ନାମି ଅନ୍‌ଲାଇନ୍‌ ସପିଂ ସାଇଟ୍‌ରୁ ମଗେଇଥିଲେ ମୋବାଇଲ୍‌‌, ଆସିଲା ଲୁଗା ଧୁଆ ସାବୁନ୍‌ !

1 min read
Online Mobile Fraud

ଯୋଡ଼ା: ପୁଣି ସାମ୍ନାକୁ ଆସିଲା ଅନ୍‌ଲାଇନ୍‌ ଠକେଇ । ଅନେକ ସମୟରେ ବିଭିନ୍ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ଅନାବଶ୍ୟକ‌ ସାମଗ୍ରୀ ଆସୁଥିବା ଅଭିଯୋଗ ହୋଇଛି । ଯାହା ଅର୍ଡର କରାଯାଇଥାଏ ତାହା ନଆସି ଅନ୍ୟ କିଛି ଆସିଥିବା ନଜିର ରହିଛି । ଏମିତିକି ବେଳେ ବେଳେ ବଡ଼ ବଡ଼ ସପିଂ ସାଇଟ୍‌ରେ ମଧ୍ୟ ଏଭଳି ତ୍ରୁଟି ଦେଖାଯାଇଥାଏ ।

 Online Mobile Fraud

ତେବେ ସେହିଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଅନ୍‌ ଲାଇନ୍‌ ସପିଂ ସାଇଟ୍‌ରୁ ମୋବାଇଲ ଅର୍ଡର କରିଥିଲେ । ହେଲେ ତାଙ୍କ ପାଖକୁ ଆସିଛି ଏକ ସାବୁନ୍‌ ଖଣ୍ଡ । ମୋବାଇଲ ପାଇଁ ପଇସା ଦେଇଥିବା ବେଳେ ତାଙ୍କୁ ମିଳିଛି ଗୋଟିଏ ଲୁଗା ଧୁଆ ସାବୁନ୍‌ । ସବୁଠାରୁ ବଡ଼ କଥା ହେଲା ସେ କୌଣସି ଅନାମଧେୟ ସପିଂ ସାଇଟ୍‌ରୁ ଅର୍ଡର କରିନଥିଲେ । ବରଂ ଏକ ନାମିଦାମୀ ସାଇଟ୍‌ରୁ ମୋବାଇଲ୍‌ ଅର୍ଡର କରିଥିଲେ । ଏଥିପାଇଁ ସେ ୨୫ ହଜାର ଟଙ୍କା ଦେଇଥିବା ମଧ୍ୟ ଜଣାପଡ଼ିଛି ।

Online Mobile Fraud

ଏପରି ଏକ ଠକେଇ ଘଟଣା ଘଟିଛି ଯୋଡ଼ା ବ୍ଲକ ବଲାଣି ଅଂଚଳରେ । ସୂଚନାନୁସାରେ ବଲାଣି ସେଲ୍ ଖଣିରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ଉପାଧ୍ୟାୟ ଅଗଷ୍ଟ ୬ରେ ଆମାଜନରେ ଏକ ଏଣ୍ଡରଏଡ୍ ଫୋନ୍ ଅର୍ଡର କରିଥିଲେ । ଏଥିପାଇଁ ସେ ୨୫ ହଜାର ଟଙ୍କା ବି ପୈଠ କରିଥିଲେ । ଚଳିତ ମାସ ୧୮ ତାରିଖରେ ସିଷ୍ଟମ ଭେଞ୍ଚର ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ସାମଗ୍ରୀ ଡେଲିଭରି କରାଯାଇଥିଲା । ହେଲେ ପ୍ୟାକେଟ ଭିତରୁ ଗୋଟିଏ ଲୁଗା ଧୁଆ ସାବୁନ ବାହାରିଥିଲା ।

ଏନେଇ ସେ ସଂଗେ ସଂଗେ ଡେଲିଭରି ବୟକୁ ଅବଗତ କରାଇଥିଲେ । ଏହା ସହ ଇ-ମେଲ ଜରିଆରେ ଆମଜନ କମ୍ପାନୀକୁ ମଧ୍ୟ ଅଭିଯୋଗ ଜଣାଇଥିଲେ । ତେବେ ଆମାଜନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ୩-୫ ଦିନ ମଧ୍ୟରେ ଉଚିତ୍‌ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ପ୍ରତିଶ୍ରୁତି ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ ଆମାଜନ କମ୍ପାନୀ ସଠିକ ସାମଗ୍ରୀ ପଠାଇଥିବା ନେଇ ଦାବି କରିଥିଲା । ପରେ ପରିବାର ବର୍ଗ ହତାଶ ହୋଇ ପଡ଼ିଥିବା ବେଳେ ଦିଲୀପ ବଲାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply