ସଚିନଙ୍କ ଘର ୱାପସୀ କେମିତି ହେଲା,ଜାଣନ୍ତୁ ଇନସାଇଡ୍ ଷ୍ଟୋରୀ..

ଜୟପୁର: ଶେଷରେ ରାଜସ୍ଥାନ ରାଜନୈତିକ ଡ୍ରାମାର ଅନ୍ତ ଘଟିଛି । ହୃଦୟ ମିଳୁ କି ନମିଳୁ କିନ୍ତୁ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପରସ୍ପରକୁ ଆଲିଙ୍ଗନ କରିବାର ସ୍କ୍ରିପ୍ଟ ଲେଖାସରିଛି । ଆଉ ସ୍କ୍ରିପ୍ଟ ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧି । ସଚିନ ଯେଉଁ ଦିନ ଦିଲ୍ଲୀ ଯାଇଥିଲେ ସେଦିନ ତାଙ୍କ ସହିତ ୨୫ ବିଧାୟକ ଥିଲେ । ଜୁଲାଇ ୧୨ ତାରିଖ ଦିନ ସଚିନ ପାଇଲଟ୍ ଅଶୋକ ଗହଲୋତ ସରକାର ପାଖରେ ସଂଖ୍ୟାବଳ ନାହିଁ ବୋଲି ଘୋଷଣା ମଧ୍ୟ କରିଦେଲେ । ଏମିତିକି ସେ କଂଗ୍ରେସ ସରକାରକୁ ଭାଙ୍ଗିବା ସଂକେତ ମଧ୍ୟ ଦେଇଥିଲେ ।

ପାଇଲଟ୍ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ । ତେଣୁ ସେ ବିଜେପି ସହ ମଧ୍ୟ ହାତ ମିଳାଇବାକୁ ପ୍ରସ୍ତୁତ ଥିଲେ । ସଚିନ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା କୁହାଗଲା । ଏହାରି ଭିତରେ କିନ୍ତୁ ଗୋଟିଏ ବଡ ଘଟଣା ଘଟିଲା ଯାହା ସଚିନଙ୍କୁ ବ୍ୟାକଫୁଟକୁ ନେଇ ଯାଇଥିଲା । ସଚିନଙ୍କ ତିନି ଜଣ ସାଥୀ ରୋହିତ ବୋହରା,ଦାନିଶ ଅବରାର ଓ ଚେତନ ଡୁଡି ଦିଲ୍ଲୀର ପଣ୍ଡାର ରୋଡ୍ ଥାନାକୁ ଯାଉଛୁ କହି ଜୟପୁର ଛୁ’ ମାରିଥିଲେ । ସେଠାରେ ସେମାନେ ଅଶୋକ ଗହଲୋତଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ । କହିଥିଲେ,ସଚିନ ବିଜେପି କୋଳରେ ବସିବାକୁ ଚାହୁଁଛନ୍ତି  । ତେଣୁ ଆମେ ତାଙ୍କୁ ଛାଡି ଆପଣଙ୍କ ପାଖକୁ ଆସିଲୁ । ଏହା ପରଠାରୁ ସବୁ ଖେଳ ବଦଳିବାକୁ ଲାଗିଲା । ସଚିନଙ୍କ ଖେଳ ଯଦି ବିଗିଡିଲା,ଅଶୋକ ଫ୍ରଣ୍ଟଫୁଟକୁ ଆସିଗଲେ । ରାଜନୀତିର ପୋଖତ ଖେଳାଳୀ ଅଶୋକ ସଚିନଙ୍କୁ ଚେକ୍ ମେଟ୍ କରିବାର କୌଣସି ମୌକା ଛାଡିଲେ ନାହିଁ ।

