ଜାଣନ୍ତୁ କେମିତି ଗୋଟିଏ ମହାମାରୀ ଆମେରିକାକୁ କରିଥିଲା ସୁପର ପାୱାର

କରୋନା ମହାମାରୀକୁ ନେଇ ବିଶ୍ୱ ଭୟଭୀତ ଅଛି । ଏହି ମହାମାରୀ ବିଶ୍ୱ ବ୍ୟବସ୍ଥାକୁ ବଦଳାଇ ଦେବ ବୋଲି କୁହାଯାଉଛି । କୁହାଯାଉଛି ଯିଏ ପ୍ରଥମେ କରୋନାର ଭ୍ୟାକ୍ସିନ୍ ତିଆରି କରିବ ସେ ବିଶ୍ୱ ଉପରେ ରାଜ୍ କରିବ । ଏମିତିରେ ବିଶ୍ୱ ଇତିହାସରେ ଏଭଳି ଅନେକ ଉଦାହରଣ ରହିଛି,ଯେତେବେଳେ ଗୋଟିଏ ଗୋଟିଏ ମହାମାରୀ ବିଶ୍ୱକୁ ବଦଳାଇ ଦେଇଛି । ଆଜି ଆମେରିକା ବିଶ୍ୱର ମହାଶକ୍ତି । କିନ୍ତୁ ଇତିହାସ କୁହେ ଯେ, ଗୋଟିଏ ମହାମାରୀ ପରେ ଆମେରିକା ସୁପର ପାୱାର ଭାବେ ଉଭା ହୋଇଥିଲା । ଆସନ୍ତୁ ଜାଣିବା କ’ଣ ଥିଲା ସେହି ମହାମାରୀ ,ଯାହା ଆମେରିକାକୁ ମହାଶକ୍ତିରେ ପରିଣତ କରିଥିଲା..

୧୮୦୧

କାହାଣୀର ଆରମ୍ଭ ୧୮୦୧ରେ ହୁଏ । ନେପୋଲିୟନ ଆମେରିକା ନିକଟରେ ଥିବା ଗୋଟିଏ ଛୋଟ ଦେଶ ହାଇତି ଉପରେ ଅଧିକାର ପାଇଁ ଏକ ବିଶାଳ ସେନା ପଠାଇଥିଲେ । କିନ୍ତୁ ସେଠାର ୟେଲୋ ଫିଭର ଦ୍ୱାରା ପୀଡିତ ହୋଇ ତାଙ୍କ ସେନାର ୮୦ ପ୍ରତିଶତ ସୈନିକ ପ୍ରାଣ ହରାଇଲେ । ଏମିତିକି ସେନାପତି ମଧ୍ୟ ବଂଚିପାରିଲେନି । ବାକି ସୈନିକ ଫ୍ରାନ୍ସ ଫେରିଗଲେ । ଏବେ ପ୍ରଶ୍ନ ଉଠିବ, ନେପୋଲିୟନଙ୍କର ହାଇତିକୁ ନେଇ ଏତେ ରୁଚି କାହିଁକି ଥିଲା ଓ ଆମେରିକାର ଏହା ଦ୍ୱାରା କି ଲାଭ ହେଲା?

