ଖୋର୍ଦ୍ଧାରୁ ମହିଳାଙ୍କ ଅଧାପୋଡା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା: ଖୋର୍ଦ୍ଧା ଗୋଶାଳା ପଡ଼ିଆ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଏକ ପରିତ୍ୟକ୍ତ କୋଠାରୁ ମହିଳାଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ବୟସ ୨୩ରୁ ୨୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଟିମ ପହଞ୍ଚି ତାଙ୍କର ପ୍ରାଥମିକ ତଦନ୍ତ ଜାରି ରଖିଛି ।

ତେବେ ଏସପି ଏହା ଏକ ହତ୍ୟା କାଣ୍ଡ ବୋଲି ସୂଚନା ଦେଇଛନ୍ତି । ଅନ୍ୟ କୌଣସି ଜାଗାରେ ମହିଳାଙ୍କୁ ମରାଯାଇ ଏଠାରେ ପୋଡ଼ାଯାଇଛି ବୋଲି ପୋଲିସ ସନ୍ଦେହ କରୁଛନ୍ତି । ତେବେ ଏନେଇ ଖୋର୍ଦ୍ଧାର ସବୁ ଥାନାକୁ ଖବର ଦିଆଯାଇଛି । ମହିଳାଙ୍କର ପରିଚୟ ମିଳିନଥିବା ବେଳେ କୌଣସି ଥାନାରେ ମହିଳାଙ୍କୁ ନେଇ ଏଫଆଇଆର କରାଯାଇଛି କି ନାହିଁ ସେ ଦିଗରେ ତଦନ୍ତ କରୁଛି ପୋଲିସ । ଏଭଳି ଘଟଣା ବର୍ଡର ପାଖରରେ ହୋଇଥିବାରୁ ମହିଳାଙ୍କୁ ପାଖ ଅଞ୍ଚଳରୁ ଆଣି ଏଠାରେ ପୋଡ଼ିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେପଟେ ଖୋର୍ଦ୍ଧା ଶୀଳ୍ପାଞ୍ଚଳ ଫାଣ୍ଡିରେ ଏହା ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ହାତରେ ଥିବା ବ୍ରତରୁ ଜଣା ପଡ଼ିଛି ମହିଳା ନବ ବିବାହିତା ବୋଲି ।

ସୂଚନା ଅନୁଯାୟୀ, ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଛି ।

(ଖୋର୍ଦ୍ଧାରୁ ସୁଭ୍ରାଂଶୁଶେଖର ସାମନ୍ତରାୟ)

Leave a Reply