କଂଗ୍ରେସ ଏହି ଖବର ପ୍ରଚାର କରିବାରେ ଲାଗିଲା ଯେ, ସଚିନ ବିଜେପିରେ ସାମିଲ ହେଉଛନ୍ତି । ଏଥିପାଇଁ ସେ ଅମିତ ଶାହ ଓ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି । ଶେଷରେ ସଚିନଙ୍କୁ ଏହି ଖବରକୁ ଖଣ୍ଡନ କରିବାକୁ ପଡିଲା । ତାଙ୍କୁ ଆଗକୁ ଆସି କହିବାକୁ ପଡିଲା, ନାଁ ମୁଁ କଂଗ୍ରେସରେ ଅଛି । ବିଜେପିକୁ ଯାଉନି । କିନ୍ତୁ ତାଙ୍କ କୈଫତ ପଲିଟିକାଲ୍ ପ୍ଲାନକୁ ପୁଣି ସଜାଡି ପାରିନଥିଲା । ଯାହା କ୍ଷତି ହେବାର ଥିଲା ହୋଇସାରିଥିଲା । ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଏବେ ସଚିନଙ୍କ ପାଖରେ କମ ବିକଳ୍ପ ଥିଲା । କାରଣ ବସୁନ୍ଧରା ରାଜେ ନିରବ ଥିଲେ । ସେ ସଚିନଙ୍କ ବିଜେପି ଆଗମନକୁ ନେଇ ଅସହଜ ଥିଲେ ।

ପାଇଲଟଙ୍କ ଶ୍ୱସୁରଙ୍କ ଏଣ୍ଟ୍ରି

sachin with abdullha

ପାଇଲଟ ରାଗରେ ବିଜେପିର ନିକଟତର ହୋଇଥିଲେ । କିନ୍ତୁ ନା ଦିଲ୍ ମିଳିଥିଲା ନା ଡିଲ୍ ହୋଇଥିଲା । ଅଶୋକ ଗହଲୋତ ତାଙ୍କ ରାଜନୈତିକ ଶତ୍ରୁଥିଲେ । କଂଗ୍ରେସ ନୁହେଁ । ତେଣୁ ବିଜେପି ନିକଟତର ହୋଇ ମଧ୍ୟ ସେ କେବେ ବି କଂଗ୍ରେସକୁ ଛାଡିନଥିଲେ । ଏହାକୁ କଂଗ୍ରେସର ଶୀର୍ଷ ନେତୃତ୍ୱ ଠିକ୍ ବୁଝିଥିଲା । ତେଣୁ ଆରମ୍ଭ ହୋଇଥିଲା ମିଶନ ଘରୱାପସି । ଏଥିପାଇଁ ସଚିନଙ୍କ ଶ୍ୱଶୁରଙ୍କ ସହ ଯୋଗାଯୋଗ କରିଥିଲେ କଂଗ୍ରେସ ହାଇକମାଣ୍ଡ୍ । ପ୍ରିୟଙ୍କା ଗାନ୍ଧୀ ଏହି ଦାୟିତ୍ୱ ନେଇଥିଲା । ସଚିନଙ୍କ ଶ୍ୱସୁର ଓ ଶଳାଙ୍କ ସହ ଯୋଗାଯୋଗ କରିଥିଲେ ପ୍ରିୟଙ୍କା । ସଚିନଙ୍କ ଶ୍ୱସୁର ହେଉଛନ୍ତି  ଫାରୁକ ଅବଦୁଲା । ଧାରା ୩୭୦ ଉଛେଦ ପରଠାରୁ ବିଜେପି ଉପରେ ରକ୍ତଚାଉଳ ଚୋବାଉଥିବା ଫାରୁକ ଓ ତାଙ୍କ ପୁଅ ଉମର ଅବଦୁଲା ମଧ୍ୟ ସଚିନଙ୍କ ବିଜେପି ଶିବିରକୁ ଯିବା ନାପସନ୍ଦ କରୁଥିଲେ । ଏମିତି କରି ପ୍ରିୟଙ୍କା ସଚିନଙ୍କ ପାଇଁ ରାସ୍ତା ଖୋଲି ଦେଇଥିଲେ । ଏହାସହ ସଚିନ ପାଇଲଟଙ୍କ ମା ରମା ପାଇଲଟଙ୍କ ସହ ମଧ୍ୟ ପ୍ରିୟଙ୍କା ଯୋଗାଯୋଗ କରିଥିଲେ ।  ଗାନ୍ଧି ପରିବାର ସହ ପୁରୁଣା ଦିନର ସଂପର୍କ କଥା ରମାଙ୍କୁ ମନେ ପକାଇ ଦିଆଯାଇଥିଲା । ମାନେ କଂଗ୍ରେସ ହାଇକମାଣ୍ଡ ସଚିନଙ୍କୁ କଂଗ୍ରେସକୁ ଫେରାଇ ଆଣିବାକୁ  ପଲିଟିକାଲ କାର୍ଡ ସହ ଇମୋସନାଲ କାର୍ଡ ମଧ୍ୟ ଖେଳିଥିଲା ।

