ଆହୁରି ତାତିବ, ୨ଦିନ ଯାଏଁ ନିସ୍ତାର ନାହିଁ

Hit Wave

ଭୁବନେଶ୍ୱର: ବଢ଼ିବ ଖରା, ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ୮ ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ତେବେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ମୟୂରଭଞ୍ଜକୁ ସତର୍କ କରିଛି ପାଣିପାଗ କେନ୍ଦ୍ର ।

ଏହି ୮ଟି ଜିଲ୍ଲାରେ ୪୦ଡିଗ୍ରୀରୁ ଅଧିକ ରହିପାରେ ତାପମାତ୍ରା । ସେହିପରି ୨ଦିନ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରକୁ ନିସ୍ତାର ନାହିଁ । ରବିବାର ମଧ୍ୟ ଭୁବନେଶ୍ୱରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱରରେ ସର୍ବାଧିକ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ମେଘମୁକ୍ତ ଆକାଶ, ଟାଣ ଖରା ପାଇଁ ବଢୁଛି ତାପମାତ୍ରା । ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ କମ୍‌ ରହିଛି । ସେଥିପାଇଁ ତାତି ବଢୁଥିବା ଅନୁମାନ କରାଯାଇଛି । ଅନ୍ୟପଟେ ଗଞ୍ଜାମ ଓ କଟକର କିଛି ଅଞ୍ଚଳରେ ସକାଳୁ ସାମାନ୍ୟ କୁହୁଡ଼ି ଦେଖାଯାଇଥିଲା । ହେଲେ ଏହା ପରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା ବଢ଼ିଥିଲା ।

Leave a Reply