ଆଦର୍ଶ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସହ 5-T ସଚିବଙ୍କ ଆଲୋଚନା ପରେ ତିଆରି ହୋଇଥିଲା ପରିବର୍ତ୍ତନର ରୋଡମ୍ୟାପ୍

1 min read

ଭୁବନେଶ୍ୱର, ରାଜ୍ୟରେ ମେଧାବୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଆଦର୍ଶ ବିଶ୍ୱବିଦ୍ୟାଳୟ ଯୋଜନା ପରିକଳ୍ପନା କରାଯାଇଥିଲା । ଅତି ସଫଳତାର ଏହି କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରହିଛି । ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହା ମେଧାବୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟତା କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପରି ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚଶିକ୍ଷାକୁ ସର୍ବାଗ୍ରେ ପ୍ରାଥମିକତା ଦେଇ ଆସିଛନ୍ତି । ଏହି କ୍ରମରେ ଉକ୍ତଧାରାକୁ ଆଉଟିକେ ଆଗକୁ ନେବାକୁ ଅଣ୍ଟା ଭିଡିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ ।

ନୂଆକରି ନିଆଯିବାକୁ ଥିବା ପଦକ୍ଷେପ ସେତେବେଳେ ସମ୍ଭବ ହୋଇପାରିଲା, ଯ଼େତେବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ନିଜେ ଏ ନେଇ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ । ଏନେଇ ପ୍ରାୟ ୩ ଘଣ୍ଟା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ମତାମତକୁ ଆଧାର କରି ଏପରି ନିଆରା ପଦକ୍ଷେପ ନେବାକୁ ଉଚିତ ମଣିଲେ । ଏହି ଶିକ୍ଷା ବିପ୍ଲବ ରାଜ୍ୟରେ ମେଧା ଗଠନ ସଶକ୍ତ ଭାବେ ସହାୟକ ହେବ ବୋଲି ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପଦକ୍ଷେପ କଣ ରହିଛି ।  ଏଣିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ଦେବା ପାଇଁ ଆଗ୍ରହୀ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରୁ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଆବେଦନ ଆମନ୍ତ୍ରଣ କରିଛି । ଆଗ୍ରହୀ ପ୍ରଶିକ୍ଷକଗଣ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଡେପୁଟେସନ କିମ୍ବା ଅତିରିକ୍ତ ଦାୟିତ୍ୱରେ ଆସି ବିଭିନ୍ନ  ବିଷୟରେ ଶିକ୍ଷା ଦେଇ ପାରିବେ । ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହା କହିଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଅଧୀନରେ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପରିଚାଳିତ ହେଉଛି । ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ସିବିଏସଇ ଢାଞ୍ଚାରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ଚଳିତ ଏବଂ ଗତବର୍ଷ ଏହି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ନେଇଥିବା ୩୫୦ ଛାତ୍ରଛାତ୍ରୀ ପ୍ରାୟ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ପିଲା ମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଭବିଷ୍ୟତରେ ମେଡିକାଲ,ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ଗ୍ରହଣ କରିବାକୁ ମନ ବଳାଇଛନ୍ତି  । ହେଲେ ଏଥିପାଇଁ ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା ରହିଛି ।

ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତିଯେ,  ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ବହୁତ କର୍ମଚାରୀ, ଅଧିକାରୀଗଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଅନେକ ଏଭଳି କାର୍ଯ୍ୟକୁ ପ୍ରତିବଦ୍ଧତା ଭାବରେ ଗ୍ରହଣ କରିଥାନ୍ତି  । ତେଣୁ ଏଥିପାଇଁ ତୁରନ୍ତ ଆବେଦନ ଆମନ୍ତ୍ରଣ କରାଯାଇଛି । ବିଶେଷକରି ଛାତ୍ରଛାତ୍ରୀ ମାନଙ୍କୁ ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ,ଜୀବ ବିଜ୍ଞାନ,ଇଂରାଜୀ,ଗଣିତ ଏବଂ ସାମାଜିକ ବିଜ୍ଞାନ ବିଷୟରେ ଅଫଲାଇନ କିମ୍ବା ଅନଲାଇନ ପ୍ରଶିକ୍ଷଣ ଦେବାକୁ ହେବ ।

ଆଗ୍ରହୀ ବ୍ୟକ୍ତିମାନେ ନିର୍ଦ୍ଧାରିତ ଫର୍ମରେ ସେମାନଙ୍କ ଉପରସ୍ଥ କର୍ତ୍ତୃପକ୍ଷଙ୍କ ଜରିଆରେ ଓଡ଼ିଶ ଆଦର୍ଶ ବିଦ୍ୟାଳୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଆବେଦନ କରିପାରିବେ । ଏହାର ସବିଶେଷ ତଥ୍ୟ https://www.oav.edu.in/ ଓ୍ୱେବସାଇଟରେ ଉପଲବ୍ଧ ହେଉଛି । ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମୃଦ୍ଧ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

 

Leave a Reply