ଫ୍ରାନ୍ସ ହତ୍ୟା ଘଟଣାକୁ ନେଇ ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ

1 min read

ବାଂଲାଦେଶ: ବାଂଲାଦେଶର କୋମିଲା ଜିଲ୍ଲାରେ କିଛି ମୁସ୍‌ଲିମ୍‌ କଟରପନ୍ଥୀ ହିନ୍ଦୁ ଲୋକଙ୍କ ଘର ଭଙ୍ଗାରୁଜା କରିଛନ୍ତି । ଇସ୍‌ଲାମ୍‌ ଧର୍ମକୁ ନେଇ ସୋସିଆଲ ମିଡିଆରେ କିଛି ଅପମାନ ଜନକ ପୋଷ୍ଟ ହୋଇଥିବା ଖବର ପ୍ରଚାର ପରେ ଏଭଳି କାଣ୍ଡ ଘଟିଛି । ଫ୍ରାନ୍ସରେ ରହୁଥିବା ଜଣେ ବାଂଲାଦେଶୀ ବ୍ୟକ୍ତି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌ଙ୍କ ‘ଅମାନୁଷିକ ବିଚାରଧାରା’ ବିରୋଧରେ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହାପରେ ବାଂଲାଦେଶରେ ଏଭଳି କାଣ୍ଡ ଦେଖିବାକୁ ମିଳିଛି । Bdnews24.com ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ ମହମ୍ମଦଙ୍କ କାର୍ଟୁନ୍ ଦେଖାଇଥିବା ଜଣେ ଶିକ୍ଷକଙ୍କ ହତ୍ୟା ପରେ ମାକ୍ରୋନ୍ ଏହାକୁ ଘୋର ନିନ୍ଦା କରିଥିଲେ । ଆଗକୁ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ସେ କଡ଼ା ପଦକ୍ଷେପ ନେଇଥିଲେ । ଯାହାକୁ ଜଣେ ବାଂଲାଦେଶୀ ସମର୍ଥନ କରିଥିଲେ । ସୋସିଆଲ ମିଡିଆର ଏକ ପୋଷ୍ଟରେ ଉକ୍ତ ବାଂଲାଦେଶୀ ବ୍ୟକ୍ତି ଜଣକ ମାକ୍ରୋନ୍‌ଙ୍କ କାର୍ଯ୍ୟଶୈଳୀକୁ ସମର୍ଥନ ଜଣାଇଥିଲେ । ଏହି ଖବରକୁ ନେଇ ବାଂଲାଦେଶରେ ଗୁଜବ ସୃଷ୍ଟି ହୋଇଥିଲା । ଆଉ ତା’ପରେ ହିନ୍ଦୁଙ୍କ ଘରେ ଆକ୍ରମଣ ହୋଇଥିଲା । କିଛି ମୁସଲମାନ ହିନ୍ଦୁ ମାନଙ୍କ ଘର ଭଙ୍ଗାରୁଜା କରିବା ସହ ତାଙ୍କ ଘରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ।

ବଙ୍ଗରା ବଜାର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଧାର୍ମିକ ଆଘାତ ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେଥିମଧ୍ୟରୁ ଜଣେ ହେଲା କିଣ୍ଡର ଗାର୍ଡନର ହେଡ୍‌ମାଷ୍ଟର ଓ ଅନ୍ୟ ଜଣେ ଆଣ୍ଡିକୋଟ୍‌ ଗାଁର ବାସିନ୍ଦା । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଡେପୁଟି କମିଶନର ମହମ୍ମଦ ଫଜଲ ମୀର କହିଛନ୍ତି ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଘର ଭଙ୍ଗାରୁଜା କରିଥିବା ଘଟଣାକୁ ନେଇ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ତେବେ ଘଟଣାର ଭାଇରାଲ ଭିଡିଓକୁ ନେଇ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି ।

ସୂଚନାଯୋଗ୍ୟ, ଫ୍ରାନ୍ସରେ ମହମ୍ମଦଙ୍କ କାର୍ଟୁନ୍‌ ଛାପିବା ଘଟଣାକୁ ନେଇ ଏବେ ବି ବାଂଲାଦେଶରେ ବିରୋଧ ଜାରି ରହିଛି । କୁର୍ବାନପୁର ଏବଂ ଆଣ୍ଡିକୋଟରେ ଆଇନ୍‌ଶୃଙ୍ଖଳା ଦୃଷ୍ଟିରୁ‌ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ପୋଲିସ ସାଇବର ସିକ୍ୟୁରିଟି ଆକ୍ଟ ଆଧାରରେ ହେଡ୍‌ମାଷ୍ଟର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।

Leave a Reply