ବିଶ୍ୱ କରୋନା ସଂକ୍ରମିତ ତାଲିକାର ୭ ନମ୍ବରରେ ଭାରତ, କମ୍ ରହିଛି ମୃତ୍ୟୁହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ବଢ଼ିବାରେ ଲାଗିଛି । କିନ୍ତୁ, ଏଥିଯୋଗୁଁ ଡରିବାର ଆବଶ୍ୟକତା ନାହିଁ । ନିଜେ ନିଜ ସୁରକ୍ଷା ପାଇଁ ଉପାୟ ବାହାର କରିବା ଦରକାର । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଯଦିଓ ଭାରତ ସଂକ୍ରମଣ ତାଲିକାର ୭ ନମ୍ବରରେ ଅଛି । କିନ୍ତୁ, ଏହାକୁ ନେଇ କରାଯାଉଥିବା ବିଶ୍ଲେଷଣ ଠିକ୍ ନୁହେଁ । କାରଣ ଅନ୍ୟ ଦେଶ ତୁଳନାରେ ଭାରତର ଜନସଂଖ୍ୟା ଅଧିକ । ଦେଶରେ ଆରୋଗ୍ୟ ହାର ବଢ଼ୁଥିବା ବେଳେ ଅନ୍ୟ ଦେଶେ ଅପେକ୍ଷା ମୃତ୍ୟୁହାର କମ୍ ରହିଛି । ଆଜି ସୁଦ୍ଧା ୯୫ ହଜାର ୫୨୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ହାର ୪୮.୦୭ ପ୍ରତିଶତ ରହିଛି ।

ଦେଶରେ  ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଶ୍ଲେଷଣ ଦ୍ୱନ୍ଦ୍ୱାତ୍ମକ ତଥ୍ୟ ଦେଉଛି । ଆମ ଜନସଂଖ୍ୟା ସହିତ ଏହାର ତୁଳନା କରିବା ଦରକାର । ଅନ୍ୟ ଦେଶ ଅପେକ୍ଷା ଭାରତର ସ୍ଥିତି ଭଲ୍ ରହିଛି । ଆଜିର ତଥ୍ୟ ମୁତାବକ ୧୪ଟି ଦେଶର  ଜନସଂଖ୍ୟା ଆମ ସହ ପାଖାପାଖି ସମାନ । ସେଠାରେ ୨୨ ପ୍ରତିଶତ ଅଧିକ୍ ମାମଲା ଆସିଛି । ଏବଂ ସେହି ଦେଶଗୁଡ଼ିକରେ ୫୫ ପ୍ରତିଶତ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଭାରତରେ ମୃତ୍ୟୁହାର ୨.୮୨%

ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରି ଚିକିତ୍ସା କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ପ୍ରୟାସ ଫଳରେ ଏପ୍ରିଲ୍ ୧୫ ଯାଏଁ ମୃତ୍ୟୁଦର ୩.୧୫ ପ୍ରତିଶତ ଥିଲା । ଏବେ ଏହା ହ୍ରାସ ପାଇ ୨.୮୨% ହୋଇଛି । ଯାହାକି ଦୁନିଆରେ ସବୁଠୁ କମ୍ । ଦୁନିଆରେ ଏମିତି ଦେଶ ରହିଛି ଯେଉଁଠି ମୃତ୍ୟୁହାର ୧୯ ପ୍ରତିଶତରୁ ଅଧିକ ।

ଆଖି ବୁଜୁଛନ୍ତି ବୟସ୍କ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ବୟସ୍କ ଓ ଅନ୍ୟ ରୋଗରେ ପୀଡ଼ିତ ଲୋକଙ୍କ ଧ୍ୟାନ ଅଧିକ ରଖିବା ଉଚିତ୍ । କରୋନାରେ ମୃତ୍ୟୁବରଣ କରୁଥିବା ୩୮ ପ୍ରତିଶତ ଲୋକଙ୍କ ବୟସ ୬୦ରୁ ୭୪ ବର୍ଷ । ଯେଉଁଥିରେ ୧୨ ପ୍ରତିଶତ ୭୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହେଉଛି ।

ଅଧିକାଂଶ ମୃତ୍ୟୁ ଅନ୍ୟ ରୋଗ ସହ ବୟସାଧିକ ଯୋଗୁଁ ହେଉଛି । ଏମିତି ଦେଖିଲେ ବୟସ୍କ ଲୋକଙ୍କ ପାଇଁ ବିପଦ ଅଧିକ । ଡାଇବେଟିସ୍, ଶ୍ୱାସରୋଗ ଥିବା ଲୋକଙ୍କ ପାଇଁ କରୋନା ଅଧିକ ବିପଦପୂର୍ଣ୍ଣ । ସେମାନେ ସାମାଜିକ ଦୂରତା ରକ୍ଷା କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ଓ ଇମ୍ୟୁନିଟି ଶକ୍ତି ବଢ଼ାନ୍ତୁ ।

‘କରୋନା ସହ ବଞ୍ଚିବା’

ଅଯଥା ବାହାରକୁ ଯାଆନ୍ତୁ ନାହିଁ । ଟେକ୍ନୋଲୋଜି ପ୍ରୟୋଗ କରାଯାଉଛି । ଏହାଦ୍ୱାରା ଆମେ କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛେ କି ନାହିଁ ଜାଣି ହେଉଛି । କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଜାଗ୍ରତ ରହିବା ସହ ନିଜ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ । ସମୟରେ ଚିକିତ୍ସା କରନ୍ତୁ । ବର୍ତ୍ତମାନ ଯାଏଁ ସୁରକ୍ଷା ପାଇଁ ଆମ ପ୍ରୟାୟ ଜାରି ରହିଛି । ଆମେ ଅନଲକ୍ ସ୍ଥିତିରେ ଅଛେ, ଭାଇରସ୍ ସହ ବଞ୍ଚିବାକୁ ପଡ଼ିବ ।

Leave a Reply