Covishield Vaccine: କୋଭିସିଲ୍ଡ୍ କେତେ ସୁରକ୍ଷିତ ? କେତେ ରହିବ ଦାମ ? ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ପାର କରି ସାରିଛି । ଏହା ସହିତ କରୋନା ସୁସ୍ଥ ହାର ୯୬ ପ୍ରତିଶତ ହୋଇଛି । ଯାହା ଏକ ଭଲ ଖବର କାରଣ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି । ଯାହା ଆମେରିକା ଭଳି ଦେଶ ତୁଳନାରେ ଢେର କମ । ଏମିତିରେ ନୂଆ ବର୍ଷ ସହ ଟିକା ନୂଆ ଆଶା ଆଣିଛି । ଦେଶରେ ତିଆରି ହେଉଥିବା କୋଭିସିଲ୍ଡ ଭାରତକୁ କୋଭିଡ୍ ସୁରକ୍ଷା କବଚ ଯୋଗାଇ ଦେବ ବୋଲି ଆଶା କରାଯାଉଛି । ତେବେ ଏହି ଟିକା କେତେ ସୁରକ୍ଷିତ ଓ ଏହାର ମୂଲ୍ୟ କେତେ ରହିବ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଆସନ୍ତୁ ସେହି ସବୁ ପ୍ରଶ୍ନର ଉତ୍ତର ଜାଣିବା ।

କେମିତି ତିଆରି ହେଉଛି କୋଭିସିଲ୍ଡ ?

ସିରମ ଇନଷ୍ଟିଚ୍ୟୁଟ୍ ଅନୁସାରେ ଭ୍ୟାକ୍ସିନ୍ ତିଆରି ହେବା ପରେ ଏହାକୁ ଛୋଟ ଶିଶିରେ ଭର୍ତ୍ତି କରାଯାଇଥାଏ । ତା’ପରେ ଏହାର ପ୍ୟାକେଜିଂ ହୋଇଥାଏ । ଭ୍ୟାକ୍ସିନକୁ ଶିଶିରେ ଭର୍ତ୍ତି କରିବା ବେଳେ ଏହାକୁ ଧ୍ୟାନରେ ରଖାଯାଏ ଯେ, ଯେମିତି ଶିଶି ମଧ୍ୟକୁ ଟିକା ଛଡା ଆଉ କିଛି ଯିବ ନାହିଁ ।
କେଉଁଠି ରହିବ ଭ୍ୟାକ୍ସିନ୍ ?
ଲଜିଷ୍ଟିକ୍ କାରଣରୁ ଆରମ୍ଭରେ ଟିକା ପହଂଚିବାରେ ବିଳମ୍ବ ହେବ । ତେବେ ସବୁକିଛି ବ୍ୟବସ୍ଥିତ ହେବା ପରେ ଟିକା ସୁରୁଖୁରୁରେ ଲୋକଙ୍କ ପାଖରେ ପହଂଚିବ । ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କ ଅନୁସାରେ ଟିକାର ଡୋଜ୍ ଅନ୍ତିମ ଥର ପାଇଁ ଚେକ୍ ହେବା ପରେ ପ୍ୟାକ୍ କରି ଦିଆଯିବ । ତା’ପରେ ଏହାକୁ ବାକ୍ସରେ ବନ୍ଦ କରି ଡ୍ରାଏ ଆଇସ ସହ ରଖାଯିବ ।ଏହାପରେ ଫ୍ରିଜର ଟ୍ରକ୍ ଜରିଆରେ ଟିକାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ନିଜ ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ଟିକାକୁ ଟ୍ରକରୁ କୋଲ୍ଡ ଷ୍ଟୋରେଜକୁ ନିଆଯିବ ।

ଗୋଟିଏ ଶିଶିରେ ୧୦ ଡୋଜ୍

ପୁନାୱାଲାଙ୍କ ଅନୁସାରେ ଗୋଟିଏ ଶିଶିରେ ୧୦ ଡୋଜ୍ ରହିବ । ଶିଶି ଖୋଲା ଯିବାର ୪ରୁ ୫ ଘଣ୍ଟା ଭିତରେ ଏହାକୁ ବ୍ୟବହାର କରିବାକୁ ପଡିବ । ୧୦ ଡୋଜକୁ ୫ ଜଣ ବ୍ୟକ୍ତିଙ୍କୁ ଦିଆ ଯାଇ ପାରିବ । ଟିକା ଟ୍ରାଏଲ କାଳରେ କିଛି ବ୍ୟକ୍ତି ମୁଣ୍ଡବିନ୍ଧା ଓ ଜ୍ୱର ଅଭିଯୋଗ କରିଥିଲେ । ସାମାନ୍ୟ ଔଷଧ ଦ୍ୱାରା ଏହି ଲକ୍ଷଣର ଚିକିତ୍ସା ହୋଇଥିଲା । ପୁନାୱାଲାଙ୍କ ଅନୁସାରେ ଟିକାକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖା ଯାଇପାରିବ । ୧୦ ଦିନ ପର୍ଯ୍ୟନ୍ତ ଏହା ଖୋଲାରେ ରହିଲ ମଧ୍ୟ କିଛି ଅସୁବିଧା ନାହିଁ କିନ୍ତୁ ଆମେ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ଟିକାକୁ ଷ୍ଟୋର କରିବାକୁ ପରାମର୍ଶ ଦେଉଛୁ ବୋଲି ପୁନାୱାଲା କହିଛନ୍ତି ।

ନୂଆ ଷ୍ଟ୍ରେନ୍ ଉପରେ ମଧ୍ୟ ପ୍ରଭାବି କୋଭିସିଲ୍ଡ୍

ମିଡିଆ ରିପୋର୍ଟ ଅନୁସାରେ କୋଭିସିଲ୍ଡ ବ୍ରିଟେନରୁ ଆବିଷ୍କୃତ ନୂଆ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ପ୍ରଭାବି ରହିବ ବୋଲି ପୁନାୱାଲା କହିଛନ୍ତି । ତେବେ ସେ ଲୋକଙ୍କୁ ଦୁଇ ଡୋଜ୍ ମଧ୍ୟରେ କିଛି ଅନ୍ତର ରଖିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଅନୁସାରେ ପ୍ରଥମ ଡୋଜ ନେବାର ଦୁଇ ମାସ ପରେ ଦ୍ୱିତୀୟ ଡୋଜ୍ ନେଲେ ଅଧିକ ଲାଭ ମିଳିବ । ପୁରା ଲାଭ ପାଇଁ ଦୁଇଟି ଡୋଜ୍ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply