ଚଳିତ ବର୍ଷ ହାଡ଼ଭଙ୍ଗା ଶୀତ, ‘ଲା ନିନା’ ପ୍ରଭାବରେ ଉପକୂଳରେ ବାତ୍ୟା ସମ୍ଭାବନା

Cold

ଭୁବନେଶ୍ୱର: ଚଳିତ ବର୍ଷ ହାଡ଼ଭଙ୍ଗା ଶୀତ ହେବ । ଏନେଇ ପାଣିପାଗ ବିଭାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଅକ୍ଟୋବର ଓ ନଭେମ୍ବରରେ ବାତ୍ୟା ଆସୁଛି । ବଙ୍ଗୋପସାଗର ଉପକୂଳରେ ବାତ୍ୟା ତାଣ୍ଡବ ରଚିବ । ବାତ୍ୟା ସହ ଏଥରର ହାଡ଼ଭଙ୍ଗା ଶୀତ, ଯାହାକି ଲୋକଙ୍କୁ ସମସ୍ୟାରେ ପକାଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତେବେ ବର୍ଷା ପରେ ଏଥର ଖୁବ୍‌ ଶୀଘ୍ର ଶୀତ ଆସିବ । ସାରା ଦେଶ ଏଥର ହାଡ଼ ଭଙ୍ଗା ଶୀତରେ ଥରହର ହେବ ବୋଲି ପୂର୍ବାନୂମାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏଥର ବହୁତ ଶୀଘ୍ର ଶୀତ ଆସିବା ସହ ଅଧିକ ଥଣ୍ଡା ରହିବ ବୋଲି ଅନୁମାନ କରିଛନ୍ତି । ବିଶେଷ କରି ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟରେ ଏବର୍ଷ ଭୟଙ୍କର ଥଣ୍ଡା ପଡ଼ିବ ।

ସେହିଭଳି ପ୍ରଶାନ୍ତ ମହାସାଗରରେ ସୃଷ୍ଟ ‘ଲା ନିନା’ ପ୍ରଭାବରେ ବଙ୍ଗୋପସାଗର ଉପକୂଳରେ ବାତ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ‘ଲା ନିନା’ ପ୍ରଭାବରେ ବଙ୍ଗୋପସାଗରେ ଜଳପତ୍ତନ ତାପମାତ୍ରା ଚାପରେ ତାରତମ୍ୟ ଦେଖାଦେବ, ଯାହା ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଥଣ୍ଡା ପବନ ପାଇଁ ‘ଲା ନିନା’ ଅନୁକୂଳ, କିନ୍ତୁ ‘ଏଲ୍ ନି ନୋ’ ଅନୁକୂଳ ନୁହେଁ । ପାଣିପାଗ ବିଭାଗ ଡିଜିଙ୍କ ଅନୁଯାୟୀ ରାଜସ୍ଥାନ, ୟୁପି ଏବଂ ବିହାର ହେଉଛି ସେହି ରାଜ୍ୟ ଯେଉଁଠାରେ ଶୀତଳ ପବନ ହେତୁ ଅଧିକ ମୃତ୍ୟୁ ଘଟିଥାଏ । ସେ ସୂଚନା ଦେଇଛନ୍ତି ଯେ ପ୍ରତିବର୍ଷ ନଭେମ୍ବରରେ ପାଣିପାଗ ବିଭାଗ ଦ୍ୱାରା ଏକ ଚାର୍ଟ ପ୍ରକାଶ ପାଇଥାଏ, ଯାହା ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ପାଗ ବିଷୟରେ ସୂଚନା ଦେଇଥାଏ ।

ଉଲ୍ଲେଖନୀୟ କଥା ହେଉଛି, ଲା ନିନା ଏକ ପ୍ରକ୍ରିୟା ଯାହାଦ୍ୱାରା ସମୁଦ୍ରର ପାଣି ଥଣ୍ଡା ହେବା ଆରମ୍ଭ କରେ । କହିବାର ମାନେ ହେଉଛି ସମୁଦ୍ର ଜଳ ପୂର୍ବରୁ ଥଣ୍ଡା ରହିଥାଏ, କିନ୍ତୁ ଏହି କାରଣରୁ ସମୁଦ୍ର ପାଣି ଅଧିକ ଥଣ୍ଡା ହୋଇଥାଏ । ଯାହାର ପ୍ରଭାବ ପବନକୁ ମଧ୍ୟ ପ୍ରଭାବିତ କରିଥାଏ । କିନ୍ତୁ ଏଲ୍ ନିନୋରେ, ଏହାର ବିପରୀତ ଘଟଣା ଘଟେ । ଉଭୟ କାର୍ଯ୍ୟ ସିଧାସଳଖ ଭାରତର ମୌସୁମୀ ଏବଂ ଶୀତ ରୂତୁକୁ ପ୍ରଭାବିତ କରିଥାଏ ।

ସେପଟେ ଓଡ଼ିଶାରେ ଲଘୁଚାପ ବର୍ଷା ଏବେ ତାଣ୍ଡବ କରୁଥିବା ବେଳେ, ପୁଣି ୧୯ରେ ଆସୁଛି ଆଉ ଏକ ଲଘୁଚାପ । କେନ୍ଦ୍ରୀୟ ବଙ୍ଗପୋସାଗରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ୧୯ରୁ ୨୧ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୦ରୁ ୨୧ ତାରିଖ ସକାଳ ଯାଏଁ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତିରେ ବର୍ଷା ହୋଇପାରେ। ଏନେଇ ଜଳ ସମ୍ପଦ ବିଭାଗ ଓ ମତ୍ସ୍ୟସମ୍ପଦ ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ।

Leave a Reply