କରୋନା ବେଳେ ଡାଲି ଓ ତୈଳବୀଜ ଚାଷୀଙ୍କୁ ସହାୟକ ହେଲେ ସରକାର, ୧୩ ଜିଲ୍ଲାରୁ କିଣିଲେ ୬୦ କୋଟିର ତୈଳବୀଜ…..

1 min read

ଭୁବନେଶ୍ୱର : କୋଭିଡ-୧୯ ସ୍ଥିତିରେ ରାଜ୍ୟର ଚାଷୀମାନଙ୍କ ଠାରୁ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ସଂଗହ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଗତବର୍ଷ ତୁଳନାରେ ପ୍ରାୟ ଦଶକୋଟି ଟଙ୍କାର ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି । ସାରା ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ବଜାୟ ରଖି ଏବଂ ସଂପୃକ୍ତ ଅଧିକାରୀଙ୍କ ସହିତ ସ୍ଥିତିର ନିୟମିତ ସମୀକ୍ଷା କରି ଗତବର୍ଷ ତୁଳନାରେ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

ଗତବର୍ଷ ମୋଟ ୫୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟ ଟଙ୍କାର ଡାଲି ଓ ତୈଳବୀଜ ଚାଷୀମାନଙ୍କ ଠାରୁ ମୂଲ୍ୟ ସହାୟକ ଯୋଜନାରେ ସଂଗ୍ରହ କରାଯାଇଥିବାବେଳେ ଚଳିତ ବର୍ଷ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ୬୯୯୫.୩୮୨ ମେଟ୍ରିକ ଟନ ମୁଗ, ୨୦୧୧.୩୩୫ ମେଟ୍ରିକ ଟନ ଚିନାବାଦାମ ଏବଂ ୧୨୧.୦୭୯ ମେଟ୍ରିକ ଟନ ସୂର୍ଯ୍ୟମୁଖୀ ମଂଜି ଅନ୍ତର୍ଭୁକ୍ତ ରହିଛି । ଗତବର୍ଷ ସମୁଦାୟ ୭୫୯୩.୨୮୦ ମେଟ୍ରିକ ଟନ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ୨୦୧୯-୨୦ ରବି ଋତୁରେ ୯୧୨୭.୭୯୬ ମେଟ୍ରିକ ଟନ ସଂଗ୍ରହ କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସମବାୟ ବିଭାଗ ପକ୍ଷରୁ ମାର୍କଫେଡ ଦ୍ୱାରା ରାଜ୍ୟର ଗତବର୍ଷ ୮ଟି ଜିଲ୍ଲା ତୁଳନାରେ ଚଳିତ ବର୍ଷ ୧୩ଟି ଜିଲ୍ଲାରୁ ବିଭିନ୍ନ ପ୍ୟାକେଜ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ମୁଗ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ଯାଜପୁର ଜିଲ୍ଲାରୁ ମୋଟ ୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାରୁ ୯ କୋଟିରୁ ଉର୍ଦ୍ଧ୍ୱ, ଜଗତସିଂହପୁର ଜିଲ୍ଲାରୁ ୮ କୋଟିରୁ ଉର୍ଦ୍ଧ୍ୱ ଏବଂ ପୁରୀ ଜିଲ୍ଲାରୁ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି ।

Leave a Reply