ସୁନା ସ୍ମଗଲିଙ୍ଗ୍ ପଛର କାହାଣୀ, କ୍ୱାଲାଲାମପୁରରୁ କେରଳ ଭାୟା ଭୁବନେଶ୍ୱର

1 min read

ଭୁବନେଶ୍ୱର : ( ଅରୁଣ କୁମାର ସାହୁ) କଥାରେ ଅଛି ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ। ମେଟାଲ ଡିଟେକ୍ଟରରେ ଖସିଲା, ଚାଲିଲା ବେଳେ ଫସିଲା। ଚାଲି ଧରାଇ ଦେଲା ଚୋରା ସୁନା। ବିଦେଶରୁ ସୁନା ଧରି ଆସିଲେ, ଭୁବନେଶ୍ୱରରେ କଷ୍ଟମ ବିଭାଗ ହାତରେ ଧରା ପଡିଲେ । ସୁନା ସ୍ମଗଲିଙ୍ଗରେ ନୂଆ ଟେକନିକ୍‌। କେତେ ବେଳେ ପାଦ ତଳେ, ପଞ୍ଜାବୀ ପଗଡ଼ି, ସାର୍ଟ କଲର, ଗ୍ରାଇଣ୍ଡର, ଟ୍ରଲି ବ୍ୟାଗରେ ତ, ଆଉ କେତେ ବଳେ ମଳଦ୍ୱାରରେ ଅଭିନବ ଉପାୟରେ ସ୍ମଗଲିଙ୍ଗ ହେଉଛି ସୁନା। କ୍ୱାଲାଲାମପୁର ଏୟାର ଏସିଆ ଫ୍ଳାଇଟରେ କେରଳ ଖୋଝିକୋଡିରୁ ଜଣେ ଯାତ୍ରୀ ଧରା ପଡିବା ପରେ ପଦାକୁ ଆସୁଛି ସୁନା ତସ୍କରୀର ବଡ଼ ସତ। ସୁନାକୁ ଗୁଣ୍ଡ କରି କେମିକାଲ ଲିକୁଇଡ୍ ଦେଇ ପାଉଡର କରି ନିଜ ସୁନା ଚାଲାଣ କରୁଥିଲେ ସ୍ମଗଲର। ଭୁବନେଶ୍ୱର ଦେଇ ରାଜ୍ୟ ବାହରକୁ ହେଉଛି ଚୋରା ସୁନାର ଚାଲଣ । ସୁନା ଜବତ ହେଉଛି, ହେଲେ ସ୍ମଗଲିଙ୍ଗ କାରବାର ମଧ୍ୟ ବନ୍ଦ ହେଉନି।

ପାଉଡରରୁ ପ୍ରସ୍ତୁତ ହୋଇଥିବା ଜବତ ସୁନା ବିସ୍କୁଟ

କିଭଳି ସୁନା ପାଉଡରରୁ ହେଉଛି ବିସ୍କୁଟ ?
ସୁନା ତସ୍କରୀ ମାନେ ଗୋଟା ସୁନାକୁ ଲିକୁଇଡ୍ ଦେଇ ପେଷ୍ଟ କିମ୍ବା ପାଉଡର କରି ଚତୁରତାର ସହ ଲୁଚାଇ ଆଣନ୍ତି । ସୁନା ପାଉଡରରୁ ସୁନା ବିସ୍କୁଟ ତିଆରି ହୋଇଥାଏ । ପ୍ରଥମେ ଜାଣିବାକୁ ହେବ ବଣିଆ ପାଖରେ କିଭଳି ସୁନା ପେଷ୍ଟରୁ ସୁନା ତିଆରି କରାଯାଉଛି । ସୁନା ପାଉଡରକୁ ନିଆଁରେ ତରଳାଇ ଏକ ପାତ୍ରରେ ଭର୍ତ୍ତି କରିଥାନ୍ତି । ଗରମ ତରଳ ସୁନାକୁ ବିସ୍କୁଟ ଅବା ଛାଞ୍ଚ ଆକାରରେ ସୁନା ବିସ୍କୁଟ ପ୍ରସ୍ତୁତ କରିଥାନ୍ତି। ସବୁଥର ଭଳି ଏଥର କାମ ଦେଇନି ସୁନା ସ୍ମଗଲିଙ୍ଗର ନୂଆ ଟେକନିକ୍‌। କେରଳ କୋଝିକୋଡ଼ିର ଯାତ୍ରୀ ଜଣଙ୍କ ହାଇଦ୍ରାବାଦ କିମ୍ବା ତ୍ରିବେନ୍ଦ୍ରମ ନ ଯାଇ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଥିଲେ କାହିଁକି ? ଏହାକୁ ନେଇ ପ୍ରଥମରୁ କଷ୍ଟମ ବିଭାଗ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲା । ଭୁବନେଶ୍ୱର ବିମାନ ବନ୍ଦରରେ ଯାଞ୍ଚ ବେଳେ ସୁନାକୁ ପାଉଡର କରି ତସ୍କରୀ ଜଣଙ୍କ ନିଜର ଲଙ୍ଗୋଟି ଭିତରେ ଏହାକୁ ଲୁଚାଇ ଆଣୁଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ପ୍ରଥମେ ମେଟାଲ ଡିଟେକ୍ଟରରେ ଖସିଯାଇଥିବା ବେଳେ, ତାଙ୍କର ଚାଲି ଓ ଅଙ୍ଗ ଭଙ୍ଗିକୁ ନଜର କରି କଷ୍ଟମ ଅଧିକାରୀ ତୁରନ୍ତ ମାଡ଼ି ବସିଥିଲେ। ଆଶାଥିଲା କିଛି ତ ଲୁଚାଉଛନ୍ତି ସଂପୃକ୍ତ ଯାତ୍ରୀ । ଯାହା ପରେ ପରେ ସତରେ ପରିଣତ ହୋଇଥିଲା । ତାଙ୍କ ପାଖରୁ ମିଳିଥିଲା କୋଟିଏରୁ ଅଧିକ ସୁନା ।

