ଦିନେ ୧୫୦୦ ଟଙ୍କା ନେଇ ଆସିଥିଲେ ଭାରତ; ପରେ ବନିଗଲେ ମସଲା ଜଗତର କିଙ୍ଗ୍

1 min read

ନୂଆଦିଲ୍ଲୀ: ଏମଡିଏଚ୍ ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ମାତା ଚନନ ଦେବୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ଧର୍ମପାଲ ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟରେ (ବର୍ତ୍ତମାନର ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ମହାଶୟ ଚୁନି ଲାଲ୍ ଗୁଲାଟି ଓ ମାତାଙ୍କ ନାମ ମାତା ଚନନ ଦେବୀ । ଛୋଟ ବ୍ୟବସାୟରୁ କାରବାର ଆରମ୍ଭ କରିଥିବା ଧର୍ମପାଲ ପରବର୍ତ୍ତୀ ସମୟରେ ବ୍ୟବସାୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ଆସନ୍ତୁ ଜାଣିବା କିଭଳି ଥିଲା ମସଲା ଦୁନିଆର ବାଦଶାହ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଧର୍ମପାଲ ଗୁଲାଟିଙ୍କର ଜୀବନ ଯାତ୍ରା-

ମସଲା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଧର୍ମପାଲ ଜଣେ ସମାଜସେବୀ ଭାବେ ଶେଷ ନିଶ୍ୱାସ ଖୁବ୍ ସକ୍ରିୟ ଥିଲେ।

୧୯୩୩ ମସିହାରେ ସେ ୫ମ ଶ୍ରେଣୀ ପାଠପଢା ସମାପ୍ତ କରିବା ପୂର୍ବରୁ ବିଦ୍ୟାଳୟ ଛାଡିଦେଇଥିଲେ। ୧୯୩୭ ମସିହାରେ ସେ ପିତାଙ୍କ ସାହାଯ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସାବୁନ୍, କପଡା, ହାର୍ଡୱେର୍, ଚାଉଳର ବ୍ୟବସାୟ ମଧ୍ୟ କରିଥିଲେ ।

ପିତାଙ୍କ ‘ମହେଶିଆନ୍ ଡି ହାଟୀ’ ଦୋକାନରେ ବାପାଙ୍କୁ ସହଯୋଗ କରିବା ଆରମ୍ଭ କରିଥିଲେ । ଯାହା ‘ଦେଗି ମିର୍ଥ’ ନାମରେ ଜଣାଶୁଣା ଥିଲା । ଏପରିକି ସେ ଘର ଘର ବୁଲି ମଧ୍ୟ ମସଲା ବିକ୍ରି କରୁଥିଲେ ।

ଭାରତ-ପାକିସ୍ତାନ ବିଭାଜନ ପରେ ସେ ଦିଲ୍ଲୀ ପଳାଇ ଆସିଥିଲେ। ୧୯୪୭ ମସିହା ସେପ୍ଟେମ୍ବର ୨୭ରେ ତାଙ୍କ ପାଖରେ ମାତ୍ର ୧୫ଶହ ଟଙ୍କା ଥିଲା। ଯେଉଁଥିରୁ ୬୫୦ ଟଙ୍କାରେ ଏକ ଘୋଡାଗାଡି କିଣି ନୂଆଦିଲ୍ଲୀ ରେଳ ଷ୍ଟେସନରୁ କୁତୁବ ରୋଡ ପର୍ଯ୍ୟନ୍ତ ଚଳାଇଥିଲେ।  ପରେ ସେ ଏହାକୁ ଭାଇକୁ ଦେଇ ଦେଇଥିଲେ ଏବଂ କରୋଲ ବାଗର ଅଜମଲ ଖାନ ରୋଡରେ ଏକ ଛୋଟିଆ ଦୋକାନରେ ମସଲା ବିକ୍ରି କରିବା ଆରମ୍ଭ କରିଥିଲେ ।

ତାଙ୍କର ସେହି ମସଲା ବ୍ୟବସାୟ ଭଲ ଚାଲିଥିଲା ବେଳେ ପରବର୍ତ୍ତୀ ସମୟରେ ଏମଡିଏଚ୍ ବ୍ରାଣ୍ଡ ମୁଣ୍ଡ ଟେକି ଠିଆ ହେବା ସହ ସଫଳତାର ଶିଖରରେ ପହଞ୍ଚି ପାରିଥିଲା ।

ପରେ ସମାଜସେବା କରିବାକୁ ଯାଇ ସେ ହସ୍ପିଟାଲ ଓ ବିଦ୍ୟାଳୟ ଆଦି ନିର୍ମାଣ କରିଥିଲେ । ତେବେ ତାଙ୍କ ଦ୍ୱାରା ଆଜିଯାଏଁ ୨୦ରୁ ଅଧିକ ବିଦ୍ୟାଳୟ ନିର୍ମିତ ହୋଇଥିବା ନେଇ ସୂଚନା ମିଳିଛି ।

Leave a Reply