ଏଣିକି କମ୍ପାନୀମାନେ ଲକ୍‌ଡାଉନ୍‌ରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ଦେବାକୁ ବାଧ୍ୟ ନୁହନ୍ତି, କେନ୍ଦ୍ର ସରକାର ଫେରାଇନେଲେ ନିର୍ଦ୍ଦେଶନାମା !

ନୂଆଦିଲ୍ଲୀ: ଲକ୍‌ ଡାଉନ୍‌ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ଦେବାର ପୁରୁଣା ନିର୍ଦ୍ଦେଶନାମାକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ଏହି ପଦକ୍ଷେପ କମ୍ପାନୀ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଲକ୍‌ଡାଉନ୍‌ ଘୋଷଣାର କିଛି ଦିନ ପରେ ଅର୍ଥାତ୍‌ ମାର୍ଚ୍ଚ ୨୯ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁଥିରେ ଲେଖାଥିଲା, ଲକ୍‌ଡାଉନ୍‌ ସମୟରେ କମ୍ପାନୀଗୁଡ଼ିକ ବନ୍ଦ ରହିଥିଲେ ମଧ୍ୟ ନିଯୁକ୍ତିଦାତାମାନେ ମାସ ଶେଷରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ଦେବେ । କୌଣସି ନିଯୁକ୍ତି ଦାତା କର୍ମଚାରୀଙ୍କ ବେତନ କାଟି ପାରିବେ ନାହିଁ ।

କରୋନା ମହାମାରୀକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରା ଦେଶରେ ଲକ୍‌ଡାଉନ୍ ଲାଗୁ କରାଯାଇଛି । ଏବେ ସୁଦ୍ଧା ଏହାକୁ ତିନି ଥର ବୃଦ୍ଧି କରାଯାଇଛି । ସୋମବାର ଠାରୁ ଲକଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହ ସଚିବ ଅଜୟ ଭାଲା ରବିବାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌କୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ନୂତନ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ,  ବିପର୍ଯ୍ୟୟ ପରିଚାଳନା ଆଇନ୍‌ ୨୦୦୫ର ଧାରା ୧୦ (୨) (୧) ଅନୁଯାୟୀ ଜାତୀୟ କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଜାରି କରାଯାଇଥିବା ଆଦେଶ ୧୮ ମେ’ ୨୦୨୦ ଠାରୁ କାର୍ଯ୍ୟକାରୀ ହୋଇନାହିଁ । 

ରବିବାରର ନିର୍ଦ୍ଦେଶାବଳୀରେ ୬ ପ୍ରକାରର ଅପରେଟିଂ ପ୍ରୋଟୋକଲ୍ ଉଲ୍ଲେଖ କରାଯାଇଛି । ଏଥି ମଧ୍ୟରୁ ଅଧିକାଂଶ ନିୟମ ଲୋକଙ୍କ ଗତିବିଧିକୁ ସହ ଜଡ଼ିତ । ମାର୍ଚ୍ଚ ୨୯ ରେ ଗୃହ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ ଏଥିରେ ଅନ୍ତର୍ଭୁକ୍ତ ନାହିଁ । ଉକ୍ତ ନିର୍ଦ୍ଦେଶରେ ସମସ୍ତ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ଶ୍ରମିକମାନଙ୍କୁ ପୂର୍ଣ୍ଣ ବେତନ ଦେବାକୁ ନର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ନୂଆ ନିର୍ଦେଶାବଳୀରେ ସେହିଭଳି କୌଣସି ସର୍ତ୍ତ ରଖାଯାଇନାହିଁ ।

Leave a Reply