ଭାରତ ଓ ଆମେରିକା ମଧ୍ୟରେ ୨ + ୨ ବୈଠକ: ପ୍ରସ୍ତୁତ ହୋଇପାରେ ଚୀନ ବିରୋଧି ରଣନୀତି

ନୂଆଦିଲ୍ଲୀ: ଆଜି ଭାରତ ଓ ଆମେରିକା ମଧ୍ୟରେ ହେବ ୨ + ୨ ବୈଠକ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଟି ଏସପର। ସେହିଭଳି ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ରହିବେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିବ । ଭାରତ ଓ ଆମେରିକା ମଧ୍ୟରେ  ସାମରିକ ଓ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଏଥି ସମେତ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା ହେବ । ବିଶେଷ କରି ଚୀନର ବିସ୍ତାରବାଦୀ ନିତିକୁ ଚେକ ଦେବା ପାଇଁ ଭାରତ ଓ ଆମେରିକା ଆଲୋଚନା କରିବେ ବୋଲି କୁହାଯାଇଛି  । ସୀମା ସମସ୍ୟା ଲାଗି ରହିଥିବାବେଳେ ଆମେରିକାର ଦୁଇ ବରିଷ୍ଠ ନେତାଙ୍କ ଭାରତ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

କଣ ରହିଛି କାର୍ଯ୍ୟକ୍ରମ

ଆମେରିକାର ବୈଦେଶିକ ଏବଂ ପ୍ରତିରକ୍ଷା ସଚିବ ନୂଆଦିଲ୍ଲୀରେ ଥିବା ୱାର ମେମୋରିଆଲ ପରିଦର୍ଶନ କରି ସେଠାରେ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରଖାଯାଇଛି । ଯାହା ପରେ ହାଇଦ୍ରାବାଦ ହାଉସରେ ୨ + ୨ ବୈଠକ ଆରମ୍ଭ ହେବ । ୨ + ୨ ବୈଠକ ହେଉଛି ଯେକୌଣସି ଦୁଇ ଦେଶ ମଧ୍ୟରେ ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ବୈଠକ । ଯାହା କିଛି ସମୟ ପୂର୍ବରୁ ହିଁ ଆମେରିକା ଏବଂ ଭାରତ ମଧ୍ୟରେ ଆରମ୍ଭ ହୋଇଛି ।

ଏହି ବୈଠକରେ ବୈଶୟିକ ବିନିମୟ ଏବଂ ଅନେକ ଚୁକ୍ତି ଅନୁମୋଦନ ହୋଇପାରେ । ଯାହା ପରେ ଆମେରିକା ଭାରତ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ବାଣ୍ଟିବ ଯେଉଁଥିରେ ସାଟେଲାଇଟ୍ ସହ ଅନ୍ୟାନ୍ୟ ସାମରିକ ତଥ୍ୟ ମଧ୍ୟ ସମିଲ ରହିଛି । ଏଥି ସହ ସ୍ଥାନୀୟ ତଥା ଆନ୍ତର୍ଜାତୀୟ, ରାଜନୈତିକ ଓ ସାମରିକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରାଯିବ।

ମଙ୍ଗଳବାର ଦିନ ଏହି ଦୁଇ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ, ଏହା ପରେ ଭାରତ ଏବଂ ଆମେରିକା ତରଫରୁ ମିଳିତ ବିବୃତ୍ତି ଜାରି କରାଯିବ । ଉଲ୍ଲେଖନୀୟ କଥା ହେଉଛି, ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକା ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଛି ଏବଂ କରୋନା କାରଣରୁ ବିଶ୍ୱର ଏଭଳି ପରିସ୍ଥିତି ପାଇଁ ଚୀନ୍ ହିଁ ଦାୟୀ କରିଛି ।

Leave a Reply