ଅନ୍ଧାର ରାତିରେ ନାଲି ଆଲୁଅ, ଜାତୀୟ ରାଜପଥରେ ଜୀବନ ସହ ଚାଲିଛି ଖେଳ

1 min read

ଭୁବନେଶ୍ୱର: ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଛନ୍ତି କି ? ତେବେ, ସାବଧାନ୍ ହୋଇଯାଆନ୍ତୁ । ବାଟରେ ଛକିଛି ମୃତ୍ୟୁ । ମାନେ ଜାତୀୟ ରାଜପଥ ୧୬ କଡ଼ରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଏବେ ମୃତ୍ୟୁର ସୌଦାଗର ପାଲଟିଛନ୍ତି । ରେଷ୍ଟୁରାଣ୍ଟ ପକ୍ଷରୁ ନିୟୋଜିତ ସିକ୍ୟୁରିଟି ଗାର୍ଡ ରାତିରେ ଜାତୀୟ ରାଜପଥରେ ରେଡ୍ ଲାଇଟ୍ ଧରି ଛିଡ଼ା ହେଉଛନ୍ତି । ଗାଡ଼ି ଦେଖିବା ମାତ୍ରେ ରେଡ୍ ଲାଇଟ ବାଟନକୁ ହଲାଉଛନ୍ତି । ଫଳରେ ଟ୍ରାଫିକ୍ ନିୟମକୁ ମାନୁଥିବା ଚାଳକମାନେ ହଠାତ୍ ବ୍ରେକ୍ ମାରି ବିପଦକୁ ବରଣ କରୁଛନ୍ତି ।ରାତିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଯିବାବେଳେ ଜାଆଁଳାରେ ଥିବା କ୍ରସରୋଡ ରେଷ୍ଟୁରାଣ୍ଟ ଏମିତି ହିଁ କିଛି କରୁଛି । ରେଷ୍ଟୁରାଣ୍ଟ ପକ୍ଷରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଏଲଇଡିର ରେଡ୍ ଲାଇଟ୍ ବାଟନ ଧରାଇ ରାଜପଥ ଉପରେ ଛିଡ଼ା କରାଯାଉଛି । ଦୂରରୁ ଗାଡ଼ି ଦେଖିବାମାତ୍ରେ ସିକ୍ୟୁରିଟି ଜଣଙ୍କ ହଠାତ୍ ରେଡ୍ ଲାଇଟ୍ ଦେଖାଉଛନ୍ତି । ଆଉ ଲୋକେ ଭାବୁଛନ୍ତି ଟ୍ରାଫିକ କର୍ମଚାରୀ । ଫଳରେ ଅତର୍କିତ ବ୍ରେକ୍ ମାରି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ରେଷ୍ଟୁରାଣ୍ଟରେ ଖାଆନ୍ତୁ ବା ନ ଖାଆନ୍ତୁ, ସମସ୍ତେ କିନ୍ତୁ ଅଟକିବାକୁ ବାଧ୍ୟ ।

ସ୍ଥାନୀୟ ପୋଲିସ ଏହାକୁ ଅଣଦେଖା କରୁଥିବା ବେଳେ ନନ୍ଦିଘୋଷ ଟିଭି ନଜରରୁ କିନ୍ତୁ ବାଦ୍ ପଡ଼ିନଥିଲା ଏହି କାରବାର । ଏନେଇ ଆମ ରିପୋର୍ଟର ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ପଚାରିଥିଲେ । ତେବେ, ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା ବର୍ଷେ ହେଲା ଏଠି ହୋଟେଲ ଚାଲିଛି । ପୋଲିସ ସହ କଥାବାର୍ତ୍ତା ହୋଇ ସିକ୍ୟୁରିଟି ଗାର୍ଡ ରେଡ୍ ଲାଇଟ୍ ବାଟନ ଧରି ରାସ୍ତା ଉପରେ ଛିଡ଼ା ହେଉଛନ୍ତି ।ତେବେ, ବର୍ଷେରୁ ଅଧିକ ସମୟ ହେଲା ଏମିତି ଚାଲୁଥିଲେ ବି କାହା ନଜରକୁ କେମିତି ଆସୁନି । ସ୍ଥାନୀୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନି । ଆମେ ଏ ନେଇ ଜାଆଁଳା ଫାଣ୍ଡି ଅଧିକାରୀଙ୍କୁ ଯୋଗଯୋଗ କରିବାରୁ ସେ ଏ ବିଷୟରେ ଅବଗତ ଅଛନ୍ତି । ତେବେ, ରେଷ୍ଟୁରାଣ୍ଟର ଭଲ ବ୍ୟବସାୟ ହେଉନଥିବାରୁ ସେମାନେ ଏମିତି କରିବାକୁ ବାଧ୍ୟ ହେଉଥିବା କହିଥିଲେ ।ଏ ନେଇ ଆମ ରିପୋର୍ଟର ସୁଶାନ୍ତ କୁମାର ସାହୁ ଟ୍ୱିଟରରେ ଘଟଣା ସମ୍ବନ୍ଧୀୟ ଫଟୋ, ଭିଡିଓ ପୋଲିସ କମିଶନରଙ୍କୁ ଟ୍ୱିଟ୍ କରିଥିଲେ । ଫୋନରେ ଘଟଣାକୁ ହାଲକା ଭାବେ ନେଇଥିବା ପୋଲିସ ଟ୍ୱିଟ୍ ପରେ ଆକ୍ସନ ମୋଡକୁ ଆସିଛି । ହୋଟେଲ କର୍ତ୍ତୃପକ୍ଷଙ୍କୁ ରାସ୍ତା ଉପରେ ରେଡ୍ ଲାଇଟ୍ ଦେଖାଇବାକୁ ବାରଣ କରାଯାଇଥିବା ଓ ରେଡ୍ ଏଲଇଡି ବାଟନକୁ ଜବତ କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ତେବେ, ପ୍ରଶ୍ନ ଉଠୁଛି ଜାତୀୟ ରାଜପଥ-୧୬ରେ ପୋଲିସ ନିୟମିତ ରାତ୍ରି ପାଟ୍ରୋଲିଂ କରୁଥିଲେ ବି ନଜରକୁ ଆସୁନଥିଲା କେମିତି ? ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କ ହାତବାରିସୀ ହୋଇ ଲୋକଙ୍କୁ ମରଣମୁହଁକୁ ଠେଲିବା ପଛରେ ଜାଆଁଳା ଫାଣ୍ଡି ଅଧିକାରୀଙ୍କ କଣ ଆଗ୍ରହ ରହିଛି ? ଏସବୁର ଉତ୍ତର ପୋଲିସ ଦେବ ତ ? ')}

Leave a Reply