କେରଳୀ ଯାତ୍ରୀଙ୍କ ଠାରୁ ଜବତ ସୁନା ପାଉଡର

କଷ୍ଟମ ଅଧିକାରୀଙ୍କ ପଚରା ଉଚରା ବେଳେ, ସୁନା ତସ୍କର ମାନେ ଗୋଲ୍ଡ ସ୍ମଗଲିଙ୍ଗ ପାଇଁ କ୍ୟାରିଅର ନିଯୁକ୍ତି କରିଥିବା ଜଣାପଡ଼ିଥିଲା । କ୍ୟାରିଅରଙ୍କ କମିଶନ ରହୁଛି ପାଞ୍ଚ ହଜାର ଟଙ୍କା । ମୁମ୍ବାଇର ଉଲ୍ଲାସ ନଗର, ପଞ୍ଜାବ, ୟୁପି ଓ ତାମିଲନାଡୁର ସ୍ମଗଲର ଏଥିରେ  ସକ୍ରିୟ ଅଛନ୍ତି। ଭୁବନେଶ୍ୱରରୁ ବ୍ୟାଙ୍କକକୁ ଫ୍ଲାଇଟ ଟିକେଟ୍ ଶସ୍ତା ରହିଛି। ସେଠାରୁ ସୁନା ଆଣିବା ପରେ ଟ୍ରେନ୍ କିମ୍ବା ବିମାନରେ ସୁନା ତସ୍କରୀ ମାନେ ପଳାଉଛନ୍ତି। ଯାହା କେରଳୀ ଯାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, କେରଳରେ ପହଞ୍ଚିବା ପରେ ସୁନା କାହାକୁ ଦିଆଯିବ ସେ ନେଇ ଫୋନକଲ୍ ଆସିଥାନ୍ତା । ତା ପରେ ସେ ଡେଲିଭରି ଦେବା ସହ ନିଜର କମିଶନ୍ ପାଇଥାନ୍ତେ ।

୨୦୧୯ର ସ୍ମଗଲିଙ୍ଗ୍ ରିପୋର୍ଟ କାର୍ଡ

୨୦୧୮ ଅପେକ୍ଷା ୨୦୧୯ରେ ଭୁବନେଶ୍ୱର ବିମାନ ବନ୍ଦର ଦେଇ ଚୋରା ସୁନାର ଚାଲାଣ ବେଶେ କମିଛି। ୨୦୧୮ରେ ୫କୋଟିରୁ ଅଧିକ ଟଙ୍କାର ସୁନା ଜବତ କରିଥିଲା କଷ୍ଟମ୍ସ ବିଭାଗ। ୨୦୧୯ ଫେବୃୟାରୀ ୧୯ରେ ସୁନା ଚାଲାଣରେ ମାତିଥିଲେ ସୁନ୍ଦରୀ। ଭୁବନେଶ୍ୱର ବିମାନ ବନ୍ଦରରୁ ୩୩ ଲକ୍ଷର ୯୬୦ ଗ୍ରାମ ସୁନା ଜବତ କରିଥିଲା କଷ୍ଟମ୍ସ ବିଭାଗ। ୨୦୧୯ ଫେବୃୟାରୀ ୨୨ରେ ସାର୍ଟର ବୋତାମ ଭିତରେ ଆସୁଥିଲା ସୁନା। କୋଲକାତାର ଜଣେ ଯାତ୍ରୀଙ୍କ ଠାରୁ ୯ ଲକ୍ଷ ୮୩ ହଜାର ଟଙ୍କାର ୨୮୩ ଗ୍ରାମ ସୁନା ଜବତ କରାଯାଇଥିଲା । ୨୦୧୯ ମାର୍ଚ୍ଚ ୩ରେ ମହାରାଷ୍ଟ୍ରର ଜଣେ ମହିଳା ବ୍ଳାକ୍ ଟେପରେ ସୁନା ଗୁଡାଇ ଭୁବନେଶ୍ୱର ଦେଇ ଚାଲାଣ କରୁଥିବା ବେଳେ ୨୨ ଲକ୍ଷ ୮୯ ହଜାର ଟଙ୍କାର ୭୦୭ ଗ୍ରାମ ସୁନା ଜବତ ହୋଇଥିଲା । ୨୦୧୯ ଏପ୍ରିଲ ୪ରେ ଝାଡଖଣ୍ଡର ଦୁଇ ଜଣ ଯାତ୍ରୀ ବୋତାମ ଭିତରେ ୯ ଲକ୍ଷର ୨୭୮ ଗ୍ରାମ ସୁନା ଚାଲାଣ ବେଳେ ଜବତ ହୋଇଥିଲା । ଜୁଲାଇ ୧୧-୧୨,୨୦୧୯। ଭୁବନେଶ୍ୱର ଏୟାରପୋର୍ଟରୁ ଦୁଇ ଦିନରେ ୩୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା ।

