୩୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ: ପୋଲିସ୍ ପକ୍ଷରୁ ଜାରି ରହିଛି ମିସନ୍ କ୍ଲିନ୍ ଗଞ୍ଜେଇ । କେ.ନୂଆଗାଁ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ସାଇନପଡ଼ା ଅଞ୍ଚଳରେ ପୁଣି ମିଳିତ ଚଢ଼ାଉ କରାଯାଇଛି । ୩୭ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । କେ.ନୂଆଗାଁ ଥାନା ସାଇନପଡ଼ା ପଞ୍ଚାୟତର ମାଙ୍କଡ଼ସୁଗା, ଗୋଛାପଡ଼ା, ମୁଣ୍ଡାରଗାଁ ଓ ଜାରେଙ୍ଗା ଅଞ୍ଚଳରେ ୩୭୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହିସବୁ ଅଞ୍ଚଳରେ ଦୁଇଦିନିଆ ମିଳିତ ଅପରେସନ୍ କରି ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଛି ।

ଲଗାତର କିଛି ଦିନ ଧରି ଏବେ କନ୍ଧମାଳ ବାଲିଗୁଡା ଅଞ୍ଚଳରେ ଚାଲିଛି ଗଞ୍ଜେଇ ନଷ୍ଟ ଅଭିଯାନ । ଏହା ପୂର୍ବରୁ ସିନ୍ଦ୍ରିଗାଁ ପଞ୍ଚାୟତ ଅଞ୍ଚଳରେ ୧୭୫ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ପ୍ରାୟ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା । ଖାଲି ସେତିକି ନୁହେଁ ଗତ ୧୫ଦିନ ମଧ୍ୟରେ ବାଲିଗୁଡ଼ା ଅଞ୍ଚଳରେ ୫୯୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି ।

Leave a Reply