ଠିକାକାମକୁ ନେଇ ଦେବଗଡ ବିଜେପି ବିଧାୟକ-ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ମୁହାଁମୁହିଁ

1 min read

ସମ୍ବଲପୁର: ବିଜେପିରେ ଗୋଷ୍ଠୀ କନ୍ଦଳ । ସମ୍ବଲପୁର ଜିଲ୍ଲା ବିଜେପିରେ ଫାଟ । ଠିକାକାମକୁ ନେଇ ଦେବଗଡ଼ ବିଜେପି ବିଧାୟକ ଓ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ମୁହାଁମୁହିଁ । ବିକାଶର ନାରା ଦେଉଥିବା ବିଜେପିର ବିଧାୟକ ଓ ସାଂସଦ କେତେ ଅର୍ଥଲୋଭୀ ତାର ପ୍ରମାଣ ମିଳିଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅର୍ଥରେ ଠିକା କାମ କରିବ ପାଇଁ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଓ ସାଂସଦ ନିତେଶ ଗଙ୍ଗଦେବଙ୍କ ମଧ୍ୟରେ ଟଣାଓଟରା ।

ଦେବଗଡ଼ ଜିଲ୍ଲାରେ ବିକାଶମୂଳକ କାମର ଟେଣ୍ଡର ସୁବାସ ପାଣିଗ୍ରାହୀ ତାଙ୍କ ସମର୍ଥକଙ୍କୁ ଦେବାକୁ ଚାହୁଁଥିବାବେଳେ ସାଂସଦ ନୀତେଶ ଗଙ୍ଗଦେବ ତାଙ୍କ ସମର୍ଥକଙ୍କୁ କାର୍ଯ୍ୟଭାର ଦେବାକୁ ଚାହୁଁଛନ୍ତି । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଭିଡ଼ାଓଟରା । ଏପରିକି ସାଂସଦ ନିତେଶ ଗଙ୍ଗଦେବଙ୍କ ଜଣେ ସମର୍ଥକ ଅନନ୍ତ କୁମାର ସାହୁଙ୍କୁ ସୁବାସ ଫୋନରେ ଧମକ ଦେଉଥିବା ଅନନ୍ତ ଅଭିଯୋଗ ହୋଇଛି । ଘରେ ପଶି ପିଟିବି ବୋଲି ସୁବାସ ଧମକ ଦେଇଛନ୍ତି ବୋଲି ଅନନ୍ତ ଅଭିଯୋଗ କରିଛନ୍ତି ।

ଥରେ ଠିକା କାମକରୁଥିବା ସମୟରେ ସୁବାସଙ୍କ ଜଣେ ସମର୍ଥକ ଖଣ୍ଡାଧରି ମାରିବା ପାଇଁ ଗୋଡାଇଥିବା ମଧ୍ୟ ଅନନ୍ତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସାଂସଦ ନିତେଶ ଗଙ୍ଗଦେବଙ୍କ ସମର୍ଥକ ଅନନ୍ତ ସାହୁ ଯଦି ଠିକା କାମ କରିବାକୁ ଚାହୁଁଥିଲେ ସେ ଆସି ତାଙ୍କ ସହ କଥାବାର୍ତ୍ତା କରିବାର ଥିଲା । ଆଲୋଚନା କରି କାମ କରିବାରେ କିଛି ଅସୁବିଧା ନାହିଁ । ତାଙ୍କୁ ଘରେ ପଶି ପିଟିବା କଥା କେବେ କହିନି ବୋଲି ପ୍ରତିକ୍ରିୟାରେ କହିଛନ୍ତି ସୁବାସ ପାଣିଗ୍ରାହୀ ।

ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେପିର ପୂର୍ବତନ ମଣ୍ଡଳ ସଭାପତି ତଥା ବିଧାୟକଙ୍କ ସମର୍ଥକ ଶରତ ସାହୁ । ସେ କହିଛନ୍ତି ସାଂସଦ ନିତେଶ ଗଙ୍ଗଦେବଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ ବିଧାୟକଙ୍କ କିଛି ସମର୍ଥକଙ୍କୁ ମାଡ଼ ମାରିବା ଓ ଉଠାଇ ନେବାକୁ ଧମକ ଦେଉଛନ୍ତି । ବିଶେଷକରି ୨୦୧୯-୨୦୨୦ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଆସିଥିବା ଆର୍ଥିକ ଅନୁଦାନର ଠିକା କାମ କରିବା ପାଇଁ ଆରମ୍ଭ ହୋଇଛି ଏହି ବିବାଦ ।

 

Leave a Reply