ସଚିନ ପରିବାରକୁ ନିଜ ରାଜନୈତିକ ଭବିଷ୍ୟତର ରୂପରେଖ କହି ବୁଝାସୁଝା କରିଥିଲେ ସତ କିନ୍ତୁ ତା’ପରଠାରୁ ସେ ଦୁର୍ବଳ ହୋଇଥିଲେ । ଏହମଧ୍ୟରେ ଅଶୋକ ଗହଲୋତ ନିଜ ଦୁର୍ଗର ସୁରକ୍ଷାକୁ ଅଧିକ କଡାକଡି କରିଥିଲେ । କଂଗ୍ରେସ ମଧ୍ୟ ସଚିନଙ୍କ ସହ କଥାବାର୍ତ୍ତାକୁ ଆଗକୁ ନେଇଥିଲା । ଦିପେନ୍ଦ୍ର ହୁଡା ରାହୁଲଙ୍କ ସହ କଥା ହୋଇ ସଚିନଙ୍କୁ ଦଳକୁ ଫେରାଇ ଆଣିବା ଦାୟିତ୍ୱ ନେଇଥିଲେ । ରାହୁଲ ମଧ୍ୟ ନିଜ ପୁରୁଣା ମିତ୍ର ଭଂବର ଜିତେନ୍ଦ୍ର ସିଂହଙ୍କୁ ପାଇଲଟଙ୍କୁ ବୁଝାଇବା ଦାୟିତ୍ୱ ଦେଇଥିଲେ ।

କଂଗ୍ରେସ ହାଇକମାଣ୍ଡ ସଚିନଙ୍କ ଘର ୱାପସି ଉଦ୍ୟମ କରୁଥିବା ବେଳେ ଅଶୋକ ଗହଲୋତ କିନ୍ତୁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ସେ ସଚିନଙ୍କ ବିରୋଧରେ ନିଜ ଭାଷାକୁ ଅତ୍ୟଧିକ ବିଶାକ୍ତ କରିବାରେ ଲାଗିଥିଲେ । ଗୋଟିଏ ପଟେ ଆଲୋଚନା ,ଆରପଟେ ଆକ୍ରମଣ । ଏମିତିରେ କିଛି ସମୟ ପାଇଁ ସଚିନଙ୍କ ସହ କଥାବାର୍ତ୍ତା ଡିରେଲ୍ ହୋଇଯାଇଥିଲା । କାରଣ ସଚିନଙ୍କୁ ଲାଗିଲା ଯେ, କଂଗ୍ରେସ ତାଙ୍କ ସହ ଗେମ୍ ଖେଳୁଛି । କିନ୍ତୁ ସତ ଏହା ମଧ୍ୟ ଥିଲା ଯେ, ସଚିନ ବି ତାଙ୍କ ଚାଲ୍ ଚଳାଉଥିଲେ । ସେ ବିଜେପିକୁ ଯିବାକୁ ମନରୁ ଚାହୁଁନଥିଲେ କିନ୍ତୁ ଅଶୋକ ଗହଲୋତଙ୍କ ପ୍ରତି ତାଙ୍କ ଘୃଣା ତାଙ୍କୁ ବିଜେପି ଆଡକୁ ଟାଣିଥିଲା । ଏମିତିରେ କଂଗ୍ରେସ ହାଇକମାଣ୍ଡଙ୍କୁ ଅଶୋକଙ୍କୁ ଲଗାମ ଲଗାଇବାକୁ ପଡିଥିଲା ।

