ଟାଟାରେ ଚାକିରି କରାଇବେ କହି ଲକ୍ଷାଧିକ ଟଙ୍କା ଠକେଇ, ଫେରସ୍ତ ମାଗିବାରୁ ଆକ୍ରମଣ କଲା ଅଭିଯୁକ୍ତ

1 min read
Job Fraud

ଅନୁଗୁଳ: ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା ଆଉ ଟଙ୍କା ଫେରସ୍ତ ମାଗିବା ବେଳେ ଗାଳିଗୁଲଜ କରିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ତାଳଚେର କୋଲିଆରି ପୋଲିସ ।

ସୂଚନା ଅନୁସାରେ, ଅନୁଗୁଳ ବେଣାଗାଡିଆ ଗାଁର ପ୍ରାଣବନ୍ଧୁ ଜେନା ଅଭିଯୋଗ କରିଥିଲେ ଯେ, ପ୍ରାୟ ୨ ବର୍ଷ ୧୦ ମାସ ପୂର୍ବରୁ ଅନୁଗୁଳ ଶିମିଳିପଡାର ଘନଶ୍ୟାମ ମିଶ୍ର ପ୍ରାଣବନ୍ଧୁଙ୍କ ପୁଅକୁ ଜାମସେଦପୁରର ଟାଟା ଇଣ୍ଡଷ୍ଟ୍ରିରେ ନିୟୋଜିତ କରିବାର ପ୍ରତିଶ୍ରୁତି ଦେଇ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ହେଲେ ଏତେ ଦିନ ବିତି ଗଲା ପରେ ମଧ୍ୟ ଘନଶ୍ୟାମ ମିଶ୍ର ତାଙ୍କ ପୁଅକୁ ଟାଟା ଇଣ୍ଡଷ୍ଟ୍ରି ଚାକିରିରେ ନିୟୋଜିତ କରିବାରେ ବିଫଳ ହୋଇଥିଲେ ।

ଟଙ୍କା ନେବା ସମୟରେ ଉକ୍ତ ଘନଶ୍ୟାମ ମିଶ୍ର ଚାକିରି କରାଇ ନ ପାରିଲେ ବିନା ସୁଧରେ ସଂପୂର୍ଣ୍ଣ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ୨ ବର୍ଷ ପରେ ମଧ୍ୟ ଚାକିରି କରାଇ ନ ପାରିବାରୁ ପ୍ରାଣବନ୍ଧୁ ଯେତେବେଳେ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ, ଘନଶ୍ୟାମ ମିଶ୍ର ବିଭିନ୍ନ କିସ୍ତିରେ ୮୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଫେରାଇଥିଲେ । ତେବେ ବାକି ଟଙ୍କା ଆଉ ଫେରାଉ ନଥିଲେ ।

ଫଳରେ ପ୍ରାଣବନ୍ଧୁଙ୍କ ପୁଅ ରାଜେଶ କୁମାର ଜେନା ଓ ପତ୍ନୀ ଡଲିରାଣୀ ଜେନା, ଅବଶିଷ୍ଟ ଟଙ୍କା ଫେରସ୍ତ କରିବାକୁ ଶିମିଳିପଡାର ମିଲନଭିଲ୍ଲାରେ ରହୁଥିବା ଘନଶ୍ୟାମ ମିଶ୍ରଙ୍କ ବାସଭବନକୁ ଯାଇଥିଲେ । ତେବେ ଟଙ୍କା ଫେରସ୍ତ କରିବାକୁ କହିବାରୁ ଘନଶ୍ୟାମ ମିଶ୍ର ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କୁ ଧମକ ଚମକ ଦେଇ ଏକ କାଠ ପଟା ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । ମାରିବାକୁ ଗୋଡ଼ାଇବାରୁ ସେମାନେ ଭୟରେ ସେଠାରୁ ପଳାଇ ଆସିଥିଲେ । ପରେ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଠକେଇ ଘଟଣାରେ ବାପା ଘନଶ୍ୟାମ ମିଶ୍ର ଏବଂ ପୁଅ ଶୋଭନ ମିଶ୍ରଙ୍କୁ ଗିରଫ କରିଥିଲା । ଆଉ ତଦନ୍ତ ବେଳେ ବାପ-ପୁଅ ଏଭଳି ଏକ ଠକେଇ ରାକେଟ ଚଳାଇଥିବା ଜାଣିବାକୁ ପାଇଛି ପୋଲିସ । ତେବେ ପୋଲିସର କହିବା ଅନୁଯାୟୀ ଅନୁସନ୍ଧାନ ବେଳେ ଏହି ବାପ-ପୁଅ ୨୦୧୮ ମସିହାରୁ ଆଜି ଯାଏଁ ପ୍ରାୟ ୧୦୦୦ ଛାତ୍ରଙ୍କୁ ଏଭଳି ଠକେଇ କରିଛନ୍ତି । ଅଭିଯୁକ୍ତମାନେ ପ୍ରତ୍ୟେକ ଛାତ୍ରଙ୍କଠାରୁ ୨ ରୁ ୩ ଲକ୍ଷ ଟଙ୍କା ଠକେଇ କରିଛନ୍ତି । ବିହାର, ଝାଡ଼ଖଣ୍ଡ, ଏମ୍ପି‌, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀଙ୍କୁ ଚାକିରିର ପ୍ରଲୋଭନ ଦେଇ ସେମାନେ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡିଛି ।

Leave a Reply