ଭାରତୀୟ ଜନସଞ୍ଚାର ସଂସ୍ଥାନରେ ଇ-ବକ୍ତୃତା : “ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ବୃଦ୍ଧି ହେବ”

1 min read

ଢେଙ୍କାନାଳ: ଶିକ୍ଷା କ୍ଷେତ୍ରରେ ବୈଷୟିକ ବିଦ୍ୟା ବା ଟେକ୍ନୋଲୋଜି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ତେବେ ଜଣେ ଭଲ ଶିକ୍ଷକର ସ୍ଥାନ କେବେ ବି ଟେକ୍ନୋଲୋଜି ନେଇପାରିବନି । କିନ୍ତୁ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ନିଶ୍ଚୟ ବୃଦ୍ଧି ହୋଇପାରିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର । ଶୁକ୍ରବାର ପୂର୍ବାହ୍ଣରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ପକ୍ଷରୁ ପଞ୍ଚମ ପ୍ରଫେସର କେ.ଏମ୍‍. ଶ୍ରୀବାସ୍ତବ ସ୍ମାରକୀ ଇ-ବକ୍ତୃତା ଅନୁଷ୍ଠିତ ହୋଇଛି । ଏଥିରେ ଯୋଗଦେଇ ପ୍ରଫେସର ମହାପାତ୍ର ‘ବୈଷୟିକ ବିଦ୍ୟାଭିତ୍ତିକ ଶିକ୍ଷାଦାନ: ଏହା କ’ଣ ଏକ ନୂଆ ଆଦର୍ଶାନୁଗତ’ ଉପରେ ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

କାରଣ, ବର୍ତ୍ତମାନର ଛାତ୍ରଛାତ୍ରୀ ଓ ଶିକ୍ଷାର୍ଥୀମାନେ ଡିଜିଟାଲ ଯୁଗର । ଅର୍ଥାତ୍‍, ସେମାନେ ପିଲାଦିନୁ ଡିଜିଟାଲ୍‍ ଟେକ୍ନୋଲୋଜିକୁ ଆପଣାଇ ନେଉଛନ୍ତି । ଏଣୁ ଏବେ ତଥା ଆଗାମୀ ଦିନରେ ବୈଷୟିକ ବିଦ୍ୟାଭିତ୍ତିକ ଶିକ୍ଷାଦାନର ଆଦର ରହିଛି । ତେବେ ୟା’ ମାନେ ନୁହେଁ ଯେ ଶିକ୍ଷକମାନଙ୍କ ଗୁରୁତ୍ୱ କମିଯିବ । ଏହା କେବେ ନୁହେଁ । କାରଣ ଟେକ୍ନୋଲୋଜି କେବଳ ଏକ ମାଧ୍ୟମ, ଏକ ବାହନ । ବରଂ ଏହାଦ୍ୱାରା ଶିକ୍ଷାର ଗୁଣାତ୍ମକ ମାନ ବଢ଼ିପାରିବ । ଯେହେତୁ ଟେକ୍ନୋଲୋଜିଭିତ୍ତିକ ଶିକ୍ଷାରେ କେବଳ ଶିକ୍ଷାର୍ଥୀ ନୁହେଁ, ତାଙ୍କ ପରିବାର ସଦସ୍ୟ, ବନ୍ଧୁ ମଧ୍ୟ ସାମିଲ ହୋଇପାରିବେ, ସେଥିପାଇଁ ଶିକ୍ଷକମାନେ ଅଧିକ ସଚେତନ ରହି ଶିକ୍ଷାଦାନ କରିବେ । ବିଷୟବସ୍ତୁ ପ୍ରସ୍ତୁତବେଳେ ପୂର୍ବାପେକ୍ଷା ଅଧିକ ଧ୍ୟାନ ଦେବେ । ଶିକ୍ଷକମାନେ ଅଧିକରୁ ଅଧିକ ପ୍ରସ୍ତୁତ ହୋଇ ଶିକ୍ଷାଦାନ କରିବେ । ଶିକ୍ଷାର୍ଥୀଙ୍କ ଦକ୍ଷତା ମଧ୍ୟ ବୃଦ୍ଧି ହେବ । ସେମାନେ ସିଧାସଳଖ ଶିକ୍ଷାଦାନ ପଦ୍ଧତିରେ ଅଂଶଗ୍ରହଣ କରିପାରିବେ ବୋଲି ପ୍ରଫେସର ମହାପାତ୍ର ମତବ୍ୟକ୍ତ କରିଛନ୍ତି ।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଧୀରେଧୀରେ ଡିଜିଟାଲ୍‍ ଟେକ୍ନୋଲୋଜି ମଣିଷର ଜୀବନଶୈଳୀରେ ଯୋଡ଼ି ହୋଇଯାଉଛି । ତେବେ ବର୍ତ୍ତମାନର କୋଭିଡ୍‍-୧୯ ସ୍ଥିତିରେ ଶିକ୍ଷା କ୍ଷେତ୍ରରେ ଏହା ହଠାତ୍‍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ଏବେ ସ୍କୁଲ୍‍, କଲେଜ ସବୁ ବନ୍ଦ, କ୍ଲାସ୍‍ ହେଉନି । ଏମିତି ଏକ ପରିସ୍ଥିତିରେ ଆମ ପାଖରେ ଦୁଇଟି ବିଳଳ୍ପ ରହିଛି । ଆଦୌ ଶିକ୍ଷା ନହେବା କିମ୍ବା ଟେକ୍ନୋଲୋଜିଭିତ୍ତିକ ଶିକ୍ଷା । ଏ ଦୁଇଟିରୁ ଟେକ୍ନୋଲୋଜିଭିତ୍ତିକ ଶିକ୍ଷା ବହୁତ ଭଲ । ସେହିଭଳି ପ୍ରଫେସର କେ.ଏମ୍‍. ଶ୍ରୀବାସ୍ତବଙ୍କ ଉପରେ ସେ କହିଛନ୍ତି, ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ତାଙ୍କର ବେଶ୍‍ ଅବଦାନ ରହିଛି । ଗଣମାଧ୍ୟମ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ଉପରେ ସେ ବେଶ୍‍ କେତୋଟି ଉପାଦେୟ ବହି ଲେଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ଆଇଆଇଏମ୍‍ସି, ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ ଇ-ବକ୍ତୃତା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଧନ୍ୟବାଦ ଦେଇଛନ୍ତି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।

Leave a Reply