ମମତାଙ୍କ ହ୍ୟାଟ୍ରିକ ରାସ୍ତାରେ କଣ୍ଟା ହୋଇ ପାରନ୍ତି ପଶ୍ଚିମବଙ୍ଗର ଏହି ବ୍ୟକ୍ତି

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ଓ ଟିଏମସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ସୂଚନା ଅନୁଯାୟୀ ଦିନେ ମମତା ବାନାର୍ଜୀଙ୍କ ସବୁଠୁ ଖାସ୍‌ ଲୋକ ବୋଲାଉଥିବା ସୁଭେନ୍ଦୁ ଅଧିକାରୀ ଏବେ ମମତାଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି । ଏମିତିକି ସେ ମମତାଙ୍କ ବିରୋଧରେ ନନ୍ଦୀଗ୍ରାମରୁ ଲଢ଼ିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି । ଏବଂ ମୋଦିଙ୍କ ନାଁରେ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଳାଇଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ବିଜେପି ଟିମର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ମୂଳ ମୁଦ୍ଦା ଥିଲା ପଶ୍ଚିମବଙ୍ଗ ନିର୍ବାଚନ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପସ୍ଥିତିରେ ସୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ଭିତିରି ସୂଚନା ଅନୁଯାୟୀ ସୁଭେନ୍ଦୁ ଅଧିକାରୀ ଖୋଦ୍‌ ମୋଦି ଓ ଶାହଙ୍କ ଆଗରେ ଦାବି କରିଛନ୍ତି ଯେ, ସେ ନନ୍ଦିଗ୍ରାମରେ ମମତାଙ୍କୁ ଅତି କମରେ ୫୦ ହଜାର ଭୋଟରେ ପରାଜିତ କରିବେ । ଗତ ୧୫ ବର୍ଷରେ ତୃଣମୂଳ କଂଗ୍ରେସକୁ ନନ୍ଦିଗ୍ରାମରେ ସୁଦୃଢ଼ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଛନ୍ତି ସୁଭେନ୍ଦୁ । ରାଜ୍ୟର ନନ୍ଦିଗ୍ରାମ ଓ ଭବାନୀପୁର ସମେତ ୧୫ଟି ଏଭଳି ଗୁରୁତ୍ୱପୂର୍ଣ୍ଣ ଆସନ ରହିଛି ଯେଉଁଥିପାଇଁ ଦଳର ତିନି ମୁଖିଆ ବସି ଆଲୋଚନା କରି ପ୍ରାର୍ଥୀ ଚୟନ କରିବେ ।

ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଆଉ ବିଜେପି ଦୁଇଟି ଯାକ ଆସନରେ ତାଙ୍କୁ କଡ଼ା ଟକ୍କର ଦେବ ବୋଲି ଯୋଜନା କରୁଛି । ଗୋଟିଏ ପଟେ ନନ୍ଦିଗ୍ରାମରୁ ସୁଭେନ୍ଦୁ ଅଧିକାରୀ ଲଢ଼ିବେ ବୋଲି ଦାବି କରୁଥିବା ବେଳେ ଭବାନୀପୁରରେ ଦଳ.. ସାଂସଦ ବାବୁଲ ସୁପ୍ରିୟୋଙ୍କୁ ପ୍ରାର୍ଥୀ କରିବ ବୋଲି ସ୍ଥିର କରିଥିବା ସୂଚନା ରହିଛି । ଏହା ମଧ୍ୟ କୁହାଯାଉଛି ଯେ, ବାବୁଲ ସୁପ୍ରିୟୋ ଖୋଦ୍‌ ମମତାଙ୍କ ବିରୋଧରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୨ ଲକ୍ଷ ୧୨ ହଜାର ହିନ୍ଦୁ ଏବଂ ୭୦ ହଜାର ମୁସଲମାନ ଭୋଟର ଅଛନ୍ତି । ୨୦୦୬ ମସିହାରେ, ଏଠାରେ ବାମ ଦଳର ଖୁବ୍‌ ଦବଦବା ରହିଥିଲା । ବାମ ଦଳକୁ ସବୁଠୁ ଅଧିକ ଭୋଟ୍‌ ଯାଉଥିଲା । ଦଳର ଭୋଟ୍ ପ୍ରତିଶତ ୪୮.୭ ଥିଲା । ଏହା ପରେ ୨୦୧୧ରେ ଟିଏମସି ଏହାକୁ କବଜା କରିଦେଲା । ଦଳ ପକ୍ଷରୁ ​ଫେରେଜା ବିବି ନିର୍ବାଚନ ଜିତିଥିଲେ । ଚଳିତ ବର୍ଷ ଦଳର ଭୋଟ୍ ପ୍ରତିଶତ ୪୫ ରୁ ୫୦କୁ ବଢ଼ିଯାଇଛି । ୨୦୧୬ ରେ ଦଳର ଭୋଟ ପ୍ରତିଶତ ୬୭ ପ୍ରତିଶତ ରହିଥିଲା । ସେହି ସମୟରେ ସୁଭେନ୍ଦୁ ଅଧିକାରୀ ଏହି ସିଟରୁ ପ୍ରତିନିଧିତ୍ୱ କରୁଥିଲେ ।

