୧୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ସହରରେ ପଶିବାକୁ ଦେଲାନି ପୋଲିସ, ଧାରଣା ଦେଲେ ଟିଡିପି ମୁଖ୍ୟ

Chandrababu naidu

ତିରୁପତି: ଆନ୍ଧ୍ରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଏନ ଚନ୍ଦ୍ରବାବୁ ନାଇଡୁ ସୋମବାର ରେନିଗୁଣ୍ଟାର ତିରୁପତି ବିମାନବନ୍ଦରର ଓ୍ୱେଟିଂ ହଲ୍‌ରେ ଦେଲେ ଧାରଣା । ପୋଲିସ ତାଙ୍କୁ ସହରରେ ପଶିବାକୁ ବାରଣ କରିବା ସହ ନିଜ ହେଫାଜତକୁ ନେବା ପାଇଁ ଚାହୁଁଥିଲା । ତେଣୁ ବିମାନବନ୍ଦରରେ ଏଭଳି ପରିସ୍ଥିତି ଉପୁଜିଥିଲା । ତିରୁପତି ପୋଲିସ, ତେଲୁଗୁ ଦେଶମପାର୍ଟି ଅଧ୍ୟକ୍ଷ ଶ୍ରୀ ନାଇଡୁଙ୍କୁ ରୋକିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏନ୍‌ ଚନ୍ଦ୍ରବାବୁ ନାଇଡୁ ପୋଲିସକୁ ନାନା ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ତାଙ୍କୁ କାହିଁକି ବିମାନବନ୍ଦରରେ ଏଭଳି ରୋକା ଯାଉଛି ? କାହିଁକି ତାଙ୍କୁ ଚିତ୍ତୋର ଓ ତିରୁପତି ଯିବାକୁ ବାରଣ କରାଯାଉଛି ? ପୋଲିସର ଏଭଳି ଆଭିମୁଖ୍ୟ ତାଙ୍କ ପ୍ରତି କାହିଁକି ରହିଛି ? ଏଭଳି ନାନା ପ୍ରଶ୍ନ ନିଜେ ପଚାରିଥିଲେ ଚନ୍ଦ୍ରବାବୁ ନାଇଡୁ ।

ହାଇଦ୍ରାବାଦରୁ ତିରୁପତି ବିମାନବନ୍ଦରରେ ପହଞ୍ଚିଥିବା ଶ୍ରୀ ନାଇଡୁ, ସ୍ଥାନୀୟ ପ୍ରଶାସନର ଅନୁମତି ବିରୋଧରେ ତିରୁପତିଠାରେ ଆୟୋଜନ ହୋଇଥିବା ବିକ୍ଷୋଭରେ ଭାଗ ନେବାକୁ ଆସିଥିଲେ । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ କାରଣରୁ ଏବଂ କରୋନା ମହାମାରୀ ଯୋଗୁଁ ଏହି ବିକ୍ଷୋଭକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅନୁମତି ଦେବାକୁ ମନା କରିଦେଇଥିଲା ।

ସୂଚନାଯୋଗ୍ୟ, ରବିବାର ତିରୁପତି ମୁନିସିପାଲ କର୍ପୋରେସନ ଅଧିକାରୀମାନେ ଜଣେ ଟିଡିପି ନେତାଙ୍କ ଚା’ ଦୋକାନ ଭାଙ୍ଗିଦେଇଛନ୍ତି । ଯାହା ବିରୋଧରେ ଏହି ବିକ୍ଷୋଭ ଆୟୋଜନ କରାଯାଇଥିଲା । ତେଲୁଗୁ ଦେଶମ ପାର୍ଟି ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ଏହି ବିକ୍ଷୋଭ କରାଯିବ ବୋଲି ସ୍ଥିର ହୋଇଥିଲା । ତେଣୁ ଶ୍ରୀ ନାଇଡୁ ହାଇଦ୍ରାବାଦରୁ ତିରୁପତି ଆସିଥିଲେ । ଯେହେତୁ ପୋଲିସ ଏହି ବିକ୍ଷୋଭକୁ ଅନୁମତି ଦେଇନାହିଁ ତେଣୁ ବିମାନବନ୍ଦରରେ ହିଁ ଶ୍ରୀ ନାଇଡୁଙ୍କୁ ଅଟକାଇଥିଲା ପୋଲିସ ।

ପୋଲିସ ଅଟକାଇବାରୁ ବିରକ୍ତ ହୋଇଥିଲା ଶ୍ରୀ ନାଇଡୁ । ପୋଲିସ ଅଧିକାରୀଙ୍କୁ ସେ ପଚାରିଥିଲେ, ‘ମୁଁ ୧୪ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଥିଲି ଏବଂ ବର୍ତ୍ତମାନ ମୁଁ ବିରୋଧୀ ଦଳର ନେତା । ମୋର ପ୍ରଦର୍ଶନ କରିବାର ଅଧିକାର ନାହିଁ କି ? ମୁଁ କାହିଁକି ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକଙ୍କୁ ଭେଟି ପାରିବି ନାହିଁ ?’ ପୋଲିସ ପ୍ରଶାସନକୁ ଏଭଳି ପ୍ରଶ୍ନ କରିବା ସହ ଶ୍ରୀ ନାଇଡୁ ବିମାନବନ୍ଦରରେ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ପୋଲିସ ତାଙ୍କ କଥା ନଶୁଣିବାରୁ ସେ ବିମାନବନ୍ଦରର ସେହି ଓ୍ୱେଟିଂ ହଲ୍‌ ଭୂମିରେ ହିଁ ଧାରଣାରେ ବସିପଡ଼ିଥିଲେ । କେବଳ ଶ୍ରୀ ନାଇଡୁ ନୁହନ୍ତି, ଉକ୍ତ ଜିଲ୍ଲାର ଟିଡିପି ମୁଖ୍ୟଙ୍କୁ ପୂର୍ବରୁ ପୋଲିସ ନିଜ ହେଫାଜତକୁ ନେଇ ସାରିଛି ।

ତେବେ ଯେଉଁ ଚା’ ଦୋକାନଟି ସ୍ଥାନୀୟ ମୁନିସିପାଲ ଦ୍ୱାରା ଭଙ୍ଗାଯାଇଥିଲା, ସେହି ଦୋକାନୀଙ୍କ ପତ୍ନୀ ମାର୍ଚ୍ଚ ୧୦ରେ ହେବାକୁ ଥିବା ନିର୍ବାଚନରେ ଟିଡିପି ସମର୍ଥିତ ​​ପ୍ରର୍ଥୀ ହୋଇଛନ୍ତି । ଏହି ଘଟଣାର ପ୍ରତିବାଦ କରିବାକୁ ଏତେ ସବୁ ଆୟୋଜନ କରାଯାଇଥିଲା ।

Leave a Reply