 ସଚିନଙ୍କ ବନ୍ଧୁ ମଧ୍ୟ ଆଲୋଚନାରେ ସାମିଲ ଥିଲେ

ଏହାମଧ୍ୟରେ କଂଗ୍ରେସ ନେତା କପିଲ ସିବ୍ବଲଙ୍କ ଟ୍ୱିଟ୍ ଆସିଲା । ଯେଉଁଥିରେ ସେ କହିଥିଲେ,ଅସ୍ତବଲରୁ ସବୁ ଘୋଡା ଚାଲିଗଲା ପରେ କଣ କଂଗ୍ରେସ ନିଦରୁ ଉଠିବ ? କୁହାଯାଉଛି ଯେ, ଏହାପରେ ପ୍ରିୟଙ୍କା କପିଲଙ୍କୁ ଯୋଗାଯୋଗ କରିଥିଲେ । ଆଉ କହିଥିଲେ,ଆପଣ ତାଙ୍କ ସହ କଥା ହୁଅନ୍ତୁ । କିନ୍ତୁ ଏସବୁ ଭିତରେ ସଚିନ କଂଗ୍ରେସ ନେତାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ଏଥର ସଚିନଙ୍କ ସହ ପୁଣି ସଂପର୍କ ସ୍ଥାପନ ପାଇଁ ଗାନ୍ଧି ପରିବା କିର୍ତ୍ତି ଚିଦାମ୍ବରମଙ୍କୁ ଧରିଥିଲା । କାରଣ କିର୍ତ୍ତି ଚିଦାମ୍ବରମ ସଚିନଙ୍କ ପୁରୁଣା ମିତ୍ର । ରାଜନୀତିକୁ ଆସିବା ପୂର୍ବରୁ ଉଭୟ ମିଶିକରି ଗୋଟିଏ ମେଡିକାଲ କଂପାନୀ ଖୋଲିଥିଲେ

କିର୍ତ୍ତି ସଚିନଙ୍କ ସହ କଥା ହେବା କାଳରେ ହିଁ ଅଶୋକ ଗହଲୋତ ପୁଣିଥରେ ତାଙ୍କ ହମଲା ତୀବ୍ର କରିଥିଲେ । ଏହା ସହ ସେ ଗୋଟିଏ ଅଡିଓ ସିଡି ମଧ୍ୟ ଲିକ୍ କରିଥିଲେ । କଥାବାର୍ତ୍ତା ପୁଣିଥରେ ଭାଙ୍ଗି ଯାଇଥିଲା । ଏସବୁ ଭିତରେ ସଚିନ ପାଇଲଟ୍ ଦୁର୍ବଳ ହେବାକୁ ଲାଗିଥିଲେ । ତାଙ୍କ ସମର୍ଥକଙ୍କ ମଧ୍ୟରେ ବି ସନ୍ଦେହ ସୃଷ୍ଟି ହୋଇଥିଲା । ସରକାର ବଂଚିବ କି ଭାଙ୍ଗିବ ଏହାକୁ ନେଇ ସଚିନଙ୍କ ସମର୍ଥକ ସନ୍ଦିହାନ ହୋଇପଡିଥିଲେ ।  ବହୁଜନ ସମାଜ ପାର୍ଟି ବିଧାୟକଙ୍କ ଭୋଟିଂ ଅଧିକାର ଉପରେ ବ୍ୟାନ୍ ଲାଗିବାରେ ହିଁ ସରକାର ବଂଚିବା କିମ୍ବା ଭାଙ୍ଗିବା ନିର୍ଭର କରୁଥିଲା  ।  ବିଜେପି ସଚିନଙ୍କୁ ବିଏସପି ବିଧାୟକଙ୍କୁ ନେଇ ଆଶ୍ୱାସନା ଦେଇଥିବା କୁହାଯାଉଛି । କିନ୍ତୁ ଏହା ମଧ୍ୟ କୁହାଯାଉଛି ଯେ, ନିଷ୍ପତି ବିଜେପି ପକ୍ଷରେ ଆସିବ ବୋଲି ମଧ୍ୟ ବିଜେପି କୌଣସି ଗ୍ୟାରେଣ୍ଟି ଦେଇନଥିଲା ।

