ଲକଡାଉନ୍ ପରେ ରାଜ୍ୟକୁ ଫେରିବେ କେତେ ଲକ୍ଷ ଓଡ଼ିଆ ? ଜାଣନ୍ତୁ କଣ ହୋଇଛି ବ୍ୟବସ୍ଥା…

ଭୁବନେଶ୍ୱର: ଲକଡାଉନ୍ ସହ ଠପ୍ ହୋଇଯାଇଛି ଦେଶ । ଭୂତାଣୁ ଭୟରେ ଅଜଣା ରାଇଜରେ ହାତବାନ୍ଧି ବସିଥିବା ଓଡ଼ିଆ ଘରକୁ ଫେରିବାକୁ ଚାହୁଁଛନ୍ତି । ଲକଡାଉନ୍ କୋହଳ ପରେ ପ୍ରବାସୀ ଓଡ଼ିଆ କେମିତି ଘରକୁ ଫେରିବେ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ୬ ହଜାର ୭୯୫ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ।

ପଞ୍ଚାୟତରେ ଓଡ଼ିଶା ଫେରନ୍ତାଙ୍କ ଲାଗି ହୋଇଥିବା ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗର ସଚିବ ଡିକେ ସିଂ । ପ୍ରାୟ ୭ ଲକ୍ଷ ୫୦ ହଜାର ଓଡ଼ିଆ ଲୋକ ବାହାର ରାଜ୍ୟରେ ଅଛନ୍ତି । ସେମାନେ ରାଜ୍ୟକୁ ଫେରିବା ପାଇଁ ବହୁତ ବ୍ୟଗ୍ର ଅଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ପ୍ରବାସୀ ଓଡ଼ିଶା ଫେରିବା ପାଇଁ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବେ ।

ପଞ୍ଜିକରଣ ପାଇଁ ୩ଟି ମାଧ୍ୟମ ଅଛି । ପୋର୍ଟାଲରେ ନିଜେ ପଞ୍ଜିକରଣ କରିବେ, ସମ୍ପର୍କୀୟ କରିବେ । ପଞ୍ଚାୟତରେ ଫର୍ମ ପୂରଣ କରିପାରିବେ । ପଞ୍ଜିକରଣ ଶୁକ୍ରବାର ଦିନଠାରୁ ଆରମ୍ଭ ହେବ । ବିନା ପଞ୍ଜିକରଣରେ କେହି ବି ରାଜ୍ୟ ବାହାରୁ ଓଡ଼ିଶାକୁ ଆସିପାରିବେ ନାହିଁ ।

ଯେଉଁମାନେ ବାହାରୁ ଆସିବେ ଟ୍ରେନ୍, ବସରୁ ଓହ୍ଲାଇବା ପରେ ତାଙ୍କୁ ବ୍ଲକ ଓ ପଞ୍ଚାୟତ ଅନୁସାରେ ବିଭକ୍ତ କରାଯିବ । ତାପରେ ବ୍ଲକ, ପଞ୍ଚାୟତ ପକ୍ଷରୁ ତାଙ୍କୁ ଗାଡ଼ିରେ ପଞ୍ଚାୟତ ମେଡିକାଲ କ୍ୟାମ୍ପକୁ ନିଆଯିବ । ସ୍ୱାସ୍ଥ୍ୟ ପରୀକ୍ଷା ପରେ କ୍ୱାରେଣ୍ଟାଇନରେ ରହିବେ, ଘରକୁ ଯାଇପାରିବେ ନାହିଁ । କ୍ୱାରେଣ୍ଟାଇନ କେନ୍ଦ୍ରରେ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ୧୪ ଦିନ ପରେ ସ୍ୱାସ୍ଥ୍ୟ ଠିକ୍ ଥିଲେ ଘରକୁ ଯିବେ ।

କେଉଁ ପଞ୍ଚାୟତକୁ କେତେ ଲୋକ ଆସିବେ ସେହି ଅନୁସାରେ ପ୍ଲାନିଂ କରାଯିବ । ଏବେ ସୁଦ୍ଧା ପଞ୍ଚାୟତରେ ୨ ଲକ୍ଷ ବେଡ୍ କରାଯାଇଛି । ଆଶା କରୁଛୁ ପ୍ରାୟ ୫ ଲକ୍ଷ ପ୍ରବାସୀ ଓଡ଼ିଶା ଫେରିବେ । ଗଞ୍ଜାମ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଅଧିକ ଲୋକ ଆସିବାକୁ ଥିବାରୁ ଏ ଜିଲ୍ଲାରେ ବେଡ୍ ସଂଖ୍ୟା ବଢ଼ାଯିବ । ଏଠାରେ ଖାଇବା, ପିଇବା ଠାରୁ ଡାକ୍ତରୀ ସମସ୍ତ ସୁବିଧା ମିଳିବ ।

ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଦାୟିତ୍ୱରେ ଜଣେ ଅଧିକାରୀ ରହିବେ । ତାଙ୍କ ନମ୍ବର, ନାମ, ପଦବୀ ୱେବସାଇଟରେ ଦିଆଯିବ । ଲକଡାଉନ ଖୋଲିବା ପରେ ନୋଡାଲ୍ ଅଫିସର ବାହାରେ ଥିବା ବ୍ୟକ୍ତି କେମିତି ଫେରିବେ ସେନେଇ ବ୍ୟବସ୍ଥା କରିବେ । ଗ୍ରାମାଞ୍ଚଳରେ ଫେରିଥିବା ବ୍ୟକ୍ତି ଘରେ ନୁହେଁ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ପଜିଟିଭ୍ ବାହାରିଲେ ନିକଟସ୍ଥ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବ ।

Leave a Reply