ହାଥ୍‌ରସ୍‌ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ହାଥରସ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି ଓ ମାମଲା ସ୍ଥାନାନ୍ତର ନେଇ ଆଜି ଶୁଣାଣି ହେବ । ମାମଲାରେ ସୁପ୍ରିମକୋର୍ଟ ଗତ ୧୫ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିବା ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବା ନେଇ ସଂକେତ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ସହ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସର୍ବୋର୍ଚ୍ଚ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

ସେପଟେ ମାମଲା ସ୍ଥାନାନ୍ତର ନେଇ ମଧ୍ୟ ଆଜି ନିଷ୍ପତ୍ତି ହୋଇପାରେ । ସେହିପରି ପୀଡ଼ିତାଙ୍କ ପରିବାରର ସୁରକ୍ଷା ଦାୟିତ୍ୱରେ ସିଆରପିଏଫ୍ ନା ୟୁପି ପୋଲିସ ରହିବ ସେନେଇ ଶୁଣାଣି ହୋଇପାରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ୟୁପି ବାହାରେ ଦିଲ୍ଲୀରେ ଟ୍ରାଏଲ ପାଇଁ ଆବେଦନ ହୋଇଛି ।

ସୂଚନା ଯୋଗ୍ୟ ଯେ, ହାଥରସରେ ସେପ୍ଟେମ୍ବର ୧୪ରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ସେପ୍ଟେମ୍ବର ୨୯ରେ ଦିଲ୍ଲୀର ସଫଦରଗଞ୍ଜ ହସପିଟାଲରେ ଚିକିତ୍ସାଧୀନ ଭାବେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତରବରିଆ ଭାବେ ପୀଡିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରଶ୍ନ ଉଠିଥିଲା । ୟୁପି ସରକାର ପ୍ରଥମେ ମାମଲାର ତଦନ୍ତ ଏସଆଇଟିକୁ ଦେଇଥିଲେ । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ନେଇ ସୁପାରିସ କରାଯାଇଥିଲା ।

Leave a Reply