ଗତ ରବିବାର ଦିନ ପୁଣିଥରେ ଗାନ୍ଧି ପରିବା ଅବଦୁଲା ପରିବାର ଜରିଆରେ ସଚିନଙ୍କ ସହ ସଂପର୍କ ସ୍ଥାପନ କରିଥିଲା । ଅଶୋକ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ବନ୍ଦ କରିବାକୁ ସ୍ପଷ୍ଟ ଭାବେ କୁହାଗଲା । ଏବେ ସଚିନ୍ ନିଜ ବନ୍ଧୁ ଓ ପରିବାର ଜରିଆରେ କଂଗ୍ରେସକୁ ସମ୍ମାନଜନକ ପ୍ରତ୍ୟାବର୍ତ୍ତନର ରାସ୍ତା ଖୋଜୁଥିଲେ ।

ମାନୁ ନଥିଲେ ଅଶୋକ

sachin vs ashok

ରାଜସ୍ଥାନରେ ତୃତୀୟ ମୋର୍ଚ୍ଚାର କୌଣସି ରାଜନୈତିକ ଭବିଷ୍ୟ ନାହିଁ । ଏଣେ ବିଜେପି ସହ ମନ ମିଶୁନଥିଲା । ତେଣୁ ସଚିନ କଂଗ୍ରେସକୁ ଫେରିବା ପାଇଁ ମନସ୍ଥିର କରିସାରିଥିଲେ । ତେବେ ସେ ଚାହୁଁଥିଲେ ସମ୍ମାନଜନକ ପ୍ରତ୍ୟାବର୍ତ୍ତନ ।  ଅଗଷ୍ଟ ୯ କ୍ରାନ୍ତି ଦିବସରେ ସେ କଂଗ୍ରେସକୁ ଫେରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।  ସେହିଦିନ କଂଗ୍ରେସର ଫାଷ୍ଟ ଫ୍ୟାମିଲି ସହ ସାକ୍ଷାତ ପରେ ରାଜନୈତିକ ଘଟଣାକ୍ରମ ଉପରେ ଯବନିକା ଟାଣିବା ଥିଲା ସଚିନଙ୍କ ଉଦ୍ଦେଷ୍ୟ । କିନ୍ତୁ ପୁରା ଦିନ ରାଜନୈତିକ ସୌଦାବାଜୀରେ କଟିଥିଲା । ଏଣେ କଂଗ୍ରେସ ହାଇକମାଣ୍ଡଙ୍କ ଅଶୋକଙ୍କୁ ଶକ୍ତ ନିର୍ଦ୍ଦେଶ ଜାରି କରିଥିଲେ । ସଚିନଙ୍କ ଉପରେ ଅଧିକ ଆକ୍ରମଣକୁ ହାଇକାଣ୍ଡ ପସନ୍ଦ କରୁନାହାନ୍ତି ।  ଏହାସହ ଅଶୋକ ଗହଲୋତଙ୍କୁ ତତ୍କାଳିକ ରାଜନୈତିକ ଫାଇଦା ଅପେକ୍ଷା ଦଳର ଦୀର୍ଘକାଳୀନ ସ୍ୱାର୍ଥକୁ ଦେଖିବାକୁ କୁହାଯାଇଥିଲା । ଅର୍ଥାତ ଗହଲୋତଙ୍କୁ ବୁଲେଇ ବଙ୍କେଇ କୁହାଯାଇଥିଲା ଯେ, ଦଳ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେବ । ଏବେ ଅଶୋକଙ୍କ ପାଖରେ ଦଳର ଆଦେଶ ମାନିବା ଛଡା ଅନ୍ୟ ବାଟ ନଥିଲା ।