ମମତା ବାନାର୍ଜୀ କିଛି ଦିନ ପୂର୍ବରୁ ଏକ ରାଜନୈତିକ ରାଲିରେ ଯୋଗ ଦେଇ ମଞ୍ଚ ଉପରେ ଅଭିଭାଷଣ ଦେବାବେଳେ ଚଳିତଥର ସେ ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ଘୋଷଣା କରିଥିଲେ । ସେ ଆହୁରି କହିଥିଲେ ନନ୍ଦିଗ୍ରାମ ତାଙ୍କ ପାଇଁ ଅତ୍ୟନ୍ତ ଶୁଭ । ସେ ଭବାନୀପୁର ବାସୀଙ୍କୁ ଏହି କଥାକୁ ଭଲ ଭାବେ ବୁଝିବା ପାଇଁ ମଧ୍ୟ କହିଥିଲେ । ଏହାପରେ ସେ ଉଭୟ ସ୍ଥାନରୁ ନିର୍ବାଚନ ଲଢ଼ିବେ ବୋଲି ସଙ୍କେତ ଦେଇଥିଲେ । ରାଜ୍ୟରେ ୨୭ ମାର୍ଚ୍ଚଠାରୁ ୨୯ ଏପ୍ରିଲ୍‌ ଯାଏଁ ୮ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବା ସହ ୨ ମେ’ରେ ଗଣତି ହେବ ।

ନନ୍ଦିଗ୍ରାମ ହେଉଛି ସେହି ଆସନ ଯେଉଠାରୁ ମମତାଙ୍କୁ ପଶ୍ଚିମବଙ୍ଗରେ ସତ୍ତାକୁ ଆସିବା ପାଇଁ ଏଣ୍ଟ୍ରି ମିଳିଥିଲା । କୃଷକ ଆନ୍ଦୋଳନର ଗଡ଼ କୁହାଯାଉଥିବା ନନ୍ଦିଗ୍ରାମରୁ ହିଁ ମମତାଙ୍କ ରାଜନୈତିକ କ୍ୟାରୀୟର ମଜଭୁତ ହୋଇଥିଲା । ଏହି ଆସନରେ ଟିଏମ୍‌ସି ପାଇଁ ସୁଭେନ୍ଦୁ ଅଧିକାରୀ ଅନେକ ପରିଶ୍ରମ କରିଛନ୍ତି । ଆଉ ଦଳକୁ ଏକ ସୁଦୃଢ଼ କରିଛନ୍ତି । ଖାଲି ସେତିକି ନୁହେଁ ଏହା ଦ୍ୱାରା ସୁଭେନ୍ଦୁ ଅଧିକାରୀ ଦଳରେ ମଧ୍ୟ ନିଜର ସ୍ଥିତି ସୁଦୃଢ଼ କରିପାରିଥିଲେ । ମମତାଙ୍କର ମଧ୍ୟ ଅତି ନିକଟତର ହୋଇଥିଲେ ।

Leave a Reply