କଙ୍ଗନାଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଲେ ମହାରାଷ୍ଟ୍ର ରାଜ୍ୟପାଳ…

1 min read

କଙ୍ଗନାଙ୍କର ଶିବସେନା ମୁଖପାତ୍ର ସଞ୍ଚୟ ରାଉତଙ୍କ ସହ ବାକଯୁଦ୍ଧ ଏବେ ଆଉ ଛୋଟମୋଟ ତର୍କ ହେଇ ନାହିଁ । ଏସବୁ ବ୍ୟକ୍ତିଗତ ଆରୋପ ଓ ଆକ୍ରମଣ ଆଡ଼କୁ ମୁହାଁଇଲାଣି । ମହାରାଷ୍ଟ୍ର ସରକାରଙ୍କୁ କଡ଼ା ପ୍ରଶ୍ନ କରି କଙ୍ଗନା ଏବେ ଜାତୀୟ ଖବରର ଶିରୋନାମା । ଏହି କ୍ରମରେ ସେ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରିୟାଙ୍କୁ ଭେଟିଛନ୍ତି । ତାଙ୍କ ସହିତ  ତାଙ୍କ ଭଉଣୀ ମଧ୍ୟ ରହିଥିଲେ ।

ପ୍ରାୟ ୪୫ ମିନିଟର ଆଲୋଚନା ପରେ କଙ୍ଗନା ରାଜ୍ୟପାଳଙ୍କ ସହ ଆଲୋଚନା ଉପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଁ ରାଜ୍ୟପାଳଙ୍କୁ ଭେଟିଲି । ସେ ଏହି ରାଜ୍ୟର ଅଭିଭାବକ । ରାଜନୀତି କରିବା ନେଇ ମୋର କୌଣସି ଉଦ୍ଦେଶ୍ୟ ନାହିଁ କିନ୍ତୁ ମୋ ସହ ମହାରାଷ୍ଟ୍ର ସରକାର ଖରାପ ବ୍ୟବହାର କରାଗଲା । ରାଜ୍ୟପାଳ ମୋ ପିତୃତୁଲ୍ୟ ବ୍ୟକ୍ତି । ମୋର ବିଶ୍ୱାସ ଅଛି ଯେ ମୋତେ ନ୍ୟାୟ ମିଳିବ  ଓ ମହାରାଷ୍ଟ୍ରରେ ଗଣତନ୍ତ୍ର ପୁନଃପ୍ରତିଷ୍ଠା ହେବ । ଉଲ୍ଲେଖଯୋଗ୍ୟ ଯେ କଙ୍ଗନା ରଣାଓ୍ୱାତ ରାଜ୍ୟପାଳଙ୍କୁ ଭେଟିବା ପରେ ନିଜସ୍ୱ ବାସଗୃହ ହିମାଚଳ ପ୍ରଦେଶ ଫେରିବାର ସୂଚନା ରହିଛି ।

ଅନ୍ୟପକ୍ଷରେ କଙ୍ଗନା ରଣାୱାତଙ୍କର ମହାରାଷ୍ଟ୍ର ସରକାରଙ୍କ ଉପରେ ଆସିଥିବା ପ୍ରତିକ୍ରିୟାକୁ ବିରୋଧ କରି ଅନେକ ସଙ୍ଗଠନ ଆନ୍ଦୋଳନ ଜାରି ରଖିଛନ୍ତି । ଏପରିକି କଙ୍ଗନାଙ୍କ ମୁମ୍ୱାଇସ୍ଥିତ ବାସଗୃହ ସାମ୍ନାରେ ପନ୍ଥର ସେନା ନାମକ ଏକ ଦଳିତ ସଙ୍ଗଠନ କ୍ରମାଗତ ଭାବେ ଆନ୍ଦୋଳନ ଜାରି ରଖିଛି । କଙ୍ଗନା ମନ୍ତବ୍ୟକୁ ସଙ୍ଗଠନ ମହାରାଷ୍ଟ୍ର ବିରୋଧୀ ବୋଲି କହୁଛି ।

Leave a Reply