ଅଶୋକ ଗହଲୋତ ସଚିନଙ୍କୁ ନେଇ ମନସ୍ଥିର କରିପାରୁନଥିଲେ କିନ୍ତୁ ପ୍ରିୟଙ୍କା ଆଗକୁ ବଢିବା ପାଇଁ ନିଷ୍ପତି ନେଲେ । ସେ ସଚିନଙ୍କୁ ସାକ୍ଷାତକାର ପାଇଁ ନିମନ୍ତ୍ରଣ ଦେଇଥିଲେ । ସଚିନ,ରାହୁଲଙ୍କ ଘରେ ପହଂଚିଥିଲେ । ଏହାସହ ନିଜ ସମର୍ଥକଙ୍କୁ ବୁଝାଇଥିଲେ ଯେ, ଯଦି ସରକାର ଭାଙ୍ଗି ପାରୁନେ ତେବେ ଫାଲତୁ ଝଗଡା କରି ଲାଭ ନାହିଁ । ଆପଣ ମାନଙ୍କ ପାଇଁ ସମ୍ମାନଜନକ ସ୍ଥାନ ଲାଗି ମୁଁ କଂଗ୍ରେସ ହାଇକମାଣ୍ଡ୍ ସହ ଆଲୋଚନା କରିବି । ଏମିତି କହି ସଚିନ ନିଜ ସମର୍ଥକଙ୍କୁ ବୁଝାଇଥିଲେ ।

ଆଲୋଚନାରେ କ’ଣ ହେଲା ?

sachin priyanka

କୁହାଯାଉଛି ଯେ, ଦୁଇ ବନ୍ଧୁ ରାହୁଲ ଓ ସଚିନ ପରସ୍ପର ଆଗରେ ନିଜ ନିଜ ଅଭିଯୋଗ ରଖିଥିଲେ । ପ୍ରିୟଙ୍କା ମଧ୍ୟ ଆଲୋଚନା କାଳରେ ଉପସ୍ଥିତ ଥିଲେ । ସେ ସଚିନଙ୍କୁ କହିଥିଲେ ଯେ,‘ ଯେଉଁ ପାର୍ଟି ଆପଣଙ୍କୁ ଏତେ ଦେଇଛି ତାକୁ କେମିତି ଛାଡିବା କଥା କହୁଛନ୍ତି ? ଉତ୍ତରରେ ସଚିନ କହିଥିଲେ ‘‘ଯେତେବେଳେ ଉପ ମୁଖ୍ୟମନ୍ତ୍ରୀ କରି ଆପଣ ପଠାଇଥିଲେ ସେତେବେଳେ କହିଥିଲେ ମିଶିକରି ସରକାର ଚଳାଇବେ । କିନ୍ତୁ ସେଠାରେ ମୋ ସ୍ଥିତି କେବଳ ଜଣେ ସାଧାରଣ ବିଧାୟକ ହୋଇ ରହିଗଲା’’

ଏହାପରେ ତିନି ଜଣଙ୍କ ମଧ୍ୟରେ ଅନେକ କଥା ହୋଇଥିଲା । ଏହା ଭିତରେ ଉଭୟ ପରିବାରର ସଂପର୍କ ବାବଦରେ ବି ଆଲୋଚନା ହୋଇଥିଲା । ଭାବନାତ୍ମକ ସଂପର୍କକୁ ନେଇ ଅନେକ ସମୟ ଆଲୋଚନା ହୋଇଥିଲା ।

