ଲଘୁଚାପ କାରଣରୁ ଲଗାଣ ବର୍ଷାରେ ବେହାଲ ହେଲା ଅଧା ଓଡ଼ିଶା

1 min read

ମାଲକାନଗିରି: ମାଲକାନଗିରିରେ ୭ ଦିନ ଧରି ଜାରି ରହିଛି ଲଗାଣ ବର୍ଷା । ଜିଲ୍ଲାର ବିଭିନ୍ନ ନଦୀନାଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିପରି ବିଭିନ୍ନ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ମାଲକାନଗିରିରୁ ମୋଟୁ, କାଲିମେଳା ଓ ପଡ଼ିଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏମଭି ୯୬, ଏମଭି ୯୦, କନ୍ୟାଶ୍ରମ, କାଙ୍ଗୁରକୋଣ୍ଡା ଓ ପୋଟେରୁ ପୋଲ ଉପରେ ୩-୪ ଫୁଟର ପାଣି ଚାଲୁଛି । ଏହାସହ ବନ୍ୟ ପରିସ୍ଥିତି ମୁକାବିଲା ପାଇଁ ନଦୀକୂଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ, ଦୁଇଦିନର ଲଗାଣ ବର୍ଷାରେ ଭଦ୍ରକ ଅଞ୍ଚଳର ବହୁ ଚାଷ ଜମି ଜଳମଗ୍ନ ହୋଇ ରହିଛି ।  ଏକର ଏକର ଚାଷ ଜମିରେ ବର୍ଷା ପାଣି ଜମି ରହିଛି  ।  ପାଣି ନିଷ୍କାସନ ହୋଇ ନପାରିବାରୁ ଧାନ ଗଛ ବର୍ଷା ପାଣିରେ ବୁଡି ରହିଛି  ।  ଧାମନଗର, ଭଦ୍ରକ ଓ ଭଣ୍ଡାରିପୋଖରୀର ବିଭିନ୍ନ ତଳିଆ ଅଞ୍ଚଳର ଚାଷ ଜମିରୁ ବର୍ଷା ପାଣି ନିଷ୍କାସନ ହୋଇ ପାରୁନାହିଁ  ।  ଗତକାଲି ସନ୍ଧ୍ୟାରୁ ବର୍ଷାର ପରିମାଣ କମିଥିବାରୁ ଜଳବନ୍ଦୀ ଅଞ୍ଚଳରେ ସାମାନ୍ୟ ସୁଧାର ଆସୁଛି  । ଅନ୍ୟପଟେ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବାରୁ ଭଣ୍ଡାରିପୋଖରୀ ଛତାବରଠାରେ ବିଲରୁ ପାଣି ନିଷ୍କାସନ ହୋଇପାରୁନାହିଁ  ।  ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି  । ଧାନ ଗଛ ପଚିଯିବା ଆଶଙ୍କାରେ ଚାଷୀକୂଳ  ।

ଏହାସହ ଢେଙ୍କାନାଳ ପର୍ଜଙ୍ଗ ବ୍ଲକ ବ୍ରାହ୍ମଣୀ ନଦୀ ଟାପୁରେ ଫସିଥିବା ଗୋରୁ ପଲକୁ ଉଦ୍ଧାର କରିବାକୁ ପହଞ୍ଚିଛି ଅଗ୍ନିଶମ ବାହିନୀ । ଏକ ସ୍ବତନ୍ତ୍ର ବୋଟରେ ଟାପୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଅଗ୍ନିଶମ ବାହିନୀ । ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ପାଇବାଯୋଗୁଁ ଗତକାଲିଠୁ ୪୦ରୁ ଉର୍ଦ୍ଧ୍ୱ ଗୋରୁ ଟାପୁରେ ଫସିରହିଥିଲେ । ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା  । ଆଜି ସକାଳୁ ଅଗ୍ନିଶମବାହିନୀର ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Leave a Reply