କରୋନାକୁ ମାତ୍ ଦେଲା ପ୍ଲାଜମା ଥେରାପି: ରାଜ୍ୟର ପ୍ରଥମ ପ୍ଲାଜମା ନେଇଥିବା ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ

କଟକ: ରାଜ୍ୟରେ ସଫଳ ହୋଇଛି ପ୍ଲାଜମା ଥେରାପି । କରୋନାକୁ ମାତ୍ ଦେବା ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇଛି । କଟକରେ ଜଣେ ସଂକ୍ରମିତ ପ୍ଲାଜମା ଥେରାପିର ପ୍ରୟୋଗରେ ସୁସ୍ଥ ହୋଇଥିବା ସୂଚନା ରହିଛି । ତାଙ୍କୁ ଆଜି ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଦୀର୍ଘ ୫ଦିନ ଧରି କାଶ ଓ ଜ୍ୱରରେ ପୀଡ଼ିତ ହେବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଏହାପରେ ତାଙ୍କୁ ଆଠଗଡ଼ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । ଏହାପରେ ତାଙ୍କୁ ଗତ ୧୫ ତାରିଖରେ ପ୍ରଥମ କରି ବି ପ୍ଲସ ପ୍ଲାଜମା ଦିଆଯାଇଥିଲା । ୨ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା । ଏଥିସହ ଅକ୍ସିଜେନର ଆବଶ୍ୟକତା ପଡିନଥିଲା । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇଥିଲା । ୧୦ ଦିନର ଲଗାତାର ଚିକିତ୍ସା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।

ତେବେ ରାଜ୍ୟର ଗତ ୨୪ ଘଣ୍ଟାର ସଂକ୍ରମିତଙ୍କର ଜିଲ୍ଲାୱାରୀ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୩ ତାରିଖରେ ୧୫୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ହୋଇଥିବା ଏପର୍ଯ୍ୟନ୍ତର ସର୍ବାଧିକ ସଂକ୍ରମଣ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୬୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୫୨୭ । ତେବେ ସବୁଦିନ ଭଳି ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଛି ।

(ପ୍ରତୀକାତ୍ମକ ଚିତ୍ର)

୨୩ ତାରିଖ ସୁଧା ୧୨୬୪ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୦୯୯ରେ ପହଞ୍ଚିଛି । ୨୩ ତାରିଖରେ ୬୪୩ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ସଂଖ୍ୟା ୧୪ ହଜାର ୩୯୩ରେ ପହଞ୍ଚିଛି । ଯେତେବେଳେ କି ୧୧୪ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି, ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

 

Leave a Reply