ଶେଷରେ ଏହା ନିର୍ଧାରିତ ହୋଇଥିଲା ଯେ, କିଛି ଦିନ ଅପେକ୍ଷା କରିବାକୁ ପଡିବ । ସଚିନଙ୍କ ଅଭିଯୋଗକୁ ରାହୁଲ ଓ ପ୍ରିୟଙ୍କା ଗ୍ରହଣ କରିଥିଲେ । କିନ୍ତୁ କହିଥିଲେ ଯେ, ଯଦି ତୁରନ୍ତ ତାଙ୍କ ଦାବିକୁ ମାନି ନିଆଯାଏ ତେବେ ପଂଜାବରୁ ଛତିଶଗଡ ଓ ମହାରାଶ୍ଟ୍ରରେ ମଧ୍ୟ ବିଦ୍ରୋହର ନିଆଁ ଜଳିବ । ତେଣୁ ସଚିନଙ୍କୁ ଅପେକ୍ଷା କରିବାକୁ କୁହାଗଲା । ସଚିନଙ୍କୁ କୁହାଗଲା ଯେ, କିଛିଦିନ ଅପେକ୍ଷା କରନ୍ତୁ  । ଆମେ ଆପଣଙ୍କ ପାଇଁ କଂଗ୍ରେସରେ ସମ୍ମାନଜନକ ସ୍ଥାନ ତିଆରି କରିବୁ ଓ ଏହା ସହିତ ଆପଣଙ୍କ ବିଧାୟକଙ୍କ ମାନ ସମ୍ମାନ ରଖିବୁ ।

ଏହାସହ ଏହି ନିଷ୍ପତି ନିଆଯାଇଥିଲା ଯେ, ପ୍ରିୟଙ୍କା ସଚିନଙ୍କ ସମର୍ଥକ ବିଧାୟକଙ୍କ ସହ ମଧ୍ୟ ସାକ୍ଷାତ କରିବେ  । ଯେମିତି ସେମାନଙ୍କୁ ଲାଗିବ ନାହିଁ ଯେ,ତାଙ୍କ ଯୁବନେତା ଖାଲି ହାତରେ ଆତ୍ମସମର୍ପଣ କରି ଦିଲ୍ଲୀରୁ ଫେରି ଆସିଲା । ତେବେ ଏହା ସହଜ ନୁହେଁ । କାରଣ ଅଶୋକ ଗହଲୋତଙ୍କ ସମର୍ଥକ କହୁଛନ୍ତି ଯେ, ବାଧ୍ୟ ହୋଇ ସଚିନ ଫେରିଛନ୍ତି । ତାଙ୍କୁ କୌଣସି ପ୍ରତିଶ୍ରୁତି ଦିଆଯାଇନି ।

ଦିଲ୍ ମିଳିନି କିନ୍ତୁ ଡିଲ୍ ହୋଇଛି

ଅଶୋକ ଓ ସଚିନଙ୍କ ଦିଲ୍ ମିଳିନି ସତ କିନ୍ତୁ କଂଗ୍ରେସକୁ ଏମିତି ଗୋଟେ ଡିଲ୍ ମିଳିଛି ଯାହା ଦ୍ୱାରା ଏହା ନିଜର ଘର ସଜାଡି ପାରିଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ପରସ୍ପରକୁ ଆଲିଙ୍ଗନ କରିବେ ଏଥିରେ ସନ୍ଦେହ ନାହିଁ । କିନ୍ତୁ କଂଗ୍ରେସକୁ ନିଜ ରାଜନୈତିକ ଅସ୍ତିତ୍ୱ ବଂଚାଇବା ପାଇଁ ଏହାଠାରୁ ଭଲ ଡିଲ୍ ନିଶ୍ଚିତ ଭାବେ ମିଳିନଥାନ୍ତା । ତେବେ ସତ ହେଲା ଦୁଇ ନେତାଙ୍କ ରାଜନୈତିକ ଅହଂ ଏତେ ବଡ ଯେ,ଏହାକୁ କେବଳ ଯୁଦ୍ଧ ବିରାମ କୁହାଯାଇ ପାରିବ । ସ୍ଥାୟୀ ଶାନ୍ତି ହୁଏତ ଏବେ କଂଗ୍ରେସ ଭାଗ୍ୟରେ ନାହିଁ ।

Leave a Reply