କଟକଣା ସତ୍ତ୍ୱେ ଜୁଲାଇ ମାସରେ ରାଜ୍ୟର ଜିଏସଟି ଆୟ ୧୩.୦୪ ପ୍ରତିଶତ ବଢିଲା, ମିଳିଛି ୭୯୪କୋଟି

ସଟଡାଉନ ଓ ଲକଡାଉନ ସତ୍ତ୍ୱେ ଜୁଲାଇ ମାସରେ ରାଜ୍ୟର ଜିଏସଟି ଆୟ ବଢିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସରେ ଜିଏସଟି ଆୟ ୧୩.୦୪ ପ୍ରତିଶତ ବୃଦ୍ଧି ଘଟିଛି । ଗତବର୍ଷ ଜୁଲାଇ ମାସରେ ଜିଏସଟି ବାବଦରେ ୭୦୨.୪୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତବର୍ଷ ୭୯୪.୦୨ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଅଣ ଜିଏସଟି ଆୟ ମଧ୍ୟ ୨.୫ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଜୁଲାଇ ମାସରେ ଏହି ସାମଗ୍ରୀରେ ଟିକସ ସଂଗ୍ରହ ରାଶି ୫୦୯.୦୩ କୋଟି ଟଙ୍କାଥିବାବେଳେ ଚଳିତବର୍ଷ ୫୨୧.୪୭ କୋଟି ଟଙ୍କା ସଂଗ୍ରହ ହୋଇଛି । ସିଟି ଆଣ୍ଡ ଜିଏସଟି କମିଶନରେଟ ପକ୍ଷରୁ ଏନେଇ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ, କରୋନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ଜିଏସଟି ଆଦାୟ ନୈରାଶ୍ୟଜନକ ଥିଲା । ଲକଡାଉନ ପ୍ରଭାବରେ ୨୦୧୯ ତୁଳନାରେ ଚଳିତ ବର୍ଷ ଏପ୍ରିଲ ମାସରେ ୬୧.୧୫ ପ୍ରତିଶତ କମ ଜିଏସଟି ଆଦାୟ ହୋଇଥିଲା । ସେହିପରି ମେ ଓ ଜୁନ ମାସରେ ଯଥାକ୍ରମେ ୨୫.୨୨ ଓ  ୫.୮୩ ପ୍ରତିଶତ ଜିଏସଟି କମ ଆଦାୟ ହୋଇଥିଲା ।

ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜୁଲାଇ ମାସରେ ଜିଏସଟି ସଂଗ୍ରହର ଚିତ୍ର ବଦଳିଛି । କିନ୍ତୁ ଗତବର୍ଷ ତୁଳନାରେ ଚଳିତବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଜିଏସଟି ଆୟ ଏବେ ବି ୨୨ ପ୍ରତିଶତ କମ ରହିଛି । ଓଜିଏସଟି, ଆଇଜିଏସଟି, ଡିଜିଏସଟି ଓ ସେସ ବାବଦକୁ ମାତ୍ର ୭ ହଜାର ୫ଶହ ୪୦ କୋଟି ଟଙ୍କା ସଂଗ୍ରହ ହୋଇଛି । ଗତବର୍ଷ ଏହି ସମୟରେ ୯ ହଜାର ୬ଶହ ୫୧ କୋଟି ସଂଗ୍ରହ ହୋଇଥିଲା ।

Leave a Reply