ମା’ ବିମଳାଙ୍କ ସହ ଅଷ୍ଟଶକ୍ତି ପୀଠ ଓ ସମସ୍ତ ଗୋଷାଣୀଙ୍କ ଆଜି ପବିତ୍ର ମହନବମୀ

ପୁରୀ: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ସହ ଅଷ୍ଟଶକ୍ତି ପୀଠ ଓ ସମସ୍ତ ଗୋଷାଣୀଙ୍କ ଆଜି ପବିତ୍ର ମହନବମୀ । ଗତକାଲି ରାତିରେ ମା ବିମଳାଙ୍କ ସନ୍ଧି ପୂଜା ଆଦି ଗୁପ୍ତ ରୀତିନିତୀ ଅନୁଷ୍ଠିତ ହୋଇଥିବ ବେଳେ ଶ୍ରୀକ୍ଷେତ୍ରରେ ଅନ୍ୟାନ୍ୟ ଦେବୀପୀଠ ଓ ଗୋଷାଣୀଙ୍କ ନିକଟରେ କାକୁଡି, ପାଣିକଖାରୁ ଓ ପୋଡାମାଛ ବଳି ଦିଆଯାଇଥିଲା । ତେବେ ଆଜି ନବମୀ ତିଥିରେ ଷୋଡଶ ଉପଚାରରେ ଦେବୀମାନଙ୍କର ପୂଜାର୍ଚନା ଚାଲିଥିବା ବେଳେ ଅନ୍ୟାନ୍ୟ ଗୋଶାଣୀ ଦେବୀ ପୀଠରେ ମଧ୍ୟ ଅନୁରୂପ ପୂଜା ଚାଲିଛି । ଆଜି ମା କାକୁଡିଖାଇଙ୍କ ପାଖରେ ଶୀତଳ ଭୋଗ ଲାଗି ହେବ ।

ଅନ୍ୟପଟେ ଏକାଦଶୀରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ହେବାକୁ ଥିବା ଦେବୀସଭା ପାଇଁ ବଡ଼ଦାଣ୍ଡରେ ପ୍ରତ୍ୟକ ଗୋଶାଣୀ ପାଇଁ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ । ସେମାନଙ୍କୁ ପରିଚୟ ପତ୍ର ଦିଆଯିବ । ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ବିଭିନ୍ନ ଗୋଷାଣୀ ମୂର୍ତି ଗୁଡିକ ପରମ୍ପରା ଅନୁସାରେ ସିଂହଦ୍ୱାରକୁ ଆସିବା ପରେ ଭଷାଣ ଅନୁଷ୍ଠିତ ହେବ । ତେବେ କେହି ଭକ୍ତ ବଡଦାଣ୍ଡକୁ ଆସିବେନି ।

ସେପଟେ ବାଲୁକା କଳା ମାଧ୍ୟମରେ ଶାରଦୀୟ ଦୁର୍ଗା ପୂଜାର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ୪ଟନ ବାଲି ସାହାର୍ଯ୍ୟରେ ସୁନ୍ଦର କଳାକୃତି ନିର୍ମାଣ କରି ସେ ଏହି ବାର୍ତ୍ତା ସାରା ବିଶ୍ୱକୁ ବାଣ୍ଟିଛନ୍ତି । ଏବଂ ଏଥିସହ ସମସ୍ତଙ୍କୁ କୋଭିଡ ଗାଇଡ଼ ଲାଇନକୁ ଅନୁପାଳନ କରି, ହାତକୁ ସାନିଟାଈଜ କରିବା ସହ, ମୁହଁରେ ମାସ୍କ ଓ ସାମାଜିକ ଦୂରତା ରକ୍ଷାକରି ପୂଜାକୁ ଖୁବ ସୁନ୍ଦର ଭାବେ ପାଳନ କରିବାକୁ ବାର୍ତ୍ତା ବାଣ୍ଟିଛନ୍ତି ସୁଦର୍ଶନ ।

Leave a Reply