ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ସ୍ୱାସ୍ଥ୍ୟ କର୍ମୀ

ଭୁବନେଶ୍ୱର: ରାଜଧାନୀରୁ ଆଉ ୨ କରୋନା ରୋଗୀ ଚିହ୍ନଟ ହେବ ପରେ ସମ୍ପୃକ୍ତ ଅଞ୍ଚଳାକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ।  ୬୭ ନମ୍ୱର ଓ୍ୱାର୍ଡର କପିଳପ୍ରସାଦ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କଲା ପ୍ରଶାସନ । ଏବଂ ଓ୍ୱାର୍ଡ ନମ୍ୱର ୬୪ର ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇଛି ।

ସୁନ୍ଦରପଦା ମ୍ୟୁନସିପାଲଟି ହସ୍ପିଟାଲର କାଳୁଆଶୁଣି ମନ୍ଦିରରୁ ଟାଟା ପ୍ରଜେକ୍ଟ ଯାଏ ସିଲ୍ କରାଯାଇଛି । ସେହିପରି ସରକନ୍ତରା ନୂଆ କଲର୍ଭଟ ଯାଏ ଓ ଟାଟା ପ୍ରୋଜେକ୍ଟରୁ ସରକନ୍ତରା ନୂଆ କଲର୍ଭଟ ଯାଏ ପୂରା ଅଞ୍ଚଳକୁ ସିଲ୍‌ କରାଯାଇଛି । ସେହି ଅଞ୍ଚଳକୁ ସିଲ୍ ସାନିଟାଇଜ୍ କରାଯିବା ପରେ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।

ସେହିପରି ଓ୍ୱାର୍ଡ ନମ୍ୱର ୬୪ର ଯଦୁପୁର ଓ ବେଗୁନିଆକୁ ସଂକ୍ରମଣ ଜୋନ ଭାବେ ଘୋଷଣା କରାଯାଇଛି । ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁକୁ ସିଲ୍ କରାଯାଇଛି । ସେହିଭଳି ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଅମ୍ୱେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି ।

ସୂଚନା ଯୋଗ୍ୟ ଯେ,  ଆଜିର ସାମ୍ୱାଦିକ ସମ୍ମିଳନୀରେ ପଜିଟିଭ୍‌ ରୋଗୀ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।   ଏଭଳି କରିବା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଭୂତାଣୁର ଉତ୍ପତି ଏବଂ କେଉଁ ମାନେ ସଂକ୍ରମିତ ହୋଇଛନ୍ତି ସେ ସବୁକୁ ଟ୍ରାକିଂ କରାଯାଇପାରିବ ଏବଂ ଅନ୍ୟ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇପାରିବ ।

Leave a Reply