ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ପାକିସ୍ତାନ ପାଇଁ ଶହୀଦ !

Imran Khan calls Osama bin Laden 'Shaheed' in Pak National Assembly

କରାଚୀ: ପାକିସ୍ତାନର ଛତ୍ରଛାୟା ତଳେ ଆତଙ୍କବାଦ ବଢୁଥିବା କଥା ସମସ୍ତଙ୍କୁ ଜଣା । ସମୟ ସମୟରେ ପାକିସ୍ତାନର ଶାସକ ଆତଙ୍କବାଦ ସପକ୍ଷରେ ମନ୍ତବ୍ୟ ରଖି ବିବାଦ ଘେରକୁ ଆସନ୍ତି ।ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଶହୀଦ ବୋଲି ସମ୍ୱୋଧନ କରି ସମାଲୋଚିତ ହେଉଛନ୍ତି । ଇମ୍ରାନ ଖାଁ ପାକିସ୍ତାନୀ ସଂସଦରେ ଭାଷଣ ଦେବା ବେଳେ କଥା ପ୍ରସଙ୍ଗରେ ଏଭଳି କହିଛନ୍ତି ।

ନିଜ ଭାଷଣରେ ସେ କହିଥିଲେ ଯେ, ଆମେରିକାର ଆତଙ୍କବିରୋଧୀ ଅଭିଯାନରେ ଆମେ ପୂର୍ଣ୍ଣ ସହମତ ଦେଇ ଆସିଛୁ । ମାତ୍ର ଆମେରିକା କ୍ରମାଗତ ଭାବେ ପାକିସ୍ତାନକୁ ଆତଙ୍କବାଦୀଙ୍କ ସ୍ୱର୍ଗ ବୋଲି କହି ଆମର ଆତଙ୍କବାଦୀ ବିରାଧୀ ପ୍ରୟାସକୁ ନିରୁତ୍ସାହିତ କରୁଛି । ଆମ ବନ୍ଧୁରାଷ୍ଟ୍ର ଆମ ଅଜାଣତରେ ଆମ ଦେଶକୁ ଆସି ଏକ ଆତଙ୍କବାଦୀଙ୍କୁ ହତ୍ୟା କରୁଛି, ହେଲେ ଆମ ପାଖରେ ଖବର ମଧ୍ୟ ନାହିଁ । ଏହି ଭାଷଣ ମଧ୍ୟରେ ସେ  ଓସାମା ବିନ୍ ଲାଡେନଙ୍କ ପରିପ୍ରେକ୍ଷୀରେ ଆମେରିକା ତାଙ୍କୁ ଶହୀଦ କରିଦେଲା ବୋଲି କହିଛନ୍ତି । ଜଣେ ପାକିସ୍ତାନୀ ସାମ୍ୱାଦିକ ଏହି ଭିଡିଓ କ୍ଲିପକୁ ଟୁଇଟରରେ ପୋଷ୍ଟ କରିବା ପରେ ଇମ୍ରାନଙ୍କର ଓସାମା ବିନ୍ ଲାଡେନଙ୍କ ପ୍ରତି ଥିବା ସମ୍ୱେଦନଶୀଳ ମନୋଭାବ ଧରାପଡିଥିଲା । ତେବେ ଏହି ଘଟଣା ଇମ୍ରାନ ଓସାମାଙ୍କ ପ୍ରତି କୋମଳ ଆଭିମୁଖ୍ୟ ରଖିବାର ପ୍ରଥମ ଉଦାହରଣ ନୁହେଁ । ପୂର୍ବରୁ ଅନେକ ଥର ଏଭଳି ହୋଇ ସାରିଛି । ଇମ୍ରାନ ଓସାମାଙ୍କ ସମର୍ଥନରେ କଥା କହି ବିବାଦକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଓସାମା ବିନ୍ ଲାଡେନ୍ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ବି ସେ ଥିଲେ ।

Leave a Reply