ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିଲେ AAP ନେତା ସଞ୍ଜୟ ସିଂହ: ଦୁର୍ବୃତ୍ତ କଲେ କାଳି ମାଡ଼

1 min read

ଲକ୍ଷ୍ନୌ: ହାଥରସ ମାମଲାକୁ ନେଇ ଏବେ ତେଜୁଛି ରାଜନୀତି । ସୋମବାର ଆମ ଆଦମି ପାର୍ଟିର ସାଂସଦ ସଞ୍ଜୟ ସିଂହ ପୀଡ଼ିତାଙ୍କ ପରିବର ସହ ସାକ୍ଷାତ କରିଥିଲେ । ପରିବାର ସହ ସାକ୍ଷାତ ପରେ ସଞ୍ଜୟ କହିଛନ୍ତି ଯେ, ଘଟଣା ପରେ ପରିବାର ଲୋକ ଭୟଭୀତ ଅଛନ୍ତି । ପୁରା ଗାଁକୁ ପୋଲିସ ଛାଉଣୀ କରିଦିଆଯାଇଛି । ଏହା ସହିତ ସେ ସିବିଆଇ ଯାଞ୍ଚକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ତେବେ ସଞ୍ଜୟ ସିଂହ ଯେତେବେଳେ ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରି ବାହାରକୁ ଆସିଲେ ସେତେବେଲେ ତାଙ୍କ ଉପରକୁ କାଳି ମାଡ଼ କରାଯାଇଥିଲା । ଏହାକୁ ନେଇ ଆମ ଆଦମି ପାର୍ଟିର କର୍ମକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆପ୍ ନେତା ସଞ୍ଜୟ ସିଂହ କହିଛନ୍ତି ଯେ, ଏଠାକୁ କାହାକୁ ଆସିବାକୁ ଅନୁମତି ଦିଆଯାଉନାହିଁ । ଯିଏ ବି ଆସୁଛି ତା ଉପରେ ଲାଠିମାଡ଼ କରାଯାଉଛି । ଏହାସହ ଯୋଗୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସଞ୍ଜୟ । ସେ କହିଛନ୍ତି ଯେ, ଯୋଗୀ ନିଜକୁ ଚୌକିଦାର ବୋଲି କହୁଥିଲେ । କିନ୍ତୁ ଏଠି ସେ ରାକ୍ଷସ ମାନଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ।

ସେପ୍ଟେମ୍ବର ୨୨ ତାରିଖରେ ଆସିଥିବା ରିପୋର୍ଟରେ ସଫା ସଫା ଲେଖା ହୋଇଛି ଯେ, ଝିଅକୁ ଦୁଷ୍କର୍ମ କରାଯାଇଛି । ଏହା ସହିତ ଝିଅର ବୟାନକୁ ମଧ୍ୟ ତଦନ୍ତ ଅନ୍ତର୍ଭୂକ୍ତ କରାଯିବା ଉଚିତ । ମୃତ୍ୟୁ ପୂର୍ବରୁ ପୀଡ଼ିତା ଅଭିଯୁକ୍ତ ମାନଙ୍କ ନାମ କହିଥିଲେ ତେଣୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ସଞ୍ଜୟ ସିଂହ ।

ଆପ୍ ନେତା କହିଛନ୍ତି ଯେ, ସିବିଆଇ ଏହି ମାମଲା ଗ୍ରହଣ କରିନାହିଁ, ଏହା କେବଳ ଉତ୍ତରପ୍ରଦେଶ ସରକାରଙ୍କ ଏକ ବକ୍ତବ୍ୟ । ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ବିଜେପି ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି, ଏହା ହେଉଛି ବିଜେପିର ଜନ୍ମସିଦ୍ଧ କାମ । ଦଙ୍ଗାର ଆୟୋଜନ ତଥା ଜାତି ପ୍ରଚାର କରିବାରେ ବିଜେପି ଆଗୁଆ ।

ଜଣାଇ ରଖୁଛୁ ଯେ, ହାଥରସରେ ଯେବେଠୁ ରାଜନେତା ମାନଙ୍କୁ ଯିବା ପାଇଁ ଅନୁମତି ମିଳିଛି ସେବେଠୁ ବିଭିନ୍ନ ପାର୍ଟିର ପ୍ରତିନିଧି ମାନେ ସେଠାରେ ପହଞ୍ଚି ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରୁଛନ୍ତି । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ମଧ୍ୟ ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରିଥିଲେ ।

Leave a Reply