ଜବତ ହୋଇଥିବା ସୁନା

ଏଠାରେ ପ୍ରଶ୍ନ ଉଠୁଛି ଭୁବନେଶ୍ୱର ବିମାନ ବନ୍ଦର ପାଲଟିଛି କି ସୁନା ସ୍ମଗଲରଙ୍କ ସଫ୍ଟ ଟାଗେର୍ଟ ? ସୁନା ସ୍ମଗଲରଙ୍କ ଗଳାବାଟ ସାଜିଛି କି ଭୁବନେଶ୍ୱର ଏୟାରପୋର୍ଟ ? ଇଣ୍ଟରନ୍ୟାସନାଲ ରୁଟ୍ ଲାଇନ ଯୋଗୁ ଗୋଲ୍ଡ ସ୍ମଗଲିଙ୍ଗ ବଢୁଛି କି ? ବିଦେଶରୁ ସୁନା ଧରି ଆସୁଥିବା ବେଳେ ସେଠାକାର କଷ୍ଟମ ବିଭାଗ ଜାଣି ପାରୁନି କେମିତି ? ଅନ୍ୟପଟେ ସୁନା ସ୍ମଗଲିଙ୍ଗ୍ ରୋକିବା ନେଇ କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ସହ ଆଲୋଚନା କରାଯାଇଛି । ଭୁବନେଶ୍ୱର କଷ୍ଟମସ୍ ବିଭାଗର ଅଭିଜ୍ଞ ଅଫିସରଙ୍କ କଡ଼ା ନଜରରେ ସୁନା ତସ୍କରୀ ଓ ନୂଆ ଟେକନିକ ପ୍ଳାନ ଫେଲ ମାରୁଛି । ଆଗାମୀ ଦିନରେ ସୁନା ଚାଲାଣ ରୋକିବା ନେଇ ଜୋରଦାର ଯାଞ୍ଚ କରାଯିବ। ସୁନା ତସ୍କରୀ ମାନଙ୍କୁ ଚେକ୍‌ ଦେବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି କଷ୍ଟମ ବିଭାଗ। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିବା ପରେ ଭାରତରେ ସୁନା ସ୍ମଗଲିଙ୍ଗ ବଢିବା ସନ୍ଦେହ କରାଯାଉଛି । ତେବେ ନିୟମ ଅନୁସାରେ ୧ କୋଟିରୁ କମ୍ ଟଙ୍କାର ସୁନା ଧରାପଡ଼ିଲେ ପିଆର୍ ବଣ୍ଡରେ ଜାମିନ୍ ଦେବାର ବ୍ୟବସ୍ଥା ରହିଛି । ସେ ଦୃଷ୍ଟିରୁ ଗତକାଲି ଗିରଫ ହୋଇଥିବା କେରଳର ଯାତ୍ରୀ ଜଣଙ୍କୁ ଛାଡ଼ିଛି କଷ୍ଟମ୍ସ ବିଭାଗ । ୨୦୧୮ ଅପେକ୍ଷା ଚଳିତ ବର୍ଷ ଭୁବନେଶ୍ୱର ବିମାନ ବନ୍ଦରେ ଦେଇ ସୁନା ଚାଲାଣ କମିଛି ବୋଲି ଭୁବନେଶ୍ୱର କଷ୍ଟମ କମିଶନର ଦେବାଶିଷ ସାହୁ କହିଛନ୍ତି ।

')}

Leave a Reply