ସ୍ୱେଚ୍ଛାସେବୀ ସଙ୍ଗଠନର ନିଆରା ପ୍ରୟାସ, ଆରମ୍ଭ ହେଲା ମାଗଣା ଅନଲାଇନ ପାଠପଢା

ଭୁବନେଶ୍ୱର: ପ୍ରାୟ ଏକ ବର୍ଷ ହେବ କରୋନା ମହାମାରୀ ପ୍ରଭାବରେ ବାଧାପ୍ରାପ୍ତ ହୋଇଛି ଶିକ୍ଷାବ୍ୟବସ୍ଥା । ଏହି ସମୟରେ ସହାୟକ ସାଜିଛି ଅନଲାଇନ ପାଠପଢା । କିନ୍ତୁ ଅନଲାଇନ ପାଠପଢା ସମସ୍ତଙ୍କ ପାଇଁ ସହଜ ହୋଇଛି ତାହା କହିବା ଭୁଲ ହେବ । କାରଣ ଏଭଳି କିଛି ଗରିବ ବାପା ମାଆ ଅଛନ୍ତି ଯେଉଁମାନେ ସେମାନଙ୍କ ପିଲାଙ୍କୁ ସ୍ମାର୍ଟଫୋନ୍‌ଯୋଗାଇ ପାରି ନାହାଁନ୍ତି । ଏହା ତ ଥିଲା ସ୍ମାର୍ଟଫୋନ୍‌କଥା । ଆଉ ଏକ ସମସ୍ୟା ହେଉଛି ଅନଲାଇନ ପାଠପଢା ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରି ନାହିଁ । କାରଣ ଏଥିପାଇଁ ଯଥେଷ୍ଟ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି କେତେକ ସ୍ୱେଚ୍ଛାସେବୀ ସଙ୍ଗଠନ ଗରିବ ଶ୍ରେଣୀର ପିଲା ମାନଙ୍କୁ ମାଗଣା ଶିକ୍ଷାଦାନ ପାଇଁ ଆଗେଇ ଆସିଛନ୍ତି । ଯାହା ନିହାତି ଭାବରେ ଏକ ଭିନ୍ନ ପ୍ରୟାସ । ତେବେ ଏହି ଶ୍ରେଣୀରେ ଯୋଡ଼ି ହୋଇଛି ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ । ଏହାର କାର୍ଯ୍ୟକର୍ତ୍ତା ଗରିବ ଶ୍ରେଣୀର ପିଲା ମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି । ଏଥିପାଇଁ ଗ୍ରାମାଞ୍ଚଳରେ ରହୁଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରିଛନ୍ତି ମାଗଣା ଅନଲାଇନ ଶିକ୍ଷା ବ୍ୟବସ୍ଥା ।

 

ପ୍ରଥମ ପର୍ଯାୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ପୁରୀ ରୁ ୨୦ ଜଣ ଛାତ୍ର, ଛାତ୍ରୀ ନାମାଙ୍କନ କରାଯାଇଛି । ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଆରାଧ୍ୟ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ପରିଚାଳିକା ସାଗରୀକା ଶତପଥି। ତେବେ ଏଥିରେ ସାମିଲ ହୋଇଛନ୍ତି ସ୍କୁଲ ଶିକ୍ଷୟତ୍ରୀ ବନ୍ଦିତା ଦାସ । ପ୍ରଥମ ପର୍ଯ୍ୟାୟରେ ସତ୍ୟଭାମା ମିଶ୍ର, ମାନସୀ ଦେବୀ ଏବଂ ବୀଣାପାଣି ମହାପାତ୍ର ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

Leave a Reply