ରାସ୍ତାକଡ଼ ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଋଣ, ସମୟ ଭିତରେ ପରିଶୋଧ କଲେ ୭% ସୁଧ ଛାଡ଼

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ସରକାର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ପରେ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ବସିଥିଲା । ଏଥିରେ କେତକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ସହ ରାସ୍ତାକଡ଼ରେ ବିକ୍ରି କରୁଥିବା ଦୋକାନୀ ଓ ଚାଷ ଉପରେ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।

ଆତ୍ମନିର୍ଭର ଭାରତ ପ୍ୟାକେଜର ଘୋଷଣା ଅନୁସାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ରାସ୍ତା କଡ଼ରେ ଠେଲାରେ ଜିନିଷ ବିକ୍ରି କରୁଥିବା ଲୋକଙ୍କ ପାଇଁ ଋଣ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସୂକ୍ଷ୍ମ ଋଣ ଯୋଜନା ଆରମ୍ଭ କରାଯାଇଛି । ୫୦ ଲକ୍ଷରୁ ଅଧିକ ଉଠାଦୋକାନୀ ଲାଭ ପାଇବେ ।

ରାସ୍ତାକଡ଼ରେ ପରିବା, ଫଳ, ଖାଦ୍ୟ, କପଡ଼ା, ଚପଲ, ଚା ବିକୁଥିବା ଲୋକ ଉପକୃତ ହେବେ । ଲଣ୍ଡ୍ରି, ମୋଚି ଓ ପାନ ଦୋକାନ ମଧ୍ୟ ସହାୟତା ପାଇବେ । ଏମାନଙ୍କ ପାଇଁ ସୂକ୍ଷ୍ମ ଋଣ ଯୋଜନା ଆରମ୍ଭ କରାଯାଇଛି । ଫୁଟପାଥରେ ଦୋକାନ ଦେଇଥିବା ଲୋକ ୧୦ ହଜାର ଟଙ୍କା ଋଣ ନେବେ । ବର୍ଷକେ ଭିତରେ ମାସିକ କିସ୍ତିରେ ଋଣ ପରିଶୋଧ କରିବେ ।

ବର୍ଷକ ଭିତରେ ସମୟରେ ଋଣ ପରିଶୋଧ କଲେ ୭ ପ୍ରତିଶତ ସୁଧ ଛାଡ଼ କରାଯିବ । ଋଣ ପରିଶୋଧ ପରେ ହିତାଧାକାରୀଙ୍କ ଖାତାରେ ଟଙ୍କା ପୈଠ କରାଯିବ । ସହର ଓ ଗ୍ରାମାଞ୍ଚଳରେ ରାସ୍ତାକଡ଼ରେ ଥିବା ଉଠାଦୋକାନୀ ଏହାର ସୁବିଧା ପାଇବେ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ସହଯୋଗ କରିବେ । ଏଥିପାଇଁ ମୋବାଇଲ୍ ଆପ୍ ଓ ୱେବସାଇଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Leave a Reply