ଗୁଗୁଲ ଆଣିଲା ନୂଆ ଫିଚର, ଗୋଟିଏ କୋଡରୁ ଜଣା ପଡ଼ିବ ଆପଣଙ୍କ ଲୋକେସନ୍

ନୂଆଦିଲ୍ଲୀ: ବୁଲିବା ସମୟରେ କୌଣସି ସ୍ଥାନ ଖୋଜିବା ପାଇଁ ପ୍ରାୟ ସମସ୍ତେ ଗୁଗୁଲ ମ୍ୟାପ ବ୍ୟବହାର କରନ୍ତି । ନିତିଦିନିଆ ଯିବା ଆସିବା ପାଇଁ ଏହି ଆପ୍ ସମସ୍ତଙ୍କ ପସନ୍ଦ ପାଲଟିଛି । ଏହି ଆପର ବ୍ୟବହାର ତରିକା ବହୁତ ସହଜ । ଏବଂ ଗୁଗୁଲ ଏଥିରେ ଗୋଟିଏ ପରେ ଗୋଟିଏ ନୂଆ ଫିଚର୍ସ ଯୋଡ଼ୁଛି । ଯାହାଦ୍ୱାରା ବ୍ୟବହାରକାରୀ ନୂଆ ଅଭିଜ୍ଞତା ହାସଲ କରିପାରିବେ । ଏହା ଛଡ଼ା ଲୋକେସନ ସେୟାରିଂ ଫିଚର୍ସର ବ୍ୟବହାର ଅଧିକାଂଶ କରୁଛନ୍ତି ।

ଇଣ୍ଟରନେଟ ସର୍ଚ୍ଚ ଗୁଗୁଲ ତରଫରୁ ଗୁଗୁଲ ମ୍ୟାପ୍ସ ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର୍ସ ଅଣାଯାଇଛି । ଯାହାର ନାଁ ‘ପ୍ଲସ୍ କୋଡ୍’ । ଏହି କୋଡ୍ ସହାୟତାରେ ବ୍ୟବହାରକାରୀ ଅତି ସହଜରେ ନିଜ ଠିକଣା କିମ୍ବା କୌଣସି ସ୍ଥାନକୁ ଅନ୍ୟ ସହ ସହଜରେ ସେୟାର କରିପାରିବ । ଏଥିରେ ବ୍ୟବହାରକାରୀଙ୍କ (ଅକ୍ଷାଂଶ ଏବଂ ଦ୍ରାଘିମା) ହିସାବରେ ୬ ଅଙ୍କ ବିଶିଷ୍ଟ କୋଡ୍ ପ୍ରସ୍ତୁତ ହୋଇଯିବ, ଯାହାକୁ ସେୟାର କରିହେବ । ଏହାଦ୍ୱାରା ସେୟାର କରାଯାଇଥିବା ସ୍ଥାନରେ ସହଜରେ ପହଞ୍ଚିହେବ ।

କୋଡରୁ ମିଳିବ ଠିକଣା

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ନୂଆ ଫିଚର୍ସ ଆଗାମୀ କିଛି ସପ୍ତାହ ମଧ୍ୟରେ ଉପଲବ୍ଧ ହେବ । ଏହି ଫିଚର୍ସ ପାଇଁ ଆପଣଙ୍କୁ ଗୁଗୁଲ ମ୍ୟାପ୍ସର ଲାଟେଷ୍ଟ ଭର୍ସନ ଇନଷ୍ଟଲ କରିବାକୁ ପଡ଼ିବ । ବ୍ୟବହାରକାରୀଙ୍କୁ ତାଙ୍କର ବ୍ୟକ୍ତିଗତ ‘ପ୍ଲସ୍ କୋଡ୍’ ମ୍ୟାପରେ ଲୋକେସନ ଦେଖାଯାଉଥିବା ସ୍ଥାନରେ ବ୍ଲୁ ଡଟରେ ଟଚ କଲେ ଦେଖାଯିବ । ଏହି କୋଡକୁ କାହା ସହିତ ବି ସେୟାର୍ କରିପାରିବେ । ଗୁଗୁଲ୍ ମ୍ୟାପ୍ସ ଛଡ଼ା ଗୁଗୁଲ ସର୍ଚ୍ଚ ୱିଣ୍ଡୋରେ ମଧ୍ୟ ଏହି କୋଡ୍ ଦେଲେ ଲୋକେସନ ମିଳିଯିବ ।

ଅଫଲାଇନରେ ବି ମିଳିବ କୋଡ୍

ଗୁଗୁଲର ସୂଚନା ଅନୁସାରେ, ଏକ ପ୍ଲସ୍ କୋଡ୍ ସରଳ ଅଲ୍ଫାନ୍ୟୁମେରିକ କୋଡ୍ ଅଟେ । ଯାହାକୁ କୌଣସି ବି ଲୋକେସନ୍ ସହ ଯୋଡ଼ା ଯାଇପାରିବ । ଏହା ନିୟମିତ ଠିକଣା ଭଳି ଅଟେ । ଯଦି, ବ୍ୟବହାରକାରୀ ଅନ୍ୟ କୌଣସି ସ୍ଥାନର ଲୋକେସନର ପ୍ଲସ କୋଡ୍ ଜାଣିବାକୁ ଚାହାଁନ୍ତି, ଆଉ ସେଠାରେ ସେ ଉପସ୍ଥିତ ନଥାନ୍ତି । ତେବେ ମ୍ୟାପରେ ଏକ ପିନ୍ ଡ୍ରପ୍ ଦେବା ପରେ ଲୋକେସନର ପ୍ଲସ୍ କୋଡ୍ ଜାଣିହେବ । ଏପରିକି ଏହି ପ୍ଲସ୍ କୋଡ୍ ଅଫଲାଇନରେ ମଧ୍ୟ ଉପଲବ୍ଧ ହେବ ବୋଲି ଗୁଗୁଲ ପକ୍ଷରୁ କୁହାଯାଇଛି ।

Leave a Reply