ସୁଧୁରୁଛି ଗଞ୍ଜାମ ସ୍ଥିତି, ରାଜ୍ୟ ସରକାର ଆପଣାଇଛନ୍ତି ସ୍ୱତନ୍ତ୍ର କୋଭିଡ୍‌ ଫର୍ମୁଲା…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସୁଧୁରୁଛି କୋରୋନା ସ୍ଥିତି । ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମୁଛି । ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ଗଂଜାମ ଜିଲ୍ଲା । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମୟ ଉପଯୋଗୀ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ପ୍ଲାଜ୍‌ମା ବ୍ୟାଙ୍କ୍ ମଧ୍ୟ‌ ପ୍ରତିଷ୍ଠା କରାଯାଇଛି । ଫଳରେ ଗୁରୁତର ରୋଗୀଙ୍କ ଆରୋଗ୍ୟ ନେଇ ନୂଆ ଆଶା ଦେଖା ଦେଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

GANJAM COLLECTOR AMRUT KULANGE

ଗତ କିଛିଦିନର ପରିସଂଖ୍ୟାନ ଦେଖିଲେ ଜଣାପଡୁଛି, ଜିଲ୍ଲାରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା କମୁଛି । ଅଗଷ୍ଟ ମାସରେ ଦେଶରେ କୋଭିଡ୍ ସ୍ଥିତି ଅସମ୍ଭାଳ ରହିଛି । ତେବେ ଗଞ୍ଜାମରେ ସ୍ଥିତି ଧିରେଧିରେ ନିୟନ୍ତ୍ରଣକୁ ଆସୁଛି । ଯଦି ଚଳିତ ମାସର କରୋନା ତାଲିକା ଦେଖିବା, ତେବେ ଅଗଷ୍ଟ ପହିଲାରେ ୩୨୦, ୨ ତାରିଖରେ ୩୩୧, ୩ରେ ୨୮୮, ୪ ତାରିଖରେ ୨୦୧ ଓ ୫ ତାରିଖରେ ୨୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ତେବେ ଏହି ସଂଖ୍ୟା, ଗତ ମାସ ଅପେକ୍ଷା ଯଥେଷ୍ଟ କମ୍ ରହିଛି । ଗତମାସ ୨୨ ତାରିଖରୁ ପଜିଟିଭ ସଂଖ୍ୟା ଉପରେ ଯଦି ନଜର ପକାଇବା, ତେବେ ୨୨ରେ ୫୪୦, ୨୩ରେ ୭୩୨, ୨୪ ତାରିଖରେ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାତ୍ର ୧୦ ଦିନ ବ୍ୟବଧାନରେ ଜିଲ୍ଲାରେ କୋଭିଡ୍ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସମୟ ଉପଯୋଗୀ ପଦକ୍ଷେପ ଯୋଗୁଁ କରୋନା ଭୟାବହତାର ଚିତ୍ର ଏବେ ଗଞ୍ଜାମରେ ବଦଳିଛି ।

ଅନ୍ୟପଟେ ଗଞ୍ଜାମରେ ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ୮୦ରେ ପହଞ୍ଚିଥିବାବ ବେଳେ ଚିକିତ୍ସା ପରେ ୮ ହଜାର ୬୨୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏବେ ମାତ୍ର ମାତ୍ର ୩ ହଜାର ୩୩୧ଟି ସକ୍ରିୟ ମାମଲା ରହିଛି । ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ୍ କଣ୍ଟ୍ରୋଲ୍ ଫର୍ମୁଲା ଆପଣାଇଛନ୍ତି । ଏନେଇ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଅନ୍ୟପଟେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଗଞ୍ଜାମରେ ପ୍ଲାଜ୍‌ମା ବ୍ୟାଙ୍କ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ପ୍ଲାଜମା ଥେରାପି କରୋନା ପାଇଁ ରାମବାଣ ସଦୃଶ କାମ କରୁଛି ।

Leave a Reply