ବମ୍ପର ଗଞ୍ଜେଇ ଅମଳ : ଦିନକରେ ୯୦ଲକ୍ଷ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ

ମାଲକାନଗିରି/କୋରାପୁଟ/ଚାନ୍ଦପୁର: ମାଲକାନଗିରି ଆବକାରୀ ବିଭାଗକୁ ମିଳିଛି ବଡ ସଫଳତା । ୭ କ୍ୱିଣ୍ଟାଲ ଗଞ୍ଜେଇ ସହ ଏକ ପିକଅପ ଗାଡି ଜବତ ହୋଇଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ମାଲକାନଗିରି ଥାନା ପଦ୍ମଗିରି ପଂଚାୟତର ସର୍ଗିଗୁଡା ଠାରେ ଚୋରାଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ବୋଲି କୁହାଯାଇଛି । କୁଡୁମୁଲୁଗୁମା ଅଂଚଳରୁ ଗଞ୍ଜେଇ ଅଣାଯାଇ ଛତିଶଗଡ଼ ଅଭିମୁଖେ ଚୋରାଚାଲାଣ ହେଉଥିଲା। ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଫେରାର ଥିବା ଅବକାରୀ ଅଧିକ୍ଷକ ଅଶୋକ ସେଠ ସୂଚନା ଦେଇଛନ୍ତି।

ସେହିଭଳି କୋରାପୁଟ ଲମତାପୁଟରୁ ୫ଶହ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ଟ୍ରକ୍ ସହ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି । ଚଙ୍ଗଡିପଡା ନିକଟରେ ଆଜି ଭୋର ସମୟରେ ପୋଲିସ ପାଟ୍ରୋଲିଂ ବେଳେ ବିହାର ଅଭିମୁଖେ ଯାଉଥିବା ଟ୍ରକକୁ ଯାଞ୍ଚ ବେଳେ ୫ଶହ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ । ଗିରଫ ୨ଜଣ ହେଲେ ବିହାରର ଶିବଜି କୁମାର ଓ ପୁତୁଲ କୁମାର ।

ଅନ୍ୟପଟେ, ଚାନ୍ଦପୁରରେ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ୨କେଜି ଚୋରା ଗଞ୍ଜେଇ ଜବତ କରିଛି ଚାନ୍ଦପୁର ପୋଲିସ । ଗିରଫ ଅଭିଯୁକ୍ତ ହେଲା ନୟାଗଡ଼ ରଘୁନାଥପ୍ରସାଦ ଅଞ୍ଚଳର ପିତବାସ ନାୟକ । ଚାନ୍ଦପୁରର ଏକ ମଦ ଦୋକାନରେ ରହି କାମ କରିବା ସହ ଚୋରା ଗଞ୍ଜେଇ ଓ ଧଳାଜହର କାରବାରରେ ଲିପ୍ତ ଥିଲା । ସୂଚନା ମିଳିବା ପରେ ଚାନ୍ଦପୁର ବାଇପାସ୍ ନିକଟରେ ଛକି ରହି ସ୍କୁଟିରେ ଆସିଥିବା ଗଞ୍ଜେଇ ବେପାରୀ ପିତବାସକୁ କାବୁ କରିଥିଲା ପୋଲିସ । ଏହି କାରବାରରେ ଚାନ୍ଦପୁରର ଏକ ମଦ ଦୋକାନୀର ସମ୍ପୃକ୍ତି ରହିଥିବା ପୋଲିସ ସୂଚନା ଦେଇଛି ।

Leave a Reply