୨ କୋଟିର ବୀମା ଟଙ୍କା ପାଇବା ପାଇଁ ରଚିଲା ନିଜ ମୃତ୍ୟୁର ଷଡ଼ଯନ୍ତ୍ର, ଆଉ ତାପରେ…

ହିସାର: ଗତ କିଛି ଦିନ ପୂର୍ବରୁ ହରିୟାଣାର ହିସାର ଜିଲ୍ଲାରୁ ଖବର ଆସିଥିଲା ଯେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଜାଳିଦେଇଥିଲେ, ତେବେ ସୂଚନା ଅନୁଯାୟୀ ଏହି ଖବର ମିଥ୍ୟା ଅଟେ । ଉକ୍ତ ବ୍ୟକ୍ତି ଜଣଙ୍କ ବୀମାର ୨ କୋଟି ଟଙ୍କା ହଡ଼ପ କରିବା ପାଇଁ ନିଜ ମୃତ୍ୟୁର ନାଟକ ରଚିଥିଲା ଏବଂ ଏକ କାରରେ ଆଉ ଜଣଙ୍କୁ ଜାଳିଦେଇଥିଲା । ହରିୟାଣା ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଛତିଶଗଡ଼ରୁ ଜୀବିତ ଧରିବା ପରେ ତାକୁ ହରିୟାଣା ଅଣାଯାଉଛି ।

ଜାଣନ୍ତୁ କଣ ଥିଲା ପୁରା ଘଟଣା

ଅକ୍ଟୋବର ୭ ତାରିଖରେ ହିସାର ଜିଲ୍ଲାର ହାଂଶୀ ସହରରରେ ଏକ ଚାଞ୍ଚଲ୍ୟକର ଖବର ଖେଳିଯାଇଥିଲା ।  ଦୁଇ ଦୁର୍ବୃତ୍ତ ଜଣେ ବିଜନେସମ୍ୟାନଙ୍କୁ କଥିତ ରୂପରେ ଏକ କାରରେ ଜୀବନ୍ତ ଜାଳିଦେଇଥିଲେ । ପୋଲିସ ମୁତାବକ କିଛି ଦୁର୍ବୃତ୍ତ ବାଇକରେ କାରର ପିଛା କରୁଥିଲେ । ସଙ୍କଟର ପୂର୍ବାଭାଷ ପାଇ ବିଜନେସମ୍ୟାନ ଜଣଙ୍କ ନିଜ ପରିବାରଜନଙ୍କୁ ଫୋନ କରି ଘଟଣା ବିଷୟରେ ଅବଗତ କରାଇଥିଲେ । କିନ୍ତୁ ପରିବାର ଲୋକ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତ କଥିତ ରୂପରେ କାରରେ ନିଆଁ ଲଗାଇସାରିଥିଲେ । ଯେତେବେଳେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଲେ ସେତେବେଳେ କାରରେ ବସିଥିବା ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲେ ।

ଏହି ମାମଲାରେ ଯେଉଁ ବିଜନେସମ୍ୟାନଙ୍କର କଥିତ ରୂପରେ ମୃତ୍ୟ ଖବର ସାମ୍ନାକୁ ଆସିଥିଲା ତାଙ୍କ ନାମ ରାମ ମୋହର ଥିଲା । ଏହି ବ୍ୟକ୍ତି ଜଣଙ୍କର ବରୱାଲାରେ ଡିସପୋଜାଲ ଗ୍ଲାସର କାରଖାନା ଥିଲା । ଦାବି ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ସେ ନିଜ କାରରେ ଯାଉଥିଲେ ଏବଂ ତାଙ୍କ ପାଖରେ ନଗଦ ୧୧ ଲକ୍ଷ ଟଙ୍କା ମଧ୍ୟ ଥିଲା । ଦୁର୍ବୃତ୍ତମାନେ ଉକ୍ତ ବ୍ୟକ୍ତିଙ୍କ ପାଖରୁ ୧୧ ଲକ୍ଷ ଟଙ୍କା ଲୁଟିନେଇ କାର ସମେତ ତାଙ୍କୁ ଜାଳିଦେଇଥିବା ଦାବି କରାଯାଇଥିଲା ।

ସେହି ସମୟରେ ଉପଲବ୍ଧ ସୂଚନା ଆଧାରରେ ହିସାରର ସଦର ଥାନା ପ୍ରଭାର କହିଥିଲେ ଯେ, ବ୍ୟାପାରୀ ଜଣଙ୍କ କାରରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଗାଡ଼ି ଅଟକାଇ ଟଙ୍କା ଲୁଟ କରିଥିଲେ ଏବଂ କାର ସମେତ ତାଙ୍କୁ ଜାଳିଦେଇଥିଲେ । ତେବେ ହିସାର ପୋଲିସ ଯେତେବେଳେ ଘଟଣାର ତଦନ୍ତ କରିବା ଆରମ୍ଭ କଲା, ତାଙ୍କୁ ମାମଲାରେ କିଛି ଗଡ଼ବଡ଼ି ନଜର ଆସିଲା । କିନ୍ତୁ ଘଟଣାରେ ଟ୍ୱିଷ୍ଟ ସେତେବେଳେ ଆସିଲା ଯେତେବେଳେ ଛତିଶଗଡ଼ରୁ ଉକ୍ତ ବିଜନେସମ୍ୟାନଙ୍କୁ ଜୀବନ୍ତ ଧରାଯାଇ ଗିରଫ କରାଗଲା । ପୋଲିସ ଦାବି ମୁତାବକ ଏହି ବ୍ୟକ୍ତି ଜଣଙ୍କ ନିଜ ବୀମାର ୨ କୋଟି ଟଙ୍କା ହଡ଼ପ କରିବା ପାଇଁ ନିଜ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲା ।

ପୋଲିସ ସୂଚନା ମୁତାବକ ବିଜନେସମ୍ୟାନଙ୍କ ପରିବାର ଦାବି କରିଥିଲେ ଯେ, ଟଙ୍କା ଲୁଟ କରିବାପରେ ତାଙ୍କୁ ଅପହରଣ କରାଯାଇଥିଲା । କିନ୍ତୁ ପୋଲିସ ଯେତେବେଳେ କ୍ରାଇମ ସିନରେ ପହଞ୍ଚିଥିଲା ସେତେବେଳେ ପୁରା ମାମଲା ଉପରୁ ପରଦା ଉଠିବାକୁ ଲାଗିଲା ।

ହଂଶୀର ଏସପି ଲୋକେନ୍ଦର ସିଂହଙ୍କ କହିବା ଅନୁଯାୟୀ, ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଉକ୍ତ ବିଜନେସମ୍ୟାନଙ୍କ ନାଆରେ କୋଟି କୋଟି ଟଙ୍କାର ବୀମା ଅଛି ଏବଂ ତାଙ୍କ ମୃତ୍ୟୁ ପରେ ସେ ସମସ୍ତ ଟଙ୍କା ତାଙ୍କ ପରିବାର ପାଇଥାନ୍ତେ । ଏହାବ୍ୟତୀତ ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ରାମମୋହରଙ୍କ ବିଜନେସ ମାନ୍ଦାରେ ଚାଲୁଥିଲା ଏବଂ ତାଙ୍କ ଉପରେ କରଜ ମଧ୍ୟ ଥିଲା । ତେବେ କାର ଭିତରୁ ମିଳିଥିବା ମୃତଦେହ କାହାର ତାର ତଦନ୍ତ କରୁଛି ପୋଲିସ ।

Leave a Reply