନ୍ଦ କରିବାର ଏକମାତ୍ର ଉପାୟ ହେଉଛି ବେଜିଂ ବିରୋଧରେ ସ୍ୱର ଉତ୍ତୋଳନ କରିବା ।

Leave a Reply