france army

ଏହା ପଛରେ ଗୋଟିଏ ବଡ ହିସାବ କାମ କରୁଥିଲା । ସେତେବେଳେ ଦାସତ୍ୱ ପ୍ରଥା ଚରମରେ ଥିଲା । କୃଷ୍ଣକାୟଙ୍କୁ ଆଫ୍ରିକାରୁ ଦାସ ଭାବେ ଆଣି ୟୁରୋପୀୟ ଓ ଆମେରିକା ମାଗଣାରେ କାମ କରାଉଥିଲେ । ଆମେରିକାରେ ଦାସଙ୍କୁ ବଡ ବଡ ଫାର୍ମ ଚାଷ କରିବାରେ ବ୍ୟବହାର କରାଯାଉଥିଲା । ସେହି ସମୟରେ  ହାଇତିର ସେଣ୍ଟୋ ଡାମିଂଗୱେ ଉପରେ ଫ୍ରାନ୍ସ କବଜା କରିଥିଲା । ହାଇତିରେ କଫି ଓ ଚିନି ପ୍ରଚୁର ପରିମାଣରେ ଅମଳ ହେଉଥିଲା । ଫ୍ରାନ୍ସ ଯାହାକୁ ୟୁରୋପରେ ବିକ୍ରି କରି ଲାଭ କମାଉଥିଲା । କିନ୍ତୁ ଏହାରି ଭିତରେ କୃଷ୍ଣକାୟ ବିଦ୍ରୋହ କରିଥିଲେ । ୧୭୯୧ରେ ଫ୍ରାନ୍ସ ବାଧ୍ୟ ହୋଇ ଦାସତ୍ୱ ପ୍ରଥାକୁ ବେଆଇନ୍ କରିଥିଲା । ତେବେ ଏହାକୁ ନେଇ ଫ୍ରାନ୍ସର ଧନିକ ଶ୍ରେଣୀ ଅସନ୍ତୁଷ୍ଟ ଥିଲେ ।

nepolian

 

୧୮୦୧ରେ ନେପୋଲିୟନ ପାଖାପାଖି ୮୫ ହଜାର ସୈନିକଙ୍କୁ ହାଇତି ପଠାଇଥିଲେ । ଫ୍ରାନ୍ସ ସେନା ବିଦ୍ରୋହୀଙ୍କ ନେତା ଟାସେଣ୍ଟଙ୍କୁ ଗିରଫ କରିଥିଲା । ତାଙ୍କୁ ଗୁପ୍ତ ଭାବେ ଅନ୍ୟତ୍ର ପଠାଯାଇଥିଲା । ଫ୍ରାନ୍ସରେ ବିଦ୍ରୋହୀ ନେତାଙ୍କ ଜେଲରେ ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ବିଦ୍ରୋହୀ ନିଜ ଗିରଫଦାରୀକୁ ନେଇ ଚିନ୍ତିତ ନଥିଲେ । କାରଣ ସେ ଜାଣିଥିଲେ ଫରାସୀ ସେନାର କ’ଣ ହେବାକୁ ଯାଉଛି ।

slave trade

ପ୍ରତିବର୍ଷ ବର୍ଷା ଋତୁରେ ହାଇତିରେ ୟେଲୋ ଫିଭର ଆସେ । ଯେଉଁଥିରେ ଲୋକ ପୋକମାଛି ଭଳି ମରନ୍ତି । ଫରାସୀ ସେନା ମଧ୍ୟ ସେହି ୟେଲୋ ଫିଭରର ଶିକାର ହେଲେ । ୮୦ ପ୍ରତିଶତ ସୈନିକ ମରିବା ପରେ ନେପୋଲିୟନଙ୍କୁ ହାଇତି ଛାଡିବାକୁ ପଡିଲା ।

ଏହାପରେ ସ୍ପେନ୍ ଲୁଇସିଆନାକୁ ଫ୍ରାନ୍ସକୁ ଦେଇଥିଲା । ଫଳରେ ଆମେରିକାର କିଛି ଅଂଚଳ କିଛି ବର୍ଷ ପାଇଁ ଫ୍ରାନ୍ସ ଅଧିନକୁ ଆସିଥିଲା । ସେତେବେଳେ ଆମେରିକା ରାଷ୍ଟ୍ରପତି ଥୋମାସ ଜେଫରସନ,ଫ୍ରାନ୍ସଠାରୁ ନ୍ୟୁ ଓରେଲନ୍ସ ପୁଣି କ୍ରୟ କରିବା ପାଇଁ ପ୍ରସ୍ତାବ ରଖିଲେ । ନେପୋଲିୟନ ଏତେଦୁରରେ ଉପନିବେଶ କିମ୍ବା ସୈନିକ ରଖିବାକୁ ଚାହୁଁନଥିଲେ,ତେଣୁ ସେ ଆମେରିକାକୁ ପାଲଟା ପ୍ରସ୍ତାବ ଦେଲେ । ପ୍ରସ୍ତାବ ଥିଲା ଆମେରିକା ଚାହିଁଲେ କିଛି ଅର୍ଥ ଦେଇ ସମ୍ପୂର୍ଣ୍ଣ ଲୁଇସିଆନା କଲୋନିକୁ କିଣି ନେଉ । ୧୮୦୩ରେ ଆମେରିକା ଫ୍ରାନ୍ସଠାରୁ ମାତ୍ର ୧୫ ମିଲିୟନ ଡଲାରରେ ଲୁଇସିଆନା କିଣିଥିଲା ।

