ବାଉଁଶ ମଞ୍ଜି ପୋତୁଛି ଆଠଗଡ଼ ବନଖଣ୍ଡ, କମିବ ହାତୀ-ମଣିଷ ଲଢ଼େଇ

1 min read

କମିବ ହାତୀ – ମଣିଷ ଲଢ଼େଇ । ଖାଦ୍ୟ ପାଇବେ ଗଜରାଜ । ବାଉଁଶ ମଞ୍ଜି ପୋତୁଛି ଆଠଗଡ଼ ବନଖଣ୍ଡ । ବୋମା ଫିଙ୍ଗିଲେ ଉଠୁଛି ଗଛ । ତେବେ ବାରୁଦ ବୋମା ନୁହେଁ, ସାଳିଆ ବାଉଁଶ ଗଛ ପାଇଁ ମାଟି ବୋମା । ଏଥିରେ ମଞ୍ଜି ଖଞ୍ଜାଯାଇଛି । ହାତୀର ପ୍ରିୟ ଖାଦ୍ୟ ବାଉଁଶ ଜଙ୍ଗଲ ସୃଷ୍ଟି କରାଯାଉଛି । ମାଟି ବୋମାରୁ ଉଠୁଛି ମେଞ୍ଚାମେଞ୍ଚା ବାଉଁଶ ଗଛ । ଆଠଗଡ଼ ବନଖଣ୍ଡର ୩୮ ସଂରକ୍ଷିତ ଜଙ୍ଗଲରେ ଏପରି କରାଯାଉଛି । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଜଙ୍ଗଲରୁ ୧ କ୍ବିଣ୍ଟାଲ ବାଉଁଶ ମଞ୍ଜି ଆଣିଛି ଆଠଗଡ଼ ବନଖଣ୍ଡ । ଜୁଲାଇ- ଅଗଷ୍ଟ ମାସରେ ମଞ୍ଜି ବୁଣିଲେ ୬-୭ ମାସରେ ଲମ୍ବାଲମ୍ବା ବାଉଁଶ ଗଛ ଠିଆ ହୋଇଯାଏ ।

ଉର୍ବର ମାଟି, ଖତ ଓ ଗାମାକ୍‌ସିନ ଔଷଧ ମିଶାଇ ଚିକ୍କଣ ଭାବେ ଚକଟି ଗୋଲ ପିଣ୍ଡୁଳା କରାଯାଏ । ମାଟି ପିଣ୍ଡୁଳା ଭିତରେ ବିଶୋଧିତ ବାଉଁଶ ମଞ୍ଜିକୁ ପୁର ଭଳି ଦିଆଯାଇ ଶୁଖାଯାଏ । ଶୁଖିବା ପରେ ବୋମା ପରି ଜଙ୍ଗଲରେ ଫିଙ୍ଗାଯାଏ । ଯାହା ୧୫ ଦିନରେ ଗଜା ହୁଏ ।ଚନ୍ଦକାରୁ ଖାଦ୍ୟ ସନ୍ଧାନରେ ହାତୀପଲ ଆଠଗଡ଼ ଓ ଖୁଣ୍ଟୁଣି ଯାଆନ୍ତି । ସେଠାରେ ଖାଦ୍ୟ ନପାଇଲେ ଜନବସତି -ମୁହାଁ ହୁଅନ୍ତି । କେତେବେଳ ମଣିଷକୁ ଦନ୍ତା ଦଳିଦିଏ ତ ଆଉ କେବେ ହାତୀ ହୋଇଥାଏ ମଣିଷର ରୋଷର ଶିକାର । ଗତବର୍ଷ ଆଠଗଡ଼ ବନଖଣ୍ଡରେ ୯ କିଲେ ୫୦୦ ଗ୍ରାମ୍‌ ବାଉଁଶ ମଞ୍ଜି ପୋତା ଯାଇଥିଲା ।

Leave a Reply