ଜଳବନ୍ଦୀ ଓଡ଼ିଶା… କେମିତି ଚାଲିଛି ଉଦ୍ଧାର କାର୍ଯ୍ୟ ?

ଭୁବନେଶ୍ୱର: ବର୍ଷା ପରେ ରାଜ୍ୟରେ ବନ୍ୟାର ବିଭୀଷିକା । ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ସବୁ ନଦୀର ଜଳସ୍ତର ରହିଛି ବିପଦ ସଂକେତ ତଳେ । ତେବେ, ହୀରାକୁଦର ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୨୦ ଘନଫୁଟ୍ ଜଳ ପ୍ରବେଶ କରୁଛି । ୪୬ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ହୀରାକୁଦରୁ ନିଷ୍କାସିତ ହେଉଛି ୭ ଲକ୍ଷ ୬୫ କ୍ୟୁସେକ୍ ଜଳ ।

ହୀରାକୁଦରୁ ଛଡ଼ା ଯାଉଥିବା ଜଳ କଟକ ମୁଣ୍ଡଳିରେ ପହଞ୍ଚିଛି । ସେଠାରେ ଏବେ ୧୦ ଲକ୍ଷ ଘନଫୁଟ୍ ଜଳ ପ୍ରବାହିତ ହେଉଛି । ଫଳରେ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ନୟାଗଡ଼ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ ସୃଷ୍ଟି ହୋଇଥିବା ବେଳେ ଯାଜପୁରରେ ସର୍ବାଧିକ ୨୪ଟି ଘାଇ ସୃଷ୍ଟି ହୋଇଛି । ମହାନଦୀ ଅବବାହିକାରେ ୨ଟି ଘାଇ ହୋଇଛି ।

ଲୋକେ ପାଣିଘେରର ବିପଦରେ ପଡ଼ିଥିବା ବେଳେ ସହାୟତା ପାଇଁ ଆଗେଇ ଆସିଛି ପ୍ରଶାସନ । କେଉଁଠି ଓଡ୍ରାଫ, ଅଗ୍ନିଶମ ଓ ପୋଲିସ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ତ ଆଉ କେଉଁଠି ଅଣ୍ଟେ ଅଣ୍ଟେ ପାଣିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କରୋନା ମହାମାରୀ କାଳରେ ଜୀବନକୁ ବାଜି ଲଗାଇ ଜଳରେ ଚାଲିଛି ଜୀବନ ବଞ୍ଚାଇବାକୁ ସଂଘର୍ଷ ।

ବନ୍ୟାରେ ପ୍ରଭାବିତ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ସେବା ଯୋଗାଉଛି ଓଡ୍ରାଫ ଟିମ୍ । ଓଡ୍ରାଫ୍ ଦତ୍ତପୁର ଗାଁରୁ ୪ ଜଣଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଆଶ୍ରୟସ୍ଥଳୀ ଓ ମେଡିକାଲକୁ ପଠାଇଛି । ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଇଛି ରନ୍ଧା ଖାଦ୍ୟ ।

ସେହିଭଳି ବାଲେଶ୍ୱରରେ ବିଭୀଷିକା ରଚିଥିବା ବନ୍ୟାରୁ ଓଡ୍ରାଫ ୧୫୦ ଜଣଙ୍କୁ ଉଦ୍ଧାର କରିଛି । ରେମୁଣା ବ୍ଲକର ଗଣ୍ଡର୍ଦା, ଆମ୍ବୁଲକୁନ୍ଦା ଓ ବାଙ୍କତିରାରୁ ୧୫୦ରୁ ଅଧିକ ଲୋକଙ୍କୁ ଓଡ୍ରାଫ୍ ଟିମ୍ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି ।

ସେହିପରି ବନ୍ୟା ପ୍ରଭାବିତ ଭଦ୍ରକରେ ଓଡ୍ରାଫ ପାରଦର୍ଶିତା ଦେଖାଇଛି । ଓଡ୍ରାଫ୍ ଟିମ୍ ବନ୍ୟା ପାଣିରୁ ଖଡ଼େଇପଦା ଗାଁର ଜଣେ ଗର୍ଭବତିଙ୍କୁ ଉଦ୍ଧାର କରିବା ସହ ୧୦୨ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଛନ୍ତି । ଏଥିସହ ଗାଁର ଅନ୍ୟ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।

କଣାସରେ ଦୟା ନଦୀରେ ଘାଇ ସୃଷ୍ଟି ହେବା ପରେ କଣାସ ପୋଲିସ ତତ୍ପରତା ପ୍ରକାଶ କରିଛି । ମାଟିଆପଡ଼ା ଓ ନୂଆସାହି ଗାଁର ୧୨ର ୧୫ ଜଣଙ୍କୁ କଣାସ ପୋଲିସ ସୁରକ୍ଷିତ ଭାବେ ବିପଦରୁ ଉଦ୍ଧାର କରି ଆଶ୍ରୟ ସ୍ଥଳକୁ ପଠାଇଛି ।

ଓଡ୍ରାଫ ୬ତମ ବାଟାଲିୟନ ଖୋର୍ଦ୍ଧା ବେଣିପୁର ଗାଁରୁ ୮୦ ଜଣଙ୍କୁ ଉଦ୍ଧାର କରିବା ସହ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିଛନ୍ତି । ସେଠାରେ ସେମାନଙ୍କୁ ରିଲିଫ୍ ମ୍ୟାଟେରିଆଲ ସହ ଓଡ୍ରାଫ୍ ଟିମ୍ ମାସ୍କ ଯୋଗାଇ ଦେଇଛି ।

Leave a Reply