ଗ୍ୟାସ ସିଲିଣ୍ତର, ଟ୍ରେନ ସମୟ ସହ ଏହି ସବୁ ଜିନିଷର ବଦଳିବ ନିୟମ, ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସମ୍ପୂର୍ଣ୍ଣ ଦେଶରେ ଦୈନଦିନ ଜୀବନରେ ବ୍ୟବହୃତ ହେଉଥିବା କିଛି ଜିନିଷର ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏମିତି କିଛି ଜିନିଷରେ ପରିବର୍ତ୍ତନ ହେବ, ଯାହା ସାଧାରଣ ଲୋକଙ୍କ ଜୀବନଶୈଳୀରେ ସିଧାସଳଖ ପ୍ରଭାବ ପକାଇବ । ନଭେମ୍ବର ମାସ ୧ ତାରିଖ ତଥା ଆସନ୍ତାକାଲିଠୁ ଗ୍ୟାସ ସିଲିଣ୍ଡରରୁ ଆରମ୍ଭ କରି ଟ୍ରେନର ଟାଇମ୍ ଟେବୁଲ ଯାଏଁ ସବୁକିଛି ବଦଳିବାକୁ ଯାଉଛି । ତେବେ ନୂତନ ନିୟମଗୁଡ଼ିକ କଣ ଜାଣନ୍ତୁ-

୧- LPG ଡେଲିଭରୀ ନିୟମରେ ପରିବର୍ତ୍ତନ

ନଭେମ୍ବର ମାସ ୧ତାରିଖରୁ ଏଲପିଜି ସିଲିଣ୍ଡର ଡେଲିଭରୀ ନିୟମରେ ପରିବର୍ତ୍ତନ ହେବ । ତେଲ କମ୍ପାନୀଗୁଡିକ ନଭେମ୍ବର ୧ରୁ ଡେଲିଭରୀ ଅଥେଣ୍ଟିକେସନ କୋଡ୍ (DAC) ବ୍ୟବସ୍ଥା କାର୍ଯ୍ୟକାରୀ କରିବେ । ସେଗୁଡ଼ିକ ହେଉଛି, ଗ୍ୟାସ ଡେଲିଭରୀ ପୂର୍ବରୁ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ OTP ଯିବ । ସିଲିଣ୍ଡର ଗ୍ରାହକଙ୍କ ଘରେ ପହଞ୍ଚିବା ପରେ ଡେଲିଭରୀ କରିବାକୁ ଯାଇଥିବା ଲୋକଙ୍କ ସହ OTP ସେୟାର କରିବାକୁ ପଡିବ । OTP ସିଷ୍ଟମ ମ୍ୟାଚ କଲେ ହିଁ ସିଲିଣ୍ଡର ଡେଲିଭରୀ କରାଯିବ ।

୨- ଇଣ୍ଡେନ୍ ଗ୍ୟାସର ବଦଳିବ ବୁକିଂ ନମ୍ବର

ଇଣ୍ଡେନ୍ ଗ୍ୟାସ ଗ୍ରାହକ ହୋଇଥିଲେ ପୁରୁଣା ନମ୍ବରରେ ଗ୍ୟାସ୍ ବୁକ୍ କରିପାରିବେ ନାହିଁ । ଇଣ୍ଡେନ୍ ନିଜ ଏଲପିଜି ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଗ୍ୟାସ୍ ବୁକିଂ ପାଇଁ ନୂତନ ନମ୍ବର ପଠାଇଛି । ଏବେ ଇଣ୍ଡେନ୍ ଗ୍ୟାସର ଗ୍ରାହକମାନଙ୍କୁ ଏଲପିଜି ସିଲିଣ୍ଡର ବୁକ୍ କରିବା ପାଇଁ 7718955555 କୁ କଲ୍ କିମ୍ବା SMS କରିବାକୁ ପଡିବ ।

୩- ବଦଳିବ ଗ୍ୟାସ ସିଲିଣ୍ଡର ଦାମ

ରାଜ୍ୟର ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ଏଭଳି ପରିସ୍ଥିତିରେ ନଭେମ୍ବର ୧ ତାରିଖରୁ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇପାରେ । ଅକ୍ଟୋବର ମାସରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ।

୪- ବଦଳିବ ଟ୍ରେନ୍ ଟାଇମ୍ ଟେବୁଲ

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ନଭେମ୍ବର ୧ ତାରିଖରୁ ଭାରତୀୟ ରେଳ ସମଗ୍ର ଦେଶରେ ଟ୍ରେନର ଟାଇମ ଟେବୁଲରେ ପରିବର୍ତ୍ତନ ହେବାକୁ ଯାଉଛି । ନଭେମ୍ବର ୧ ତାରିଖରୁ ଟ୍ରେନର ନୂଆ ଟାଇମ ଟେବୁଲ ପ୍ରକାଶ ପାଇବ । ୧୩ ହଜାର ଯାତ୍ରୀବାହୀ ଏବଂ ୭ ହଜାର ମାଲବାହୀ ଟ୍ରେନର ସମୟ ପରିବର୍ତ୍ତନ କରାଯିବ ।

୫- SBI ଆକାଉଣ୍ଟଧାରୀଙ୍କୁ କମ୍ ସୁଧ

କାଲିଠୁ SBI ର କିଛି ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏସବିଆଇ ସଞ୍ଚୟ ଆକାଉଣ୍ଟଗୁଡ଼ିକୁ କମ୍ ସୁଧ ମିଳିବ । ୧ ଲକ୍ଷରୁ ଅଧିକ ଟଙ୍କା ଜମା ଉପରେ, ଏବେ ରେପୋ ହାର ଅନୁଯାୟୀ ସୁଧ ମିଳିବ ।

Leave a Reply