ବିପଦ ସଂକେତ ପାଖାପାଖି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଂକେତ ନିକଟତର ହୋଇଛି । ଜଳଭଣ୍ଡାରର ବିପଦ ସଂକେତ ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୬୧୫.୩୧ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଲଭଣ୍ଡାର ମଧ୍ୟକୁ ୨ଲକ୍ଷ ୨୭ ହଜାର ୧୨ କ୍ୱିସେକ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ କରୁଛି । ପରିସ୍ଥିତିକୁ ଦେଖି ଆଉ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଲଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ହୀରାକୁଦରେ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ଧୀରେ ଧୀରେ କଟକ ମୁଣ୍ଡୁଳିରେ ଓ ନରାଜରେ ବନ୍ୟା ଜଳ ବୃଦ୍ଧି ପାଉଛି । ମୁଣ୍ଡୁଳିରେ ଆଜି ସକାଳୁ ୧ ଲକ୍ଷ ୪୬ ହଜାର ୫୬୮ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅନ୍ୟ ପକ୍ଷରେ ନରାଜଠାରେ କାଠଯୋଡି ନଦୀରେ ୫୭ ହଜାର ୪୬୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ହୀରାକୁଦ ଜଳଭଣ୍ଡାରର ବନ୍ୟା ଜଳ ଓ ଅନ୍ୟ ଶାଖା ନଦୀ ଗୁଡିକର ପାଣି ମୁଣ୍ଡୁଳିରେ ପହଂଚିବା ପରେ ଜଳସ୍ତର ବଢିବ ବୋଲି ବ୍ୟାରେଜ କର୍ତ୍ତୃପକ୍ଷ କହିଛନ୍ତି।

Leave a Reply