Hathras Case: ଜେଲରୁ SPଙ୍କୁ ଚିଠି ଲେଖିଲେ ୪ ଅଭିଯୁକ୍ତ,ଅଧିକ ସୁରକ୍ଷାକୁ ନେଇ ଚିନ୍ତିତ ପୀଡିତାଙ୍କ ପରିବାର

ଲକ୍ଷ୍ନୌ: ଜେଲ ଭିତରୁ ଏସପିଙ୍କୁ ଦୁଷ୍କର୍ମ ଅଭିଯୁକ୍ତଙ୍କ ଚିଠି । ମାମଲାର ସମସ୍ତ ଚାରିଜଣ ଅଭିଯୁକ୍ତ ଏସପିଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଚିଠିରେ ଦର୍ଶାଯାଇଛି ଯେ, ପୀଡିତାଙ୍କ ସହ ସେମାନଙ୍କର ବନ୍ଧୁତା ଥିଲା। ସେମାନେ ପରସ୍ପରଙ୍କ ସହ  କଥାବାର୍ତ୍ତା ହେଉଥିଲେ । ଘଟଣାସ୍ଥଳରେ ସେମାନେ ପୀଡ଼ିତାଙ୍କୁ ମାଡ଼ ମାରିନଥିଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ବରଂ ପୀଡିତାଙ୍କ ମା ଏବଂ ତାଙ୍କ ଭାଇ ଘଟଣାସ୍ଥଳରେ ପୀଡିତାଙ୍କୁ ମାଡ଼ ମାରିଥିଲେ । ସେଥିପାଇଁ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଚିଠିରେ ଚାରି ଅଭିଯୁକ୍ତ ସନ୍ଦୀପ, ରାମୁ, ରବି ଏବଂ ଲାବକୁଶଙ୍କ ଦସ୍ତଖତ ଏବଂ ସେମାନଙ୍କର ଆଙ୍ଗୁଠି ଚିହ୍ନ ରହିଛି ।

ଅଭିଯୁକ୍ତ ମାନେ ଚିଠିରେ ପୀଡ଼ିତା ସହ ବନ୍ଧୁତା ଥିବା ନେଇ ବାରମ୍ବାର ଚିଠିରେ ଦର୍ଶାଇଛନ୍ତି । ଫୋନରେ ମଧ୍ୟ ସେମାନେ ସବୁବେଳେ ଯୋଗାଯୋଗ କରୁଥିଲେ । ଏହି କାରଣରୁ ତାଙ୍କ ମାଆ ଏବଂ ଭାଇ ସେଦିନ ପୀଡ଼ିତାଙ୍କୁ ପିଟିଥିଲେ। ଏହା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ଘରେ ପାଣି ପିଇବାକୁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୋଷୀ କୁହାଯାଇଥିଲା । ୟୁପି ପୋଲିସ ପକ୍ଷରୁ ଉଚିତ ତଦନ୍ତ ଦାବି କରିଛନ୍ତି ସମସ୍ତ ଅଭିଯୁକ୍ତ ।

ଅପରପକ୍ଷରେ ହାଥ୍ରସରେ ମହିଳାଙ୍କ ପରିବାର ଲୋକଙ୍କୁ ତାଙ୍କ ନିଜ ଘରେ ବନ୍ଦି କରି ରଖାଯାଇଥିବା ଅଭିଯୋଗ ହୋଇଛି । ଆହ୍ଲାବାଦ ହାଇକୋର୍ଟରେ ପୀଡ଼ିତାଙ୍କ ପରିବାର ଆବେଦନ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ତାଙ୍କୁ ତାଙ୍କ ନିଜ ଘରେ ବେଆଇନ ଭାବେ ବନ୍ଦ କରି ରଖିଛନ୍ତି । ସେମାନଙ୍କୁ ଏହି ବନ୍ଦୀରୁ ମୁକ୍ତ କରାଯିବା ଉଚିତ୍ ଏବଂ ଘରୁ ବାହାରକୁ ଯାଇ ଲୋକଙ୍କୁ ଭେଟିବା ପାଇଁ ଅନୁମିତି ଦେବା ଉଚିତ୍ ବୋଲି କହିଛନ୍ତି । ଏହି ଆବେଦନରେ ପୀଡିତାଙ୍କ ପରିବାରର ପ୍ରତିନିଧିତ୍ୱ ବାଲମିକି ସମାଜ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ କରିଛି । ପୀଡ଼ିତାଙ୍କ ବାପା, ପୀଡ଼ିତାଙ୍କ ମା, ଦୁଇ ଭାଇ ଏବଂ ଅନ୍ୟ ଦୁଇ ପରିବାର ଏହି ପିଟିସନ ଦାଖଲ କରିଛନ୍ତି।

ଏହି ଆବେଦନରେ ଅଭିଯୋଗ ହୋଇଛି ଯେ, ସେପ୍ଟେମ୍ବର ମାସ ୨୯ ଏବଂ ୩୦ ତାରିଖରେ ଜିଲ୍ଲା ପ୍ରଶାସନ ଆବେଦନକାରୀଙ୍କୁ ତାଙ୍କ ଘରେ ବେଆଇନ ଭାବେ ଅଟକ ରଖିଥିଲା । ​​ଏବଂ ସେମାନଙ୍କୁ କାହା ସହିତ ସାକ୍ଷାତ କରିବାକୁ ଦିଆଯାଇନଥିଲା। ତେବେ ପରେ କିଛି ଲୋକଙ୍କୁ ସେମାନଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା । ତଥାପି ଜିଲ୍ଲା ପ୍ରଶାସନ ପୀଡିତାଙ୍କ ପରିବାର ଲୋକଙ୍କୁ ତାଙ୍କ ଇଚ୍ଛାନୁସାରେ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ଦେଉନାହାଁନ୍ତି । ସେମାନଙ୍କୁ ଅନ୍ୟ ଲୋକଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ବାରଣ କରାଯାଇଛି ।

Leave a Reply