ମାର୍କେଟ୍‌ ବିଲ୍ଡିଂରୁ ବଟି ଆଦାୟ ଅଭିଯୋଗ, ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ପୁଣି ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଗିରଫ । କ୍ୟାପିଟାଲ ଥାନା ପୋଲିସ କଲା ଗିରଫ । ଦାଦା ବଟି ମାଗୁଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ପୋଲିସ ଗିରଫ କରିଛି । ମାର୍କେଟ ବିଲ୍ଡିଂ ପରିସରରେ ଥିବା ଦୋକାନରୁ ରାଜ ଆଚାର୍ଯ୍ୟ ବଟି ମାଗୁଥିବା ଅଭିଯୋଗ ହେବା ପରେ ପୋଲିସ ତାକୁ ଗିରଫ କରିଛି । ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ତେବେ ରାଜା ଆଚାର୍ଯ୍ୟ ସହ ତାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ପୋଲିସର କହିବାନୁଯାୟୀ, ସରକାରୀ ଜମିରେ ବେଆଇନ୍‌ ଭାବେ ଯେଉଁମାନେ ଘର କରୁଥିଲେ ବା ଘର କରି ରହୁଥିଲେ ସେମାନଙ୍କୁ ରାଜା ଧମକ ଦେଇ ଦାଦାବଟି ଆଦାୟ କରୁଥିଲା । ଘର ପିଛା ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରିବାକୁ  ଚେଷ୍ଟା କରିଥିଲା । ତେଣୁ ତାକୁ ଗିରଫ କରାଯାଇଛି । କୌଣସି ମତେ ଏଭଳି ଅପରାଧୀକୁ କ୍ଷମା ଦିଆଯିବ ନାହିଁ । ରାଜା ପୋଲିସ ପାଇଁ କେବଳ ଜଣେ ଅପରାଧୀ । ପୂର୍ବରୁ ତାର ଅନେକ ଖରାପ ରେକର୍ଡ ରହିଛି । ପୋଲିସ ପାଇଁ ରାଜା ଭଳି ଅପରାଧୀ ହେଉଛି ଧୂଳିକଣା । ତେଣୁ ସାଧାରଣ ଲୋକ ରାଜା ଭଳି ଅପରାଧୀଙ୍କୁ ନଡରି ବରଂ ସେମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରନ୍ତୁ । ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସୂଚନାଯୋଗ୍ୟ, ଶୁକ୍ରବାର କମିଶନରେଟ ପୋଲିସ ପକ୍ଷରୁ ଦାଦାବଟିକୁ ନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଟ୍ୱିନ୍‌ସିଟିରେ ଦାଦାବଟି ଆଦାୟକୁ ରୋକିବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ ଟାକ୍ସ ଫୋର୍ସ ଗଠନ ହୋଇଛି । ବଟି ଦେଉଥିବା ଲୋକଙ୍କ ସହ ପୋଲିସ ଆଲୋଚନା କରୁଛି । ଭୟଭୀତ ନହୋଇ ପୋଲିସ ଉପରେ ଭରସା ରଖି ବିନା ଦ୍ୱିଧାରେ ନିଜ ବ୍ୟବସାୟ କରିବା ପାଇଁ ପୋଲିସ ବ୍ୟବସାୟୀମାନଙ୍କୁ ପ୍ରବର୍ତ୍ତାଉଛି । କେହି ବଟି ମାଗିଲେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେବା ପାଇଁ ଅପିଲ୍ କରାଯାଇଛି ।

ପ୍ରତି ଥାନା ଅଧିନରେ ଆସୁଥିବା ଅଞ୍ଚଳର ଦାୟିତ୍ୱ ଥାନା କର୍ମଚାରୀଙ୍କୁ ମିଳିଛି । ତେବେ ଡିସିପିଙ୍କ ସ୍ତରରେ ମଧ୍ୟ ଲୋକଙ୍କୁ ସଚେତନ କରିଯିବା ନେଇ ସୂଚନା ମିଳିଛି । ଦାଦା ବଟି ସମ୍ୱନ୍ଧୀତ ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀମାନଙ୍କ ସହ ଆଲୋଚନା ମଧ୍ୟ କରାଯିବା କଥା କମିଶନରେଟ୍ ପୋଲିସ୍ କହିଛି । ସେହିଭଳି ଡିସିପି ସପ୍ତାହରେ ଥରେ ସ୍ଥିତି ସମୀକ୍ଷା କରିବେ ଓ ଅତିରିକ୍ତ କମିଶନର ପ୍ରତି ୧୫ ଦିନରେ ଥରେ ସ୍ଥିତି ସମୀକ୍ଷା କରିବେ । ସୋମବାରଠାରୁ ଏକ ହେଲ୍ପ ଲାଇନ ନମ୍ୱର ମଧ୍ୟ ଜାରି କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ଶୁକ୍ରବାର କୁହାଯାଇଥିଲା । ଏହି ହେଲ୍ପଲାଇନ ନମ୍ୱରରେ କଲ୍ କରି ବଟି ମାଗୁଥିବା ଲୋକ ସମ୍ପର୍କିତ ତଥ୍ୟ ଦେଇପାରିବେ ।

ତଥ୍ୟ ଦେଉଥିବା ବ୍ୟକ୍ତିର ପରିଚୟକୁ ପୋଲିସ ଗୋପନ ରଖିବ । ଆବଶ୍ୟକସ୍ଥଳେ ସୂଚନାକାରୀକୁ ପୁରସ୍କୃତ ମଧ୍ୟ କରାଯିବ । ସେହିଭଳି ବଟି ଆଦାୟ ମାମଲରେ ଜଡିତ ଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ଥାନା ଅଧିକାରୀ ପ୍ରସ୍ତୁତ କରିବେ । ଏବେ ଏମାନେ କଣ କରୁଛନ୍ତି, କିଏ କେଉଁଠାରେ କାର୍ଯ୍ୟରତ ଅଛନ୍ତି ସେନେଇ ଖୋଳତାଡ଼ ଆରମ୍ଭ ହେବ । ଏହି ମାମଲାରେ ଗିରଫ ହେଲେ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୧୦ ଧାରା ଲାଗିବ । ଆବଶ୍ୟକ ହେଲେ ଜାତୀୟ ନିରାପତ୍ତା ଆଇନ ଉଲଂଘନକାରୀ ଭାବେ ଉକ୍ତ ଅପରାଧୀମାନଙ୍କୁ ଗିରଫ କରାଯିବ ବୋଲି କୁହଯାଇଥିଲା ।

Leave a Reply