slave

ଏହାପରେ ଆମେରିକା ତା’ର ସୀମା ବଢାଇଥିଲା । ଟେକ୍ସାସ ଓ କାର୍ଲିଫର୍ଣ୍ଣିଆକୁ ଆମେରିକା ନିଜ ସୀମାରେ ସାମିଲ କରିଥିଲା । ପ୍ରଶାନ୍ତ ଓ ଆଟଲାଣ୍ଟିକ ମହାସାଗର ଦ୍ୱାରା ଘେରି ରହିଥିବାରୁ ଆମେରିକା ବାହ୍ୟ ଆକ୍ରମଣକାରୀଙ୍କ  ହାତ ପାହନ୍ତାରୁ ଦୁରରେ ଥିଲା । ତେଣୁ ଆମେରିକା ବିନା ବାହ୍ୟ ଆକ୍ରମଣର ଶିକାର ହୋଇ ଆର୍ଥିକ ଉନ୍ନତି କରିବାରେ ଲାଗିଲା ।

jaferson

ଆମେରିକା ଉପରେ ପ୍ରଥମ ବଡ ଧରଣର ଆକ୍ରମଣ ପାଖାପାଖି ୧୪୦ ବର୍ଷ ପରେ ଜାପାନ କରିଥିଲା । ତେଣୁ ଅନେକ କୁହନ୍ତି ଆମେରିକାକୁ ସୁପରପାୱାର ଗୋଟିଏ ମହାମାରୀ କରିଥିଲା । ମହାମାରୀ ଯଦି ଫ୍ରାନ୍ସକୁ ତଳିତଳାନ୍ତ କରିନଥାନ୍ତା ତେବେ ଆମେରିକା ବିଶ୍ୱର ମହାଶକ୍ତି ବନିନଥାନ୍ତା ।

ୟେଲୋ ଫିଭର କ’ଣ ?

ଗୋଟିଏ ବିଶେଷ ପ୍ରଜାତିର ମଶା ଇଡିସ୍ ଇଜିପ୍ଟିଆଇ ଦ୍ୱାରା ୟେଲୋ ଫିଭର ବା ପିତ ଜ୍ୱର ହୋଇଥାଏ । ଏହା ଭାଇରାଲ ରୋଗ । ଯାହାଦ୍ୱାରା ଶରିରର ସବୁ ଅଙ୍ଗ ପ୍ରଭାବିତ ହୋଇଥାଏ । ଜ୍ୱର,ଜୋରରେ ମୁଣ୍ଡବିନ୍ଧା,ଆଭ୍ୟନ୍ତରୀଣ ରକ୍ତସ୍ରାବ ଏହାର ଲକ୍ଷଣ । ଏହାଦ୍ୱାରା ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୦ ପ୍ରତିଶତ ପ୍ରାଣ ହରାଇଥାନ୍ତି । ଏହାର ଟିକା ରହିଛି । ଏହା ଦକ୍ଷୀଣ ଆମେରିକା,ପଶ୍ଚିମ ଭାରତ,ପଶ୍ଚିମ ଆଫ୍ରିକାର ଦେଶରେ ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଏଭଳି ସ୍ଥାନକୁ ଯାତ୍ରା ପୂର୍ବରୁ ଏହାର ଟିକା ନିଆଯାଇଥାଏ ।

Leave a Reply