ହୋମ୍ କ୍ୱାରଣ୍ଟାଇନରେ ନରହିବାରୁ IAS ଅଫିସରଙ୍କ ନାଁରେ ମାମଲା

1 min read

ଥିରୁଭନନ୍ଥପୁରମ: ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଦେଶରେ ୨୧ ଦିନିଆ ଲକ୍ ଡାଉନ୍ । ଲକ୍ ଡାଉନ୍ ସତ୍ତ୍ୱେ ଦିନକୁ ଦିନ ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏଯାବତ୍ ଦେଶରେ ୭୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହେଲାଣି । ସବୁଠୁ ଅଧିକ ପ୍ରଭାବିତ ହୋଇଛି କେରଳ ଓ ମହାରାଷ୍ଟ୍ର । କେରଳ ଶୁକ୍ରବାର ଦିନ ୧୨ଟା ସୁଦ୍ଧା କରୋନାରେ ୧୩୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ କୋଭିଡ୍-୧୯ ନିୟମକୁ ଉଲ୍ଲଂଘନ କରି ଫସିଛନ୍ତି ଜଣେ ଆଇଏଏସ୍ ଅଧିକାରୀ ।

କୋଲ୍ଲାମ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା IAS ଅଧିକାରୀ ଅନୁପମ ମିଶ୍ର ନିକଟରେ ହନିମୁନ୍ ସାରି ବିଦେଶରୁ ଫେରିଥିଲେ । ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । କିନ୍ତୁ, ସ୍ୱାସ୍ଥ୍ୟ ବିଭାଗର ନିୟମକୁ ଉଲ୍ଲଂଘନ କରି ଅଧିକାରୀ ଜଣଙ୍କ କ୍ୱାରେଣ୍ଟାଇନର ନରହିବା ସହ କେରଳ ଛାଡ଼ି ଅନ୍ୟତ୍ର ପଳାଇ ଯାଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କୋଲ୍ଲାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

IAS ଅଧିକାରୀ ଅନୁପମ ମିଶ୍ର ମାର୍ଚ୍ଚ ୧୯ରେ ମାଲେସିଆ-ସିଙ୍ଗାପୁର ଟ୍ରିପ୍ ସାରି ଫେରିଥିଲେ । ମେଡିକାଲ ପରୀକ୍ଷା ପରେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା । ତେବେ, ତାଙ୍କୁ ଓ ତାଙ୍କ ବ୍ୟକ୍ତିଗତ କର୍ମଚାରୀ, ଗନମ୍ୟାନଙ୍କୁ ଅବଜରଭେସନରେ ରଖାଯାଇଥିଲା । ତେବେ, ଅଧିକାରୀ ଜଣଙ୍କ କାହାକୁ କିଛି ନଜଣାଇ ନିୟମ ଭାଙ୍ଗି ବେଙ୍ଗଳୁରୁରେ ରହୁଥିବା ତାଙ୍କ ଭାଇଙ୍କ ପାଖକୁ ପଳାଇ ଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ତେବେ, ତାଙ୍କ ମୋବାଇଲକୁ ଟ୍ରେସ୍ କରିବା ପରେ ସେ ଉତ୍ତରପ୍ରଦେଶରେ ଥିବା ପୋଲିସ କହିଛି । ବଡ଼କଥା ହେଉଛି ଅଧିକାରୀ ଜଣଙ୍କ ଛୁଟି ନେଇ କାହାକୁ ଅବଗତ କରାଇ ନାହାନ୍ତି । ତାଙ୍କୁ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । IPC ଧାରା ୧୮୮ (ସରକାରୀ ଅଧିକାରୀଙ୍କ ଦ୍ୱାରା ନିୟମ ଅବମାନନା), ୨୬୯ (ଭାଇରସ୍ ସଂକ୍ରମଣ କରି ଲୋକଙ୍କ ଜୀବନକୁ କ୍ଷତି ପହଞ୍ଚାଇବା), ୨୭୧ (କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ)ରେ ମାମଲା ରୁଜୁ କରାଯାଇଛି । ତେବେ, ବଡ଼ କଥା ହେଉଛି କେରଳ କୋଲ୍ଲାମ ଜିଲ୍ଲାରୁ ବର୍ତ୍ତମାନ ଯାଏଁ କୋଭିଡ୍-୧୯ର କୌଣସି ପଜିଟିଭ୍ ମାମଲା ମିଳିନାହିଁ ।

Leave a Reply