China Army In Ladakh : SUVରେ ଆସିଥିଲେ ୨ଶହ ଚୀନ୍ ସୈନିକ, କିନ୍ତୁ ତା’ପରେ ଯାହା ହେଲା…..

1 min read

ଲେହ-ଶ୍ରୀନଗର : ଭାରତ-ଚୀନ ସୀମାରେ ପୁଣି ବିବାଦ ବଢିଛି । ପୂର୍ବ ଜୁନ ୧୫-୧୬ର ସୀମା ବିବାଦକୁ ତୁଟାଇବା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଏବେ ମଧ୍ୟ ଚାଲିଛି । ଚୀନ ଭାରତ ସୀମାରେ ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରଖିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ମାତ୍ର ଏବେ ସ୍ଥିତି ପୁଣି ଥରେ ଯଥା ପୂର୍ବ ତଥା ପରଂ ହୋଇଛି । ଚୀନ ପୁଣି ଥରେ ପେଙ୍ଗୋଙ୍ଗ୍ ହ୍ରଦ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଛି ।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଗତ ୨୯ ଓ ୩୦ ଅଗଷ୍ଟ ରାତ୍ରିରେ ଚୀନ ଯବାନମାନେ ଭାରତୀୟ ସୀମାରେ ବିଶୃଙ୍ଖଳିତ ଆଚରଣ କରିବା ଆରମ୍ଭ କରିଥିଲେ । ଅନୁପ୍ରବେଶ କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ତେବେ ଏସବୁ ପରିସ୍ଥିତି ପାଇଁ ଭାରତୀୟ ସେନା ପୂର୍ବରୁ ପ୍ରସ୍ତୁତ ରହିଥିଲା । ଚୀନ ସେନାକୁ ସଫଳତାର ସହ ମୁକାବିଲା କରିବା ସହ ଭାରତୀୟ ଯବାନମାନେ ସେମାନଙ୍କୁ ସୀମା ଭିତରକୁ ପ୍ରବେଶ କରାଇ ଦେଇନଥିଲେ । ଗତ ୨୯ ତାରିଖ ରାତିରେ ଚୀନର ପ୍ରାୟ ୨ଶହ ଯବାନ ଏକ ଗୋଷ୍ଠୀ ହୋଇ କିଛି SUV ଗାଡ଼ିରେ ଆସି ପହଞ୍ଚିଲେ । ଏହାପରେ ଚୀନ ଯବାନମାନେ ଭାରତୀୟ ସୀମା ମଧ୍ୟରେ ଧସେଇ ପଶିବା ପାଇଁ ଉଦ୍ୟମ ଆରମ୍ଭ କଲେ । ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ସେନା  ଏଭଳି କରିବାକୁ ନଦେଇ ଚୀନ ସେନାକୁ ରୋକିବାରେ ସଫଳ ହୋଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇ ଯାଇଥିଲା । ଦୁଇ ପକ୍ଷର ଯବାନମାନେ ଅଧିକ ସଂଖ୍ୟାରେ ଆସି ସୀମା ପାଖରେ ଉପସ୍ଥିତ ହୋଇଥିଲେ । ଭାରତୀୟ ଯବାନଙ୍କ ଆଭିମୁଖ୍ୟ ଦେଖି ଚୀନ ଯବାନମାନେ ସ୍ଥାନ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଭାରତ ଓ ଚୀନ ସରକାରଙ୍କ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ଚୀନ ସରକାର କହିଥିବା କଥା ରଖିନାହାନ୍ତି ବୋଲି ଭାରତ ସରକାର କହିଛନ୍ତି  । ସୀମାରେ ପୁଣି ବିଶୃଙ୍ଖଳା କରି ଚୀନ ତା’ ବାସ୍ତବ ଆଭିମୁଖ୍ୟକୁ ପ୍ରକାଶ କରିଛି । ତେବେ ସୀମାରେ ବିଶୃଙ୍ଖଳା ପୁଣି ବଢିବା ପରେ ଲେହ ଓ ଶ୍ରୀନଗର ମୁଖ୍ୟ ରାସ୍ତାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି । ମାତ୍ର ସେନାର ଚଳାଚଳ ପାଇଁ ରାସ୍ତା ଖୋଲା ରହିଛି ।

Leave a Reply