କରୋନାକୁ କେମିତି ମୁକାବିଲା କରୁଛି ଓଡ଼ିଶା,ଚିତ୍ରରୁ ବୁଝନ୍ତୁ…

1 min read

କରୋନା ଡରାଉଛି । ବିଶ୍ୱ ଇତିହାସରେ ମାନବ ଜାତି ହୁଏତ ଆଗରୁ କେବେ ଏମିତି ମହାମାରୀ ଦେଖିନଥିଲା । ମାନବ ଇତିହାସ ବ୍ଲାକ୍ ଡେଥ୍ ଠାରୁ ସ୍ପେନିସ୍ ଫ୍ଲୁ ଭଳି ମହାମାରୀ ଦେଖିଛି । କିନ୍ତୁ କେବେ ମଧ୍ୟ ପୁରା ଦୁନିଆ ପାଖାପାଖି ୬ ମାସ ପର୍ଯ୍ୟନ୍ତ ଲକଡାଉନ୍ ଭିତରେ ରହିନଥିଲା । ବିକଶୀତ ଦେଶଠାରୁ ବିକାଶଶୀଳ ଦେଶ,ସମସ୍ତେ କରୋନା ମାଡରେ ବେହାଲ । ଆମେରିକା ଓ ଇଟାଲୀ ଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତଠାରୁ ଢେର ଆଗୁଆ ଦେଶ ମଧ୍ୟ କରୋନା ଆଗରେ ଏକରକମ ଆତ୍ମସମର୍ପଣ କରିଛନ୍ତି । ଏମିତିରେ ଓଡ଼ିଶା କୋରନା ମୁକାବିଲା ଦିଗରେ କେଉଁଭଳି ପ୍ରଦର୍ଶନ କରୁଛି ? ଆସନ୍ତୁ କିଛି ଇନଫୋ ଗ୍ରାଫିକ୍ସ ଦ୍ୱାରା ଏହାକୁ ବୁଝିବାକୁ ଚେଷ୍ଟା କରିବା

୧. ହାରାହାରି ବୃଦ୍ଧି ହାର

କୋଭିଡ୍ ପରିଚାଳନାରେ ୪ରୁ ୭ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ କେଉଁଭଳି ପ୍ରଦର୍ଶନ କରୁଛନ୍ତି ? ବିଭିନ୍ନ ରାଜ୍ୟରେ କରୋନା ସ୍ଥିତିରୁ ଏହାର ଉତ୍ତର ମିଳିଯିବ । କରୋନା ସଂକ୍ରମଣ ମାମଲାର ହାରାହାରି ବୃଦ୍ଧି ହାର କେଉଁ ରାଜ୍ୟରେ ଅଧିକ ? କେଉଁ ରାଜ୍ୟରେ କମ ? ଉତ୍ତର ହେଉଛି ଝାଡଖଣ୍ଡରେ ହାରାହାରି ବୃଦ୍ଧି ହାର ସର୍ବାଧିକ ଥିବାବେଳେ ସର୍ବନିମ୍ନ ରହିଛି ଓଡ଼ଶାରେ । ଝାଡଖଣ୍ଡରେ ହାରାହାରି ବୃଦ୍ଧିହାର ୫.୫୦ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ହେଉଛି ସର୍ବନିମ୍ନ ୪.୨୦ ପ୍ରତିଶତ । କର୍ଣ୍ଣାଟକ ମଧ୍ୟ ଏହି ମାମଲାରେ ଓଡ଼ିଶା ସମକକ୍ଷ ରହିଛି ।

୨.ସକ୍ରିୟ କରୋନା ସଂକ୍ରମଣ ମାମଲା

୪ରୁ ୭ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ମଧ୍ୟରୁ କେଉଁ ରାଜ୍ୟରେ କରୋନାର ସକ୍ରିୟ ମାମଲା ସଂଖ୍ୟା ଅଧିକ  ଓ କେଉଁଠି ସକ୍ରିୟ ମାମଲା ସଂଖ୍ୟା ସବୁଠାରୁ କମ୍ ? ଉତ୍ତର ହେଉଛି କରୋନା ସକ୍ରିୟ ମାମଲା ଦୃଷ୍ଟିରୁ ଓଡ଼ିଶା ସୁରକ୍ଷିତ ସ୍ଥାନରେ ଅଛି । ୪ଟି ରାଜ୍ୟ ମଧ୍ୟରେ କରାଯାଇଥିବା ତୁଳନାତ୍ମକ ଅଧ୍ୟୟନରୁ ଜଣାପଡୁଛି ଯେ, ଓଡ଼ିଶାରେ ସକ୍ରିୟ ମାମଲା ୨୮ ପ୍ରତିଶତ ହୋଇଥିବା ବେଳେ ଝାଡଖଣ୍ଡରେ ଏହା ସର୍ବାଧିକ-୪୪.୮୦ ପ୍ରତିଶତ । ଝାଡଖଣ୍ଡ ପରେ ସକ୍ରିୟ ମାମଲା ଦୃଷ୍ଟିରୁ କର୍ଣ୍ଣାଟକ ରହିଛି । କର୍ଣ୍ଣାଟକରେ ସକ୍ରିୟ ମାମଲା ୪୨.୨୦ ପ୍ରତିଶତ ।

 

୩.ମୃତ୍ୟୁହାର

କରୋନା ମୃତ୍ୟୁ ହାରକୁ ଯଦି ଦେଖିବା ତେବେ ୪କୋଟିରୁ ୭ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟଙ୍କ ମଧ୍ୟରେ କର୍ଣ୍ଣାଟକ ସ୍ଥିତି ସଂଗୀନ ଅଛି । କର୍ଣ୍ଣାଟକରେ ମୃତ୍ୟୁହାର ୧.୮୦ ପ୍ରତିଶତ ରହିଛି ।କର୍ଣ୍ଣାଟକ ପରେ ମୃତ୍ୟୁହାରରେ ଝାଡଖଣ୍ଡ ୧ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛି । ଅନ୍ୟପକ୍ଷରେ ମୃତ୍ୟୁହାର ଦୃଷ୍ଟିରୁ ଓଡ଼ିଶା ଭଲ ସ୍ଥିତିରେ ଅଛି । ଓଡ଼ିଶାରେ ମୃତ୍ୟୁହାର ୦.୭୦ ପ୍ରତିଶତ ।

୪.ଡବଲିଂ ରେଟ୍(ଦୁଇଗୁଣା ହାର)

କରୋନା ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା କେତେଦିନରେ ଦୁଇଗୁଣ ହେଉଛି ବା କରୋନାର ଡବଲିଂ ରେଟ୍ କ’ଣ ? ଆନ୍ଧ୍ରପ୍ରଦେଶରେ ସବୁଠାରୁ କମ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଡବଲ ହେଉଛି । ଆନ୍ଧ୍ରପ୍ରଦେଶରେ ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି । ଅନ୍ୟପକ୍ଷରେ ଓଡ଼ିଶା ଭଳି ରାଜ୍ୟରେ ସଂକ୍ରମଣ ସଂଖ୍ୟା ଡବଲ ହେବାକୁ ୧୮ ଦିନ ଲାଗୁଛି ।

୫.ସୁସ୍ଥତା ହାର

୪ରୁ ୭କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ସୁସ୍ଥତା ହାର ସର୍ବାଧିକ ରହିଛି । କର୍ଣ୍ଣାଟକରେ ୧୦୦  ଜଣରେ ୫୬ ଜଣ ସୁସ୍ଥ ହେଉଥିବା ବେଳେ ଓଡ଼ିଶାରେ ଏହା ହେଉଛି ୭୧.୩୦ ପ୍ରତିଶତ । ଅର୍ଥାତ ଓଡ଼ିଶାରେ ପ୍ରତି ୧୦୦ କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ ସୁସ୍ଥ ହେଉଛନ୍ତି ।  ଝାଡ଼ଖଣ୍ଡରେ ସୁସ୍ଥତା ହାର ହେଉଛି ୫୪.୨୦ ପ୍ରତିଶତ ।

 

Leave a Reply