ଓଟିଭିର ଜମି କେଳେଙ୍କାରୀ ମାମଲା: ଭାଙ୍ଗିଲା OTVର ବେଆଇନ ପାଚେରୀ

1 min read

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆକ୍ସନ୍ ମୋଡ୍‌ରେ ଜିଲ୍ଲା ପ୍ରଶାସନ । ସାରୁଅ ମହିଳା ବିକାଶ ସମିତି ନାଁରେ ବୁଲା ଯାଇଥିବା ପାଚେରୀକୁ ଭାଙ୍ଗୁଛି ପ୍ରଶାସନ । ପାଚେରୀ ବୁଲାଇ ଚାଷ ଜମି ଓ ପୋଖରୀକୁ ଅବରୋଧ କରାଯାଇଥିଲା । ପାଚେରୀ ଭାଙ୍ଗି ଜଳ ଅବରୋଧ ହଟାଇବା ତଥା ଚାଷ ଜମିକୁ ରାସ୍ତା ଖୋଲିବାକୁ ଉଦ୍ୟମ କରାଯାଇଛି । ଚାଷ ଜମି ଓ ପୋଖରୀକୁ ବାଟ ନଛାଡିବାରୁ ସ୍ଥାନୀୟ ଲୋକେ ନାହିଁନଥିବା ସମସ୍ୟା ଭୋଗୁଥିଲେ ।

ଜମିକୁ ପାଣି ଯାଇପାରୁନଥିବାରୁ ଚାଷ ବାସ କରିପାରୁନଥିଲେ । ଫଳରେ ଜମି ପଡିଆ ପଡିଥିଲା । ଏନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଖୋର୍ଦ୍ଧା ସାରୁଅ ମଲ୍ଲିକ ସାହିରେ ଗତ ଫେବୃଆରୀ ମାସରେ ମହିଳା ସମିତି କରିବାକୁ ସ୍ଥାନ ଚିହ୍ନଟ କରିଥିଲା ଜଗିଙ୍କ କମ୍ପାନୀ ଓଟିଭି ନେଟୱର୍କ ।

ପକ୍କା ରାସ୍ତା ସହ ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । କେବଳ ସେତିକି ନୁହେଁ, ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ଲୋଭ ଦେଖାଇଥିଲେ କମ୍ପାନୀର ଲୋକ। ହେଲେ ସମିତି ଘର ଛିଡ଼ା ହେବା ପରେ ତାଲା ପକାଇ ଦେଇଥିଲେ OTV କର୍ତ୍ତୃପକ୍ଷ । ଆଉ ଏହାପରେ ଉଠିଥିଲା ଷଡ଼ଯନ୍ତ୍ରର ପାଚେରୀ । ୩ଟି ଗାଁ ପୋଖରୀକୁ ଘେରାଉ କରାଯାଇଥିଲା ।

ଦିନେ ଗାଁ ଲୋକଙ୍କ ଲାଇଫ୍ ଲାଇନ୍ ପାଲଟିଥିବା ପୋଖରୀ ଲୋକଙ୍କ ପାଇଁ ଅଭିଶାପ ପାଲଟିଥିଲା । OTVର ନାଲି ଆଖି ପାଣି ଅଟକାଇଥିବା ଅଭିଯୋଗ ହୋଇଥିଲା । ଦୂଷିତ ପାଣି ପାଇଁ ଲୋକେ ରୋଗରେ ବି ଆକ୍ରାନ୍ତ ହେଉଥିଲେ । ଆଜି ପାଚେରି ଭଙ୍ଗାଯାଇ ପୋଖରୀ ଓ ଚାଷ ଜମିକୁ ବାଟ ଫିଟାଇଛି ପ୍ରଶାସନ